ନିଜର ମନ୍ତବ୍ୟକୁ ନେଇ ଟ୍ୱିଟରେ କ୍ଷମା ପ୍ରାର୍ଥନା କଲେ ବିରାଟ


ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ବିଦେଶ ଖେଳାଳୀଙ୍କୁ ପସନ୍ଦ କରୁଥିବା ଲୋକେ ଦେଶ ଛାଡି ପଳାଇବା ଉଚିତ ବୋଲି ଦେଇଥିବା ବୟାନ ଉପରେ ଆଜି ନିଜର ସ୍ପଷ୍ଟିକରଣ ରଖିଛନ୍ତି । ବିରାଟଙ୍କ ଏହି ବୟାନ ପରେ ଅନେକ ଦେଶପ୍ରେମୀଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବିମାନେ ତାଙ୍କୁ ସମାଲୋଚନା ମଧ୍ୟ କରିଥିଲେ, ଯାହା ଫଳରେ ସେ ପୁଣି ଥରେ ଦେଇଥିବା ନିଜ ବୟାନ ଉପରେ ସ୍ପଷ୍ଟିକରଣ ରଖିଛନ୍ତି ।
ନିଜର ସ୍ପଷ୍ଟିକରଣରେ ସେ ଟ୍ୱିଟରରେ ଲେଖିଛନ୍ତି ଯେ, “ବନ୍ଧୁମାନେ ମୋତେ ଲାଗୁଛି ଯେ, ଏହି ସମାଲୋଚନା ମୋତେ ହିଁ କରାଯାଉଛି, ମୁଁ ସମାଲୋଚିତ ହୋଇ ସନ୍ତୁଷ୍ଟ ମଧ୍ୟ ରହିଛି । ମୁଁ କମେଣ୍ଟରେ ଦେଖିଥିବା ସେହି ଭାରତୀୟଙ୍କ ବିଷୟରେ କେବଳ କହିଥିଲି, ନଚେତ ଆଉ କିଛି ନୁହେଁ । ମୁଁ ସବୁବେଳେ ସ୍ୱାଧୀନତାର ପକ୍ଷରେ ଅଟେ । ବନ୍ଧୁମାନେ ବର୍ତ୍ତମାନ ପାର୍ବଣ ଋତୁର ଆନନ୍ଦ ନିଅନ୍ତୁ ଏବଂ ଶାନ୍ତ ରୁହନ୍ତୁ । ”

ପ୍ରକାଶ ଥାଉକି, ବିରାଟ ତାଙ୍କର ଜନ୍ମଦିନ ଅବସରରେ ନିଜର ଏକ ଆପ ଲଞ୍ଚ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ କି ଯେଉଁ ଭାରତୀୟଙ୍କୁ ଅନ୍ୟ ଦେଶର ଖେଳାଳୀଙ୍କୁ ପସନ୍ଦ କରନ୍ତି, ତେବେ ସେମାନେ ଦେଶ ଛାଡି ପଳାଇବା ଉଚିତ । ତାଙ୍କର ଏହି ବୟାନ ପରେ ବିରାଟ କେବଳ ସୋସିଆଲ ମିଡିଆରେ ସମାଲୋଚିତ ହୋଇନଥିଲେ ଏହା ସହ ତାଙ୍କର ରାଷ୍ଟ୍ରପ୍ରେମ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା ।
ସେପଟେ ବିରାଟଙ୍କ ଏହି ବୟାନ ପରେ ବିସିସିଆଇ ଅସନ୍ତୁଷ୍ଟତା ମଧ୍ୟ ପ୍ରକାଶ କରିଛି । ମିଳିଥିବା ସୂଚନା ମୁତାବକ ବିସିସିଆଇ କହିଛି ଯେ, ବିରାଟଙ୍କ ଏହି ବୟାନ ଅତ୍ୟନ୍ତ ନିନ୍ଦନୀୟ । ସେ ବର୍ତ୍ତମାନ ସତର୍କତା ଅବଲମ୍ବନ କରିବା ଉଚିତ । ସେ ଏହା ଭାବିବା ଉଚିତ ଯେ, ସେ ଭାରତୀୟ ପ୍ରସଂଶକଙ୍କ ଯୋଗୁଁ ରୋଜଗାର କରୁଛନ୍ତି ।


Share It

Comments are closed.