ଚିଦାମ୍ବରମଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା ଇଡି


ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ଅଭିଯୁକ୍ତ ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ଉପରେ ଗିରଫ ଗରିଫଦାରୀର ଖଣ୍ଡା ଝୁଲୁଛି । ବୁଧବାର ସକାଳେ ସିବିଆଇ ଟିମ୍‌ ଚିଦାମ୍ବରମଙ୍କ ଘରେ ପହଞ୍ଚିଥିଲା। କିନ୍ତୁ ଚିଦାମ୍ବରମ ଘରେ ନ ଥିଲେ। ମଙ୍ଗଳବାର ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରଠାରୁ ଚିଦାମ୍ବରମଙ୍କ ପତ୍ତା ମିଳୁନାହିଁ। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟାରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଏକ ଟିମ୍‌ ତାଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ତାଙ୍କର ଦେଖା ମିଳି ନ ଥିଲା। ଫଳରେ ସିବିଆଇ ତାଙ୍କୁ ୨ଘଣ୍ଟା ମଧ୍ୟରେ ହାଜର ହେବାକୁ ନୋଟିସ ଜାରି କରିଥିଲା।

ଅନ୍ୟପଟେ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଚିଦାମ୍ବରମ ବରିଷ୍ଠ ନେତା କପିଲ ସିବ୍ବଲ, ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘୱୀ ଏବଂ ସଲମାନ ଖୁର୍ସୀଦଙ୍କୁ ଭେଟିଥିଲେ। ସୁପ୍ରିମକୋର୍ଟର ଜଣେ ଅଧିକାରୀ ସିବ୍ବଲଙ୍କୁ ଚିଦାମ୍ବରମଙ୍କ ଆବେଦନ ରେଜିଷ୍ଟ୍ରାରଙ୍କ ସମ୍ମୁଖରେ ଦାଖଲ କରିବାକୁ କହିଥିଲେ। ରେଜିଷ୍ଟ୍ରାର ଆବେଦନକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ରଖିବାକୁ ନିଷ୍ପତ୍ତି ନେବେ। ସିବ୍ବଲଙ୍କୁ କୁହାଯାଇଛି ଯେ ଚିଦାମ୍ବରମଙ୍କ ଆବେଦନର ଶୁଣାଣି ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ସୁପ୍ରିମକୋର୍ଟରେ ହେବ । ତେବେ ବର୍ତ୍ତମାନ ଚିଦାମ୍ବରମଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଲୁକ ଆଉଟ ନୋଟିସ ଜାରି କରାଯାଇଛି ।


Share It

Comments are closed.