ସେବି ବିରୋଧରେ ସାହାରାର ବହୁସଂଖ୍ୟକ କର୍ମଚାରୀ ଓ ନିବେଶକଙ୍କ ଆନ୍ଦୋଳନ


ଭୁବନେଶ୍ୱର,: ଆଜି ସାହାରାର କର୍ମଚାରୀ ଓ ଅନେକ ନିବେଶକମାନେ ସେବି ବିରୋଧରେ ଭୁବନେଶ୍ୱର ଲୋୟର୍ ପିଏମ୍‌ଜିର ଧାରଣା ସ୍ଥଳରେ ଆନ୍ଦୋଳନ କରିଛନ୍ତି । ଆମେ କର୍ମଚାରୀ ଓ ନିବେଶକମାନେ କିଛି ଯୋଜନା ମାଧ୍ୟମରେ ସାହାରା ସହିତ ଜଡିତ ରହିଛୁ ଏବଂ ବିଗତ ୨୫ରୁ ୩୦ ବର୍ଷ ହେବ ସାହାରା ଇଣ୍ଡିଆରୁ ରୋଜଗାର ହାସଲ କରୁଛୁ । କିନ୍ତୁ ସାହାରା-ସେବି ବିବାଦ କାରଣରୁ ଗତ ୮ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସମଗ୍ର ସାହାରା ଗ୍ରୁପ୍ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ ଦେୟରେ ବିଳମ୍ବ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଆମର ରୋଜଗାରକୁ ବହୁଳ ମାତ୍ରାରେ ପ୍ରଭାବିତ କରିଛି । ଏତେ ମାତ୍ରାରେ ପ୍ରଭାବିତ କରିଛି ଯେ, ଆମର ନିବେଶକମାନେ ଆମକୁ ନୂଆ ବ୍ୟବସାୟ ଦେଉନାହାନ୍ତି କାରଣ ସେମାନଙ୍କର ପୁରୁଣା ପରିଶୋଧରେ ବିଳମ୍ବ ହୋଇଛି । ଏହାଦ୍ୱାରା ଆମର ଆୟ ଶୂନ ହେବାକୁ ବସିଛି । ଫଳ ସୁରୂପ ଆମର ଲକ୍ଷ ଲକ୍ଷ କାର୍ଯ୍ୟକର୍ତା ଏବେ ଅନାହାର ଓ ବେକାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଗତ ୮ ବର୍ଷ ମଧ୍ୟରେ ଆଂଚଳିକ ଓ ଜାତୀୟ ଖବରକାଗଜଗୁଡିକରେ ୪ଟି ପର୍ଯ୍ୟାୟର ବିଜ୍ଞାପନ ଦେବା ସତ୍ୱେ, ସେବି ପକ୍ଷରୁ ସୁଧ ସହିତ ମାତ୍ର ୧୨୫ କୋଟି ଟଙ୍କା ପରିଶୋଧ କରାଯାଇଛିି । ମାନ୍ୟବର ସୁପ୍ରିମକୋର୍ଟରେ ଚଳିତ ବର୍ଷ ଆରମ୍ଭରେ ଦାଖଲ କରାଯାଇଥିବା ଏକ ଷ୍ଟାଟସ୍ ରିପୋର୍ଟରେ ସେବି ଏହାକୁ ସ୍ୱୀକାର କରିଛି । ୨୬.୦୩.୨୦୧୮ରେ ପ୍ରକାଶିତ ସେବିର ବିଜ୍ଞାପନର ପ୍ରତିକ୍ରିୟାରେ , ଏହା ୧୯,୫୯୮ ଜଣ ନିବେଶକଙ୍କଠାରୁ ପରିଶୋଧ ଆବେଦନ ଗ୍ରହଣ କରିଛି । ଏଗୁଡିକ ମୂଳ ଆବେଦନ ସହିତ ସଂଲଗ୍ନ ହୋଇ ଆସିଥିଲା । ଏହାର ପ୍ରତିକ୍ରିୟାରେ, ସେବି ଆସିଥିବା ୧୬,୬୬୩ ଜଣ ଆବେଦନକାରୀଙ୍କୁ ସୁଧ ସହିତ ୧୨୫ କୋଟି ଟଙ୍କା ପରିଶୋଧ କରିଥିଲା । ଏହା ଦର୍ଶାଉଛି ଯେ, ସମସ୍ତ ନିବେଶକମାନେ ସେବିକୁ ପରିଶୋଧ ପାଇଁ ଆବେଦନ କରିନଥିଲେ । ଏବଂ ସେମାନେ ଯେତେବେଳେ ନିଜର ଟଙ୍କା ଫେରିପାଇସାରିଛନ୍ତି, ସେମାନେ କାହିଁକି ସେବି ନିକଟକୁ ଯିବେ?
କିନ୍ତୁ ସେବିର ଜିଦ୍ ମନୋଭାବ ଯୋଗୁଁ ଆମର ଲକ୍ଷ ଲକ୍ଷ କାର୍ଯ୍ୟକର୍ତା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତମାନ ଯେତେବେଳେ ସେବିର କୌଣସି ନିବେଶକଙ୍କ ପାଇଁ କୌଣସି ପ୍ରକାରର ବକେୟା ପରିଶୋଧ ରହିନାହିଁ , ତେବେ ଏହା ଏକ ଆଫିଡେଭିଟ୍ ଦାଖଲ କରିବା ଉଚିତ ଯେ, ଏହାର ପରିଶୋଧ ପାଇଁ କୌଣସି ନିବେଶକ ଅପେକ୍ଷା କରିନାହାନ୍ତି । ପରେ ହୁଏତ ଏହା ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ସାହାରାର ସମସ୍ତ କମ୍ପାନୀ ଏବଂ ସାହାରା-ସେବି ଆକାଉଂଟ୍‌ରୁ ସାହାରା ୨୪୦୦୦ କୋଟି ଟଙ୍କା (ସୁଧ ସହିତ) ଗ୍ରହଣ କରିବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇପାରେ । ଏହାଦ୍ୱାରା ସମସ୍ତ ସମ୍ମାନିତ ନିବେଶକ ଓ ଜମାକାରୀଙ୍କୁ ନିୟମିତ ପରିଶୋଧ କରାଯାଇପାରିବ ।


Share It

Comments are closed.