ଚୀନ୍‌ର ଉହାନରେ ୭୬ ଦିନ ପରେ ହଟିଲା ଲକ୍‌ଡାଉନ୍


ନୂଆଦିଲ୍ଲୀ,୮ ଏପ୍ରିଲ ୨୦୨୦: ବିଶ୍ୱରେ ଗୋଟିଏ ପଟେ କରୋନା ଭାଇରସ୍‌ର ଆତଙ୍କ ଜାରି ରହିଥିବା ବେଳେ ଚୀନ୍‌ର ଉହାନ୍ ସହରରୁ ଲକ୍‌ଡାଉନ୍ ଶେଷ କରାଯାଇଛି । ଏହା ସେହି ସହର ଯେଉଁଠାରୁ ଏହି ମାରାତ୍ମକ ଭୁତାଣୁର ସଂକ୍ରମଣ ଆରମ୍ଭ ହୋଇଥିଲା । ଚୀନ୍‌ର ଉହାନ ସହରରେ ଗତ ୧୧ ସପ୍ତାହ ହେବ ଲକ୍‌ଡାଉନ୍ ଜାରି ରହିଥିଲା । ତେବେ ୭୬ ଦିନ ପରେ ଏଠାରୁ ଲକ୍‌ଡାଉନ୍ ହଟାଯାଇଛି । ଚୀନ୍ ପରେ ଅନ୍ୟ ଦେଶଗୁଡିକରେ କରୋନା ଭୁତାଣୁ ବ୍ୟାପିବା ପରେ ଏବେ ବିଶ୍ୱର ଅଧିକାଂଶ ସହରରେ ଲକ୍‌ଡାଉନ୍ ଜାରି ରହିଛି । ଚୀନ୍‌ରେ ପ୍ରଥମ ଥର ପାଇଁ ଜାନୁଆରୀରେ କରୋନା ଭାଇରସ୍ ସହ ଜଡିତ ତଥ୍ୟ ପ୍ରକାଶିତ ହୋଇଥିଲା । ଏହାପରେ ପ୍ରଥମ ଥର ପାଇଁ ଗତକାଲି ଏଠାରେ ଏହି ମହାମାରୀରେ ଜଣେ ମଧ୍ୟ ଲୋକଙ୍କ ମୃତ୍ୟୁ ମାମଲା ସାମ୍‌ନାକୁ ଆସିନାହିଁ । ତେଣୁ ଲକ୍‌ଡାଉନ୍ ଖୋଲିବା ପରେ ଏବେ ସ୍ଥାନୀୟ ପ୍ରଶାସନ କରୋନା ସଂକ୍ରମଣର କେନ୍ଦ୍ର ଥିବା ଏହି ଉହାନ ସହରକୁ ବାହାର ଲୋକଙ୍କ ଯାତାୟତ ପାଇଁ ଅନୁମତି ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏଠାରେ ଆଜିଠାରୁ ରେଳ ଓ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି ।
ଗୋଟିଏ ପଟେ ଉହାନ୍ ସହରରୁ ଲକ୍‌ଡାଉନ୍ ହଟାଯାଇଥିବା ବେଳେ ଅନ୍ୟପକ୍ଷରେ ଚୀନ୍‌ରେ କରୋନା ଭାଇରସ୍ ପୁଣିଥରେ ଫେରିବା ଘଟଣାକୁ ନେଇ ଚିନ୍ତା ବୃଦ୍ଧି ପଇଛି । ଏଠାରେ ବିଦେଶରୁ ସଂକ୍ରମିତ ହୋଇ ଆସିଥିବା ୩୨ଟି ନୂଆ ମାମଲା ଦେଖିବାକୁ ମିଳିଛି । ଚୀନ୍‌ରେ ସରକାରୀ ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩୧ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଚୀନ୍‌ର ଉହାନ ସହରରେ ପ୍ରଥମ ଥର ପାଇଁ ଗତବର୍ଷ ଡିସେମ୍ବରରେ କରୋନା ଭୁତାଣୁ ସଂକ୍ରମଣ ମାମଲା ସାମ୍‌ନାକୁ ଆସିଥିଲା । ଏହାପରେ ଏହି ମହାମାରୀ ଜଙ୍ଗଲର ନିଆଁ ଭଳି ଏବେ ସମଗ୍ର ବିଶ୍ୱରେ ବ୍ୟାପିଯାଇଛି ।


Share It

Comments are closed.