ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ମେଡିକାଲ) ପରିସରରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଭବାନୀ ସିକ୍ୟୁରିଟି ଏଜେନ୍ସିର ଜଣେ ମହିଳା ଗାର୍ଡଙ୍କୁ ଅନ୍ୟ ଜଣେ ମହିଳା ଗାର୍ଡଙ୍କ ସମ୍ପର୍କୀୟମାନେ ମାଡ଼ ମାରିଛନ୍ତି। ଏହି ଆକ୍ରମଣରେ ମହିଳା ସିକ୍ୟୁରିଟି ଗାର୍ଡ ଜଣକ ଆହତ ହୋଇଛନ୍ତି ଏବଂ ଏହାକୁ ନେଇ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।
ସୂଚନା ଅନୁସାରେ, ପ୍ରଭାତୀ ରାଉତ ନାମକ ଜଣେ ମହିଳା ଗାର୍ଡ ଗତକାଲି ରାତିରେ ଅନ୍ୟ ଜଣେ ମହିଳା ଗାର୍ଡଙ୍କୁ ଡ୍ୟୁଟି କରିବାକୁ ମନା କରିଦେଇଥିଲେ। ଏଥିରେ ରାଗିଯାଇ, ସେହି ମହିଳା ଗାର୍ଡଙ୍କ ସ୍ୱାମୀ ଓ ଅନ୍ୟ ଜଣେ ଲୋକ ହଠାତ୍ ମେଡିକାଲରେ ପହଞ୍ଚି ପ୍ରଭାତୀଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା, ଯାହାକୁ ଦେଖି ମେଡିକାଲରେ ଥିବା ଲୋକେ ଆତଙ୍କିତ ହୋଇପଡ଼ିଥିଲେ।
ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଆହତ ମହିଳା ସିକ୍ୟୁରିଟି ଗାର୍ଡ ପ୍ରଭାତୀ ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଚଳାଇଛି।
