ଭୁବନେଶ୍ୱର, ୦୮/୦୫ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ ଓଡ଼ିଶା ପାଇଁ ବୃହତ୍ ପୁଞ୍ଜିନିବେଶର ଦ୍ୱାର ଖୋଲିଦେଇଛି । ଗୁଜରାଟର ଭଦୋଦରାରେ ଆୟୋଜିତ “ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରୋଡ୍ ଶୋ” ମାଧ୍ୟମରେ ରାଜ୍ୟକୁ ୪୮ ହଜାର ୩୩୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ପୁଞ୍ଜିନିବେଶ ମାଧ୍ୟମରେ ରାଜ୍ୟରେ ପ୍ରାୟ ୬୭ ହଜାର ୮୩୮ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ସେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଭାରତ ଦେଶର ଶିଳ୍ପ ଅଭିବୃଦ୍ଧିରେ ଅଗ୍ରଣୀ ଭୂମିକା ନେଇଥିବାବେଳେ, ଏବେ ବିକଶିତ ଭାରତ ଗଠନରେ ପୂର୍ବ ଭାରତ ଓ ଓଡ଼ିଶା ନୂତନ ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ହେବ । “ଭିଜନ ପୂର୍ବୋଦୟ” ଅଭିଯାନ ଅନ୍ତର୍ଗତ ଗୁଜରାଟର ଅଗ୍ରଣୀ ଶିଳ୍ପ ସଂସ୍ଥାମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ସେ ଆହ୍ୱାନ କରିଛନ୍ତି ।ଓଡ଼ିଶାକୁ ଭାରତର “ଗେଟୱେ ଟୁ ଇଷ୍ଟ” ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ ବାଣିଜ୍ୟ ଓ ସାମୁଦ୍ରିକ ସଂଯୋଗର ବିଶାଳ ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ଇଣ୍ଡୋ–ପାସିଫିକ ବଜାର ପାଇଁ ରାଜ୍ୟକୁ ଏକ ଶକ୍ତିଶାଳୀ ବ୍ୟାପାରିକ କେନ୍ଦ୍ରରେ ପରିଣତ କରିବ ବୋଲି ସେ କହିଛନ୍ତି ।
ଗୁଜରାଟରୁ ମେଟାଲ ଡାଉନଷ୍ଟ୍ରିମ, କେମିକାଲ୍ସ, ଫାର୍ମାସିଟିକାଲ୍ସ, ରେୟାର ଆର୍ଥ ଭାଲ୍ୟୁ ଆଡିସନ, ଗ୍ରୀନ ଏନର୍ଜି ଇକ୍ୟୁପମେଣ୍ଟ, ଏରୋସ୍ପେସ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ବୃହତ୍ ନିବେଶ ଆସିବାର ସମ୍ଭାବନା ଥିବା କଥା ସେ ପ୍ରକାଶ କରିଛନ୍ତି ।
