ଭୁବନେଶ୍ୱର : ଗୁଜୁରାଟର ମେହସାନ ମୁନସିପାଲ ନିର୍ବାଚନରେ ବିଜେପି ପୁଣି ଥରେ ଏହା ପ୍ରମାଣିତ କରି ଦେଖାଇଛି ଯେ ଦଳ ପାଇଁ କେହି ଛୋଟି କି ବଡ ନୁହଁନ୍ତି ସମସ୍ତେ ସାମାନ । ଦଳ ପାଇଁ ସମର୍ପିତ ଥିବା ଯେକୌଣସି ନେତାଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ମିଳିପାରିବ । ବିଜେପି ନିଜ ପାର୍ଟି ଅଫିସରେ ୨୮ ବର୍ଷ ହେବ କାର୍ଯ୍ୟରତ ଥିବା ୫୦ ବର୍ଷିୟ ରମେଶ ଭିଲଙ୍କୁ ଚଳିତ ମେହସାନ ମୁନସିପାଲ ନିର୍ବାଚନରେ ପ୍ରାର୍ଥୀ ଭାବେ ଠିଆ କରାଇଛି ।
ଶନିବାର ରମେଶ ଭିଲ୍ ଆନୁଷ୍ଠାନିକ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜଣେ ସାଧାରଣ କର୍ମକର୍ତ୍ତା ଭାବେ ଦଳ ପାଇଁ ପରଦା ପଛରେ ରହି କାମ କରୁଥିବା ରମେଶ ଏବେ ୱାର୍ଡ ନମ୍ବର ୧୩ ପାଇଁ ଜଣେ ପ୍ରାର୍ଥୀ ଭାବେ ରାଜନୀତିର ସମ୍ମୁଖ ଭାଗକୁ ଆସିଛନ୍ତି। ୫୦ ବର୍ଷୀୟ ରମେଶ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଏବଂ ଗତ ୨୮ ବର୍ଷ ଧରି ଜିଲ୍ଲା କାର୍ଯ୍ୟାଳୟରେ ନିୟମିତ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେଠାରେ ତାଙ୍କର ମୁଖ୍ୟ କାମ ଥିଲା ଅଫିସର ଦେଖାଶୁଣା କରିବା ଏବଂ ବରିଷ୍ଠ ନେତା ତଥା କର୍ମକର୍ତ୍ତାମାନଙ୍କୁ ଚା’ ଓ ପାଣି ପରଷିବା।
ରମେଶ ଭିଲ୍ଙ୍କୁ ପ୍ରାର୍ଥୀ କରିବା ଦଳର ନେତୃତ୍ୱଙ୍କ ଏକ ରଣନୀତିକ ନିଷ୍ପତ୍ତି ବୋଲି କୁହାଯାଉଛି, ଯାହା ମାଧ୍ୟମରେ ଦଳ ନିଜର “କର୍ମକର୍ତ୍ତା ପ୍ରଥମ” ଆଦର୍ଶର ବାର୍ତ୍ତା ଦେବାକୁ ଚାହୁଁଛି। ଦଳର ସ୍ଥାନୀୟ ନେତାମାନଙ୍କ କହିବା ଅନୁଯାୟୀ, ଦଳ ପ୍ରତି ରମେଶଙ୍କ ଦୀର୍ଘ ଦିନର ନିଷ୍ଠା ଏବଂ ତୃଣମୂଳ ସ୍ତରର କର୍ମୀଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ଯୋଗୁଁ ତାଙ୍କୁ ଏହି ୱାର୍ଡ ପାଇଁ ଏକ ସ୍ୱତନ୍ତ୍ର ପସନ୍ଦ ଭାବେ ବଛାଯାଇଛି।
ପ୍ରାର୍ଥୀ ପତ୍ର ଦାଖଲ ପରେ ଭିଲ କହିଛନ୍ତି ଯେ, “ ଦୀର୍ଘ ୨୮ ବର୍ଷ ହେବ ମୁଁ ପୁରା ନିଷ୍ଠାର ସହ ଦଳର ନେତୃତ୍ୱଙ୍କର ସେବା କରିଛି । ବର୍ତ୍ତମାନ ଦଳ ମୋତେ ମୋ ୱାର୍ଡବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛି । ସେହି ସମାନ ନିଷ୍ଠାର ସହ ମୋତେ ମିଳିଥିବା ଏହି ନୂଆ ଦାୟିତ୍ୱକୁ ମୁଁ ନିଷ୍ଠାର ସହ ତୁଲାଇବି । ”
ପୌର ନିର୍ବାଚନର ଲଢ଼େଇ ଯେତିକି ଜୋରଦାର ହେଉଛି, ରମେଶ ଭିଲ୍ଙ୍କ ପ୍ରାର୍ôଥତ୍ୱ ସେତିକି ଅଧିକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅନେକ ସ୍ଥାନୀୟ ବାସିନ୍ଦା ତାଙ୍କୁ ନିଜ ଭିତରର ଜଣେ ବୋଲି ଭାବୁଛନ୍ତି, ଯିଏ କି ସାଧାରଣ ଜନତାଙ୍କ ଦୈନନ୍ଦିନ ସମସ୍ୟାକୁ ଭଲ ଭାବେ ବୁଝିପାରିବେ ।
