କରୋନା ଭାଇରସରେ ଆକ୍ରାନ୍ତ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ


ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାବେଳେ ବ୍ରିଟେନରେ ସକାଳୁ ନେଇ ବର୍ତ୍ତମାନ ମୋଟ ୯,୫୨୯ ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ବ୍ରିଟେନରେ ବର୍ତ୍ତମାନ ଏହି ଭାଇରସର ସଂକ୍ରମଣ ୪୬୩ ଜଣଙ୍କର ମୃତ୍ୟୁ ହୋଇ ସାରିଥିବାବେଳେ ଇଂଲଣ୍ଡର ମୁଖ୍ୟ ଚିକିତ୍ସକ ଅଧିକାରୀ ପ୍ରଫେସର କ୍ରିସ ୱିଟି କହିଛନ୍ତି ଯେ, ଏହି ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ବ୍ରିଟେନ ସରକାରଙ୍କ ଗତ ବୟାନ ଅନୁସାରେ, ସରକାର କୋଭିଡ-୧୯ ସଂକ୍ରମଣ ପରୀକ୍ଷାର ସଂଖ୍ୟା ବଢାଇବା ପାଇଁ କାମ କରୁଛନ୍ତି । ପବ୍ଲିକ ହେଲଥ ଇଂଲଣ୍ଡ ଏବଂ ନ୍ୟାସନାଲ ହେଲଥ ସର୍ଭିସ ମିଳିତ ଭାବେ ଗୋଟିଏ ଦିନରେ ୨୫ ହଜାର ପର୍ଯ୍ୟନ୍ତ ପରୀକ୍ଷା କରାଇ ପାରିବେ । ମଙ୍ଗଳବାର ସୁଧା ଦେଶର ସମସ୍ତ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଏବଂ ସାମାଜିକ ଯତ୍ନ ବିଭାଗ ପକ୍ଷରୁ ୧.୫ କୋଟି ଫେଓ ମାସ୍କ ବଣ୍ଟନ କରାଯିବ ।

ସୂଚନା ମୁତାବକ, ଏହା ପୂର୍ବରୁ ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚାର୍ଲସଙ୍କ ମୁଖପାତ୍ର କହିଥିଲେ । କେବଳ ସେ ନୁହେଁ ଯୁବରାଣୀ କାମିଲା ପାର୍କରଙ୍କର ମଧ୍ୟ ପରୀକ୍ଷା ହୋଇଥିଲା, କିନ୍ତୁ ସେ ସଂକ୍ରମିତ ହୋଇ ନଥିବା ଜଣାଯାଇଥିଲା । ଡ୍ୟୁକ ଅଫ କର୍ନଓ୍ୱାଲ ଭାରେ ପରିଚିତ ପ୍ରିନ୍ସ ଚାର୍ଲସଙ୍କ ନମୁନା ପରୀକ୍ଷା ପଜିଟିଭ ବାହାରି ଥିଲେ ମଧ୍ୟ ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ଓ ସେ ନିଜର ସ୍ୱାଭାବିକ କାର୍ଯ୍ୟ କରୁଛନ୍ତି । ତେବେ ସେ ସ୍କଟଲାଣ୍ଡରେ ଏକାନ୍ତବାସରେ ରହୁଛନ୍ତି ବୋଲି ତାଙ୍କ ଅଫିସ ପକ୍ଷରୁ ସୂଚନା ଦିଅ ଯାଇଥିଲା ।


Share It

Comments are closed.