ରାଜ୍ୟରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୨ – ଓଡିଶାରେ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ(ଏନଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏୱାଇ) ଲାଗୁ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଯୋଜନା ଗୁଡିକ ଓଡିଶାବାସୀଙ୍କ ଜୀବନରେ ଉନ୍ନତି ଆଣିବାରେ ଅପାର ସମ୍ଭାବନାର ସୁଯୋଗ ରଖିଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଚଳିତବର୍ଷ ଅଗଷ୍ଟ ୧୫ ତାରିଖ ତଥା ୭୪ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରୁ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କରିଥିଲେ । ଏହି ମିଶନ ଟେକ୍ନୋଲୋଜି ମାଧ୍ୟମରେ ଆମ ରାଜ୍ୟର ପ୍ରବାସୀଙ୍କ ସମେତ ଦେଶର ସମସ୍ତ ନାଗରିକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାରେ ସହାୟକ ହେବ ବୋଲି ସେ କହିଥିଲେ ।
ସ୍ୱେଚ୍ଛାକୃତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତିଭୂମି ତିଆରି କରିବ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୂରଦୃଷ୍ଟିରେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି(ୟୁଏଚ୍‌ଆଇଡି) ମାଧ୍ୟମରେ ଇ-ଗଭର୍ଣ୍ଣାସରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ନୂଆ ସ୍ତରକୁ ନେଇଯିବ । ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକମାନେ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଯଥା ମେଡିକାଲ ପରୀକ୍ଷା, ପୂର୍ବ ଔଷଧୀୟ ସୂଚି, ରୋଗ ନିରାକରଣ, ଚିକିତ୍ସା ଉପଚାର, ସବୁ ସ୍ୱାସ୍ଥ୍ୟସେବା ରେକର୍ଡର ସୁବିଧା ଇତ୍ୟାଦି ପାଇପାରିବେ ।
ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି ମାଧ୍ୟମରେ ଦେଶର ଲୋକମାନେ ଯେକୌଣସି ସ୍ଥାନରେ ଡାକ୍ତରଙ୍କୁ ଖୋଜି ପାଇପାରିବେ, ସେମାନଙ୍କ ଠାରୁ ସାକ୍ଷାତକାର୍ କରିବା ପାଇଁ ସମୟ ନେଇପାରିବେ, ପେମେଂଟ୍ କରିପାରିବେ, ପ୍ରେସ୍କିପସନ୍‌କୁ ନେଇ ଡାକ୍ତରଙ୍କ ପରାମର୍ଶ ନେବା ସହ ଦେଖା ମଧ୍ୟ କରିପାରିବେ । ଏହା ଦ୍ୱାରା ସମସ୍ତେ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତରୁ ଉନ୍ନତମାନର ସ୍ୱାସ୍ଥ୍ୟସେବାର ଲାଭ ପାଇପାରିବେ । ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ଓ ଏଥିରେ ସ୍ୱାସ୍ଥ୍ୟସେବା ପାଇବାରେ ସମସ୍ୟାର ସାମ୍ନା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାରେ ଟେକ୍ନୋଲୋଜି ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ କେବଳ ଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଦକ୍ଷତା, କାର୍ଯ୍ୟକାରିତା ଏବଂ ସ୍ୱଚ୍ଛତାକୁ ଉନ୍ନତ କରିବ ନାହିଁ ବରଂ ଆର୍ଥିକ ସଂକଟରୁ ରକ୍ଷା କରିବ । ଏହାସହ ଜାତି ସଂଘର ସଷ୍ଟେନେବୁଲ୍ ଡେଭଲପମେଂଟ୍ ଗୋଲ ୩.୮ରେ ସୂଚିତ ଥିବା ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା ଦିଗରେ ମଧ୍ୟ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଅଗ୍ରସର ହେବ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ‘ସୁସ୍ଥ ଭାରତ’ ଦ୍ୱାରା ଆତ୍ମନିର୍ଭର ଭାରତର ନିର୍ମାଣ ହେଉ ; ବିଶେଷ ଭାବରେ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆମ ସମସ୍ତଙ୍କ କଳ୍ପନା ରହିଛି । ସାଂପ୍ରତିକ ସମୟରେ କୋଭିଡ-୧୯ ମହାମାରୀରେ ବାହାରେ କାମ କରୁଥିବା ଲୋକମାନେ ସାମାଜିକ କଲ୍ୟାଣକାରୀ ଯୋଜନା ପାଇବାରେ ଅସୁବିଧା ଭୋଗୁଛନ୍ତି । ଦେଶବ୍ୟାପୀ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ପରିଚୟ ପ୍ରବାସୀ ତଥା ବାହାରେ କାମ କରୁଥିବା ଲୋକଙ୍କୁ ଲାଭ ଦେବ । ଏହାଦ୍ୱାରା ସ୍ୱାସ୍ଥ୍ୟସେବା ପାଉନଥିବା ଦୁର୍ଗମ ଅଂଚଳରେ ରହୁଥିବା ଲୋକମାନେ ମଧ୍ୟ କମ୍ ମୂଲ୍ୟରେ ଉତମ ସ୍ୱାସ୍ଥ୍ୟସେବାର ସୁବିଧା ପାଇପାରିବେ । ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ସଂସ୍ଥାକୁ ମଧ୍ୟ ସଶକ୍ତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଜାତୀୟ ସ୍ୱାସ୍ଥ୍ୟ ବିଭାଗ(ଏନ୍‌ଏଚ୍‌ଏ୍‌) ଦ୍ୱାରା ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନକୁ ବିକଶିତ କରାଯାଇଛି । ଏହାକୁ କେନ୍ଦ୍ରଶାସିତ ଅଂଚଳ ଯଥା ଚଣ୍ଡିଗଡ, ଲଦାଖ, ଦାଦ୍ରା ଏବଂ ନଗରହାବେଳି, ଡାମନ ଏବଂ ଡିଉ, ପୁଡୁଚେରି, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଲାକ୍ଷାଦୀପରେ ପାଇଲଟ୍ ମୋଡରେ ଲାଗୁ କରାଯାଉଛି ।
ରାଜ୍ୟରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଗଲେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ସ୍ୱାସ୍ଥ୍ୟସେବା ଅଧକରୁ ଅଧିକ ଲୋକଙ୍କୁ ଲାଭ ଦେବ । ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ଆୟୁଷ୍ମାନ ଭାରତ ବିଶ୍ୱର ସର୍ବବୃହତମ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଏବଂ ଗରିବଙ୍କ ପାଇଁ ସୁଯୋଗ ଓ ଗେମ୍ ଚେଞ୍ଜର ହେବ । ଏହି ଯୋଜନାରେ ଓଡିଶାର ୬୦ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ସମେତ ଦେଶର ୫୦ କୋଟି ହିତାଧିକାରୀଙ୍କୁ ଅନ୍ତର୍ଭୃକ୍ତ କରିବାର ଯୋଜନା ରହିଛି ।
ଶ୍ରୀ ପ୍ରଧାନ ଏବଂ ଓଡିଶାର ଜନପ୍ରତିନିଧି ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପୂର୍ବରୁ ଅନୁରୋଧ କରିଥିଲେ । ତେଣୁ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିବା ସହ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନକୁ ଲାଗୁ କରିବା ପାଇଁ ସମର୍ଥନ ଦେବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମ ଲାଗୁ ହେଲେ ଓଡିଶାର ଲୋକମାନେ ସଠିକ୍ ସମୟରେ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।


Share It

Comments are closed.