ଭୁବନେଶ୍ୱର,୦୮/୦୫:ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର ଅଞ୍ଚଳରେ ଘଟିଥିବା ଏକ ବର୍ବର ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଭିଡ଼ର ଆକ୍ରମଣରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହଯୋଗୀ ଓମପ୍ରକାଶ ରାଉତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାକୁ ନେଇ ରାଜ୍ୟଜୁଡ଼ା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ଅନୁସାରେ, କଟକରେ ପ୍ରାୟ ୧୨ ବର୍ଷ ଧରି ଜିଆରପି କନଷ୍ଟେବଳ ଭାବେ କାର୍ଯ୍ୟରତ ଅଡ଼ଶପୁର ଅଞ୍ଚଳର ସୌମ୍ୟରଞ୍ଜନ ସ୍ୱାଇଁ ଓ ତାଙ୍କ ସାଙ୍ଗ ଓମପ୍ରକାଶ ରାଉତ ଏକ ବାଇକରେ ଯାଉଥିବା ବେଳେ ଦୁଇଜଣ ମହିଳାଙ୍କ ସ୍କୁଟି ସହ ଧକ୍କା ହୋଇଥିଲା। ଏହାପରେ ଉଭୟ ଯୁବକ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ସହ ଗାଡ଼ି ଚଢ଼ାଇ ମାରିଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ମହିଳାମାନେ କରିଥିଲେ।
ମହିଳାଙ୍କ ଚିତ୍କାର ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଏକତ୍ରିତ ହୋଇ ଦୁଇ ଯୁବକଙ୍କୁ କାବୁ କରିଥିଲେ। ପୋଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଭିଡ଼ ସେମାନଙ୍କୁ ବାଉଁଶ ଗଛରେ ବାନ୍ଧି ନିର୍ମମ ଭାବେ କାଠ ଫାଳିଆ ଓ ବାଉଁଶରେ ପିଟିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଗୁରୁତର ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଓମପ୍ରକାଶ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ପୋଲିସ ଡିଜିଙ୍କ ସହ ଆଲୋଚନା କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ବର୍ବର ବୋଲି ବର୍ଣ୍ଣନା କରି ସରକାରଙ୍କୁ ତୁରନ୍ତ କଠୋର ପଦକ୍ଷେପ ନେବା ସହ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି।
ଏହି ଘଟଣା ପରେ ଆଇନ ବ୍ୟବସ୍ଥା ଓ ମବ୍ ଜଷ୍ଟିସକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଅଭିଯୋଗ ସତ କି ମିଥ୍ୟା, ତାହା ତଦନ୍ତ ସାପେକ୍ଷ ହୋଇଥିଲେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଆଇନ ହାତକୁ ନେଇ ଶାସ୍ତି ଦେବା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଗଭୀର ଚିନ୍ତାର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ପୋଲିସ ଏହି ଘଟଣାରେ ଦୁଇଟି ପୃଥକ ମାମଲା ରୁଜୁ କରିଛି। ମହିଳାଙ୍କ ଅଭିଯୋଗ ଆଧାରରେ ସୌମ୍ୟରଞ୍ଜନ ଓ ତାଙ୍କ ସାଙ୍ଗଙ୍କ ବିରୋଧରେ ଗୋଟିଏ ମାମଲା ହୋଇଥିବା ବେଳେ, ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସିସିଟିଭି ଫୁଟେଜ୍ ଯାଞ୍ଚ ଜାରି ରହିଛି।
