ଭୁବନେଶ୍ୱର, ୨୯ ଜୁନ୍: ଡିଜିଟାଲ୍ ଶାସନ ଓ ନାଗରିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ନୂଆ ଇତିହାସ ରଚିଛି। ସରକାରୀ ସ୍ତରରେ ଗମନାଗମନ ସହ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମନ୍ୱିତ କରିବାରେ ଓଡ଼ିଶା ଏବେ ସାରା ଦେଶର ପ୍ରଥମ ରାଜ୍ୟ ପାଲଟିଛି। ରାଜ୍ୟ ପ୍ରଶାସନ ପକ୍ଷରୁ ବହୁଳ ଭାବେ ବ୍ୟବହୃତ ହେଉଥିବା ‘ଓଡ଼ିଶା ଯାତ୍ରୀ’ ଆପ୍ରେ ଏକ ସ୍ମାର୍ଟ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇ ଏହାକୁ ଏକ ଶକ୍ତିଶାଳୀ ଡିଜିଟାଲ୍ ପ୍ଲାଟଫର୍ମରେ ରୂପାନ୍ତରିତ କରାଯାଇଛି।
ଏହି ନୂତନ ବ୍ୟବସ୍ଥା ଅଧୀନରେ ‘ଓଡ଼ିଶା ଯାତ୍ରୀ’ ଆପ୍କୁ ସିଧାସଳଖ ଓଡ଼ିଶା ପୋଲିସ୍ ଏବଂ ଜାତୀୟ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ‘୧୧୨’ ସହ ଯୋଡ଼ାଯାଇଛି। ଯାହାଫଳରେ ଯାତ୍ରୀମାନେ ଯେକୌଣସି ଜରୁରୀ ପରିସ୍ଥିତିରେ ରିୟଲ୍-ଟାଇମ୍ ଲୋକେସନ୍ ସହ ତୁରନ୍ତ ସରକାରୀ ସହାୟତା ପାଇପାରିବେ। ପୂର୍ବରୁ ଏହି ଆପ୍ ମାଧ୍ୟମରେ କେବଳ ଅଟୋ-ରିକ୍ସା ଓ କ୍ୟାବ୍ ବୁକିଂ, ‘ଆମ ବସ୍’ ସୂଚନା ଏବଂ ବୋଟିଂ ସେବା ଉପଲବ୍ଧ ହେଉଥିବା ବେଳେ ଏବେ ଏହାକୁ ନାଗରିକମାନଙ୍କ ବ୍ୟକ୍ତିଗତ ସୁରକ୍ଷାର ଏକ ପ୍ରମୁଖ ମାଧ୍ୟମ କରାଯାଇଛି।
ଏହି ସୁରକ୍ଷା ମଡ୍ୟୁଲ୍ର ଶୁଭାରମ୍ଭ କରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଲୋକମାନଙ୍କ ସୁରକ୍ଷାକୁ ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ସରକାରୀ ସେବାକୁ ଅଧିକ ସହଜ ଏବଂ ଲୋକାଭିମୁଖୀ କରିବା ଦିଗରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଯାତ୍ରୀମାନଙ୍କ ପାଇଁ ଏହି ଆପ୍ରେ ଅନେକ ଆଧୁନିକ ଓ ଜେସ୍ଚର-ଆଧାରିତ ବୈଶିଷ୍ଟ୍ୟ ରଖାଯାଇଛି। ସଙ୍କଟ ସମୟରେ ଲୋକେ ‘ୱାନ୍-ଟ୍ୟାପ୍ SOS’ ମାଧ୍ୟମରେ ପୋଲିସ ଓ ପରିବାର ବର୍ଗଙ୍କୁ ଆଲର୍ଟ ପଠାଇପାରିବେ। ବିଶେଷ କରି ମୋବାଇଲ୍ ସ୍କ୍ରିନ୍ ସ୍ପର୍ଶ କରିବା ସମ୍ଭବ ହେଉନଥିଲେ, ଆଣ୍ଡ୍ରଏଡ୍ ଫୋନ୍କୁ କେବଳ ହଲାଇ କିମ୍ବା ଆଇଫୋନ୍ର ପଛ ଭାଗକୁ ଟ୍ୟାପ୍ କରି ମଧ୍ୟ ‘ଜେସ୍ଚର-ଟ୍ରିଗର୍ଡ SOS’ ଦ୍ୱାରା ସହାୟତା ଲୋଡ଼ିହେବ। ଏହାସହ ରିୟଲ୍-ଟାଇମ୍ ଲୋକେସନ୍ ସେୟାରିଂ, ଇମରଜେନ୍ସି ସାଇରେନ୍ ଓ ଆମ୍ବିଏଣ୍ଟ ଅଡିଓ ରେକର୍ଡିଂ ଭଳି ସୁବିଧା ଏଥିରେ ରହିଛି, ଯାହା ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ ଉପଲବ୍ଧ।
ଆଗାମୀ ଦିନରେ ଏହି ଆପ୍ରେ ଆନ୍ତଃସହର ବସ୍ ସେବା ଓ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଇଁ ଡିଜିଟାଲ୍ ଟିକେଟିଂ ବ୍ୟବସ୍ଥା ଯୋଡ଼ାଯିବ। ଏହି ସେବାଗୁଡ଼ିକ ସାମିଲ ହେବା ପରେ ‘ଓଡ଼ିଶା ଯାତ୍ରୀ’ ଦେଶର ପ୍ରଥମ ସରକାରୀ ‘ସୁପର ଆପ୍’ର ମାନ୍ୟତା ପାଇବ ବୋଲି ଲକ୍ଷ୍ୟ ରଖାଯାଇଛି। ପରିବହନ, ସୁରକ୍ଷା ଓ ପ୍ରଶାସନିକ ସେବାକୁ ଗୋଟିଏ ଜଗାରେ ଉପଲବ୍ଧ କରାଇ ଏହି ଆପ୍ ରାଜ୍ୟର ନାଗରିକ-କୈନ୍ଦ୍ରିକ ଶାସନ ପ୍ରଣାଳୀକୁ ଆହୁରି ମଜବୁତ କରିଛି।
