ପ୍ଲାଷ୍ଟିକର ବିଷ ବଳୟରେ ଆକ୍ରାନ୍ତ ସମ୍ପୂର୍ଣ୍ଣ ପୃଥିବୀ

ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଏବେ ପ୍ଲାଷ୍ଟିକର କୁଢକୁଢ ଆବର୍ଜନା ଦେଖିବାକୁ ମିଳୁଛି । ଏହା କୌଣସି ଦେଶରେ ସୀମିତ ହୋଇ ରହିନାହିଁ । ସାରା ବିଶ୍ୱରେ ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ଭାବେ ଉଭା ହୋଇଛି । କେବଳ ସ୍ଥଳ ଭାଗ ନୁହେଁ, ସାଗର ଓ ମହାସାଗରର ବିଶାଳ ଜଳରାଶି ମଧ୍ୟ ଏହି ପ୍ଲାଷ୍ଟିକର ବିପଦରୁ ବର୍ତ୍ତିପାରି ନାହିଁ ।
ସଂପ୍ରତି ଆନ୍ତର୍ଜାତିକ ସ୍ତରରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି, ୧୯୫୦ ମସିହାରୁ ବର୍ତ୍ତମାନ ଯାଏଁ ମଣିଷ ୮.୩ ବିଲିୟନ ମେଟ୍ରିକ ଟନ ପ୍ଲାଷ୍ଟିକ ତିଆରି କରିସାରିଲାଣି । କେବଳ ଷ୍ଟିଲ ଓ ସିମେଣ୍ଟକୁ ଛାଡି ମନୁଷ୍ୟକୃତ ସବୁ ସାମାଗ୍ରୀ ଅପେକ୍ଷା ପ୍ଲାଷ୍ଟିକର ପରିମାଣ ଅତ୍ୟନ୍ତ ବିପୁଳ । ଏକ ହିସାବରୁ ଜଣାପଡିଛି, ଯେ ଏହି ସମୁଦାୟ ପ୍ଲାଷ୍ଟିକ ବୋଝର ଓଜନ ଫ୍ରାନ୍ସର ୮ଲକ୍ଷ୨୨ହଜାର ଏଫିଲ ଟାୱର୍ର ( ଗୋଟିଏ ୧୦ ହଜାର ଟନ) ଓଜନ ସହିତ ସମାନ ହୋଇଥିବାବେଳେ ଆମେରିକାରର ୨୫ ହଜାର ଏମ୍ପାୟାର ଷ୍ଟେଟ ବିଲିଙ୍ଗ(୩,୩୧ ହଜାର ଟନ) କିମ୍ବା ୮୦ ନିୟୁତ ନୀଳତିମି(୧୦୪.୫) କିମ୍ବା ୧୦୦ କୋଟି ହାତୀର (୭.୫ଟନ) ଭାରି ସହିତ ସମାନ ହେବ ।
ପ୍ଲାଷ୍ଟିକ ବିନା ଏବେ ସଭ୍ୟତାର କଳ୍ପନା କରିବା ଅସମ୍ଭବ । ମାତ୍ର ବିସ୍ମୟର କଥା ଏହାର ବ୍ୟାପକ ଉତ୍ପାଦନ ଓ ବ୍ୟବହାର ବେଶି ବର୍ଷର ନୁହେଁ । ୧୯୫୦ରୁ ଏହା ଉତ୍ପାଦନ ଆରମ୍ଭ ହୋଇଥିଲେ ମଧ୍ୟ ୧୯୬୦ ମସିହା ବେଳକୁ ସର୍ବସାଧାରଣଙ୍କ ବ୍ୟବହାର ଲାଗି ଆସିଲା । ୧୯୫୦ରେ ପ୍ଲାଷ୍ଟିକ ଉତ୍ପାଦିତ ପରିମାଣ କେବଳ ୨ ନିୟୁତ ମେଟ୍ରିକ ଟନ ଥିଲାବେଳେ ୨୧୦୭ରେ ଏହା ୮.୩ ବିଲିଅନ ମେଟ୍ରିକ ଟନ ବା ୮୦୦କୋଟି ୩୦ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ୨୦୫୦ ସୁଦ୍ଧା ଏହାର ଉତ୍ପାଦନ ପରିମାଣ ୩୪ ବିଲିଅନ ମେଟ୍ରିକ ଟନ ହୋଇପାରେ ବୋଲି ଆକଳନ କରାଯାଇଛି ।

Comments are closed.