ଏବେ ଅସହାୟ ବ୍ୟକ୍ତି, ଡାକ୍ତର ଏବଂ ଆଗ ଧାଡିର କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇବେ ବରୁଣ, ପୂର୍ବରୁ କରି ସାରିଥିଲେ ୫୫ ଲକ୍ଷ ଦାନ


ମହାମାରୀ କରୋନା ଭାଇରସ ବିରୋଧରେ ସାରା ବିଶ୍ୱ ଠାରୁ ଆରମ୍ଭ କରି ସମସ୍ତ ଦେଶ ଲଢେଇ କରୁଥିବାବେଳେ ଏହି ମଧ୍ୟରେ ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମହାମାରୀ ଭାଇରସକୁ ପ୍ରତିହତ କରିବା ପାଇଁ ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ଏହି ମଧ୍ୟରୁ ବର୍ତ୍ତମାନ ୧୫ ଦିନ ବିତିଗଲାଣି । ଭାରତରେ ବର୍ତ୍ତମାନ ସୁଧା ୫ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ ଥିବାବେଳେ ଏହି ଭାଇରସର ସଂକ୍ରମଣ କାରଣରୁ ଦେଶରେ ୧୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ମଧ୍ୟ ହୋଇ ସାରିଲାଣି ।

କରୋନା ବିରୋଧୀ ମୁକାବିଲାରେ ଦେଶର ବିଶିଷ୍ଟ କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତ ଯୋଗଦାନ ଦେଇଥିବାବେଳେ ବଲିଉଡ ଅଭିନେତା ବରୁଣ ଧାୱନ ପୁଣିଥରେ ସହାୟତାର ହାତ ବଢାଇଛନ୍ତି ଏବଂ ଯେଉଁଲୋକମାନଙ୍କ ପାଖରେ ଆଶ୍ରୟସ୍ଥଳୀ ଏବଂ ଚାକିରୀ ନାହିଁ ସେହିମାନଙ୍କୁ ମାଗଣାରେ ଖାଇବା ପ୍ରଦାନ କରିବା ପାଇଁ ସେ ଶପଥ ନେଇଛନ୍ତି । ଏହା ସହ ବରୁଣ, ଡାକ୍ତର, ହସ୍ପିଟାଲ କର୍ମଚାରୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମଧ୍ୟ ଖାଦ୍ୟ ଯୋଗାଇବେ । ସେ ଏହି ମହତ କାର୍ଯ୍ୟ ତାଜ ପବ୍ଲିକ ସର୍ଭିସ ୱେଲଫେୟାର ମାଧ୍ୟମରେ କରିବେ ।

ପ୍ରକାଶ ଥାଉକି, ଏହା ପୂର୍ବରୁ ବରୁଣ ପିଏମ କେୟାରସ ଫଣ୍ଡକୁ ୩୦ ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ୨୫ ଲକ୍ଷ ଦାନ କରି ସାରିଛନ୍ତି ।


Share It

Comments are closed.