ନିଖୋଜ ହେଲେ ‘କ୍ୟାଫେ କଫି ଡେ’ର ପ୍ରତିଷ୍ଠାତା ‘ଭିଜି ସିଦ୍ଧାର୍ଥ’


ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଜ୍ୱାଇଁ ତଥା ଲୋକପ୍ରିୟ ‘କ୍ୟାଫେ କଫି ଡେ’ର ପ୍ରତିଷ୍ଠାତା ‘ଭିଜି ସିଦ୍ଧାର୍ଥ’ ମାଙ୍ଗାଲୁରୁରୁ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଶେଷ ଥରକ ପାଇଁ ମାଙ୍ଗାଲୁରୁର ନେତ୍ରାବତୀ ନଦୀକୂଳରେ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଏହି ଘଟଣା ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା, କଂଗ୍ରେସ ନେତା ଡିକେ ଶିବ କୁମାର ଏବଂ ବିଏସ ଶଙ୍କର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଘରକୁ ଯାଇ ତାଙ୍କ ସହ ସାକ୍ଷାତ କରିଛନ୍ତି ।
ସିଦ୍ଧାର୍ଥ, ପୂର୍ବତ୍ତନ ବିଦେଶ ମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଜ୍ୱାଇଁ ଅଟନ୍ତି ଯିଏକି କଂଗ୍ରେସ ଅନେକ ବର୍ଷ ରହିବା ପରେ ନିକଟ କିଛି ଦିନ ତଳେ ବିଜେପିରେ ସାମିଲ ହୋଇଥିଲେ । ସିଦ୍ଧାର୍ଥଙ୍କ ଦ୍ୱାରା କର୍ମଚାରୀ ଏବଂ ସିସିଡିର ନିର୍ଦ୍ଦେଶକ ମଣ୍ଡଳକୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, “ସମସ୍ତ ଆର୍ଥିକ କାରବାର ମୋର ଦାୟିତ୍ୱ ଅଟେ । ଆଇନକୁ କେବଳ ମୋତେ ହିଁ ଏହାର ଜବାବ ଦେବାକୁ ପଡିବ ।”


ବର୍ତ୍ତମାନ ପୋଲିସ ପକ୍ଷରୁ ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ଏଥିରେ ଅନୁସନ୍ଧାନକାରୀ କୁକୁର ଏବଂ ଡଙ୍ଗାକୁ ମଧ୍ୟ ସାମିଲ କରାଯାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସିଦ୍ଧାର୍ଥ ତାଙ୍କ ଡ୍ରାଇଭରଙ୍କୁ ନେତ୍ରାବତୀ ନଦୀକୂଳରେ ଓହ୍ଲାଇବା ପାଇଁ କହିଥିଲେ କାରଣ ସେ ସେଠାରେ ଚାଲିବା ପାଇଁ ଚାହୁଁଥିଲେ । କିନ୍ତୁ ସେଠାରେ ଦୀର୍ଘ ଏକ ଘଣ୍ଟା ବିତିଯିବା ପରେ ସିଦ୍ଧାର୍ଥ ଯେତେବେଳେ ସେଠାରୁ ଫେରିନଥିଲେ ଡ୍ରାଇଭର ବାଧ୍ୟ ହୋଇ ଏହି ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।


Share It

Comments are closed.