ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଗଣପ୍ରହାର ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ (DGP) ୱାଇ.ବି. ଖୁରାନିଆଙ୍କ ସହ ଆଲୋଚନା କରିବା ସହ ଘଟଣାର ସୂଚାରୁ ରୂପେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସଂପୃକ୍ତ ଥିବା ଦୋଷୀମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ରାଜ୍ୟରେ ଆଇନର ଶାସନକୁ ବଜାୟ ରଖିବା ପାଇଁ ଏବଂ ଭବିଷ୍ୟତରେ ଯେପରି ଏଭଳି ଗଣପ୍ରହାର ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ସତର୍କ ରହିବାକୁ ସେ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ଏହି ବିଷୟରେ ରାଜ୍ୟ ମହିଳା କମିଶନଙ୍କ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣାରେ କିଛି ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି, ଯାହାର ସତ୍ୟାସତ୍ୟ ଜାଣିବା ପାଇଁ ଶୋଭନା ମହାନ୍ତି ଆସନ୍ତାକାଲି ବାଲିଅନ୍ତା ଗସ୍ତ କରିବେ। ସେ ସେଠାରେ ପୀଡ଼ିତା ମହିଳାମାନଙ୍କ ସହ ଆଲୋଚନା କରି ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରିବେ। ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ମାମଲାରେ ଦୁଇଟି ପୃଥକ ମାମଲା ରୁଜୁ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି।
