୨୦୨୨ ଆଇପିଏଲ୍ ନିଲାମ, ରୋହିତ, ପନ୍ତ, ଜାଡେଜା, ଆନ୍ଦ୍ରେ ରସେଲ ସବୁଠୁ ଦାମୀ ଖେଳାଳି


ଆଗାମୀ ଆଇପିଏଲ-୧୫ର ଖେଳାଳି ନିଲାମ ପାଇଁ ଇତି ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ନିଜ ନିଜ ପସନ୍ଦର ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ି ଦେଇଛନ୍ତି । ୮ଟି ଯାକ ଫ୍ରାଞ୍ଚାଇଜ୍‌ ଆଗାମୀ ସିଜନ ପାଇଁ ଦଳରେ ରଖିଥିବା ଖେଳାଳିଙ୍କ ତାଲିକା ଘୋଷଣା କରିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ସର୍ବାଧିକ ୪ଜଣ ଲେଖାଏଁ ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ିଛନ୍ତି । ପଞ୍ଜାବ କିଙ୍ଗ୍‌ସ ଦଳରୁ ଚର୍ଚ୍ଚିତ ବ୍ୟାଟ୍ସମ୍ୟାନ୍‌ ତଥା ଅଧିନାୟକ ଲୋକେଶ ରାହୁଲ ଓହରି ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ନିଷ୍ପତ୍ତି ନେବା ପରେ ଫ୍ରାଞ୍ଚାଇଜ୍‌ ସର୍ବନିମ୍ନ ୨ଜଣ ଖେଳାଳିଙ୍କୁ ରଖି ବାକି ସବୁ ଖେଳାଳିଙ୍କୁ ବାଦ ଦେଇଛି ।

ମୟଙ୍କ ଅଗ୍ରୱାଲ୍‌ ଓ ଯୁବ ପେସ୍‌ ବୋଲର ଅର୍ଶଦୀପ ସିଂହଙ୍କୁ ଫ୍ରାଞ୍ଚାଇଜ ରଖିଛି । ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ବାବଦରେ ୧୪କୋଟି, ଜୋସ ବଟଲରଙ୍କ ପାଇଁ ୧୦କୋଟି, ଯଶସ୍ୱୀ ଜୈସ୍ୱାଲଙ୍କ ପାଇଁ ୪ କୋଟି ଟଙ୍କା ବ୍ୟୟ କରିଛି । ସନରାଇଜର୍ସ ୱିଲିୟମସନଙ୍କ ପାଇଁ ୧୪କୋଟି, ଉମ୍ରାନ ଓ ଅବଦୁଲ ସମଦଙ୍କ ପାଇଁ ୪କୋଟି ଟଙ୍କା ଲେଖାଏଁ ବ୍ୟୟ କରିଛି । ଖେଳାଳି ରିଟେନ ପ୍ରକ୍ରୀୟାରେ ଦିଲ୍ଲୀ କ୍ୟାପିଟାଲ୍ସ ସର୍ବାଧିକ ୪୨.୫୦ କୋଟି ଟଙ୍କା ବ୍ୟୟ କରିସାରିଛି । ରିଷଭ ପନ୍ତଙ୍କ ବାବଦରେ ୧୬କୋଟି, ଅକ୍ଷର ପଟେଲଙ୍କ ବାବଦରେ ୧୨କୋଟି, ପୃଥ୍ୱୀ ଶ’ଙ୍କ ପାଇଁ ୮କୋଟି ଓ ଆନରିଚ ନର୍ଜଙ୍କ ପାଇଁ ୬.୫ କୋଟି ଟଙ୍କା ବ୍ୟୟ କରିସାରିଛି । ସୁପରକିଙ୍ଗ୍‌ସ ରବିନ୍ଦ୍ର ଜାଡେଜାଙ୍କ ପାଇଁ ୧୬କୋଟି, ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ୧୨କୋଟି, ମୋଇନ ଅଲିଙ୍କ ପାଇଁ ୮କୋଟି ଓ ଋତୁରାଜ ଗାଏକୱାଡଙ୍କ ପାଇଁ ୬କୋଟି ଟଙ୍କା ବ୍ୟୟ କରିଛି ।

ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ପାଇଁ ୧୬କୋଟି, ଜଶପ୍ରୀତ ବୁମରାଙ୍କ ପାଇଁ ୧୨କୋଟି, ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ୮କୋଟି ଓ କିରେନ ପୋଲାର୍ଡଙ୍କ ପାଇଁ ୬ କୋଟି ଟଙ୍କା ବ୍ୟୟ କରିଛି । କୋଲକାତା ନାଇଟ ରାଇଡର୍ସ ଆନ୍ଦ୍ରେ ରସେଲଙ୍କ ବାବଦରେ ୧୬ କୋଟି, ବରୁଣ ଚକ୍ରବର୍ତ୍ତୀଙ୍କ ବାବଦରେ ୧୨କୋଟି, ଭେଙ୍କଟେଶ ଆୟରଙ୍କ ପାଇଁ ୮କୋଟି ଓ ସୁନିଲ ନାରାଏନଙ୍କ ପାଇଁ ୬କୋଟି ଟଙ୍କା ବ୍ୟୟ କରିସାରିଛି । ବିରାଟ କୋହଲିଙ୍କୁ ରଖିବା ବାବଦରେ ୧୫କୋଟି, ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ବାବଦରେ ୧୧କୋଟି ଓ ମହମ୍ମଦ ସିରାଜଙ୍କ ବାବଦରେ ୭କୋଟି ଟଙ୍କା ବ୍ୟୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ । ଖେଳାଳି ରିଟେନ କରିବା ପାଇଁ ଫ୍ରାଞ୍ଚାଇଜ ମୋଟ୍‌ ୩୩କୋଟି ଟଙ୍କା ବ୍ୟୟ କରିଛି ।


Share It

Comments are closed.