ସାମାଜିକ ଦୂରତ୍ୱ ଏବଂ ମାର୍ଗଦର୍ଶିକା ଅନୁସାରେ ରବିଧାନ ସଂଗ୍ରହ ଉପରେ ଗୁରୁତ୍ୱାରୋପ କଲେ ଖାଦ୍ୟ ଯୋଗାଣା ମନ୍ତ୍ରୀ


ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ (କୋଭିଡ-୧୯)କୁ ମୁକାବିଲା କରିବା ପାଇଁ ଓଡିଶା ସମେତ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ଯେପରି ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକା ଅନୁପାଳନ କରି ତ୍ୱରାନ୍ୱିତ ହୋଇପାରିବ ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଆଜି ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିସ୍ତୃତ ମାର୍ଗଦର୍ଶିକା ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ନିକଟକୁ ପଠାଇ ଦିଆଯାଇଛି । କୋଭିଡ-୧୯ ପରିସ୍ଥିତିରେ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ପାଇଁ ଏବଂ ଗହଳି ଏଡାଇବା ପାଇଁ ପର୍ଯ୍ୟାପ୍ତ ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବା ଓ ଏଗୁଡିକର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ବିଶେଷ ଦୃଷ୍ଟି ଦେବା ପାଇଁ କୁହାଯାଇଛି ।
ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ପ୍ରଚଳନ କରାଯାଇଥିବା ଅନଲାଇନ ଟୋକନ ବ୍ୟବସ୍ଥା ରବିଧାନ ସଂଗ୍ରହ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ କରାଯିବ । ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଧାନ ସଂଗ୍ରହ କେନ୍ଦ୍ରରେ ସମସ୍ତ ଚାଷୀ, ପ୍ରାଥମିକ କୃଷି ସମବାୟ ସମିତିର ଅଧିକାରୀ, ମିଲର କିମ୍ବା ସେମାନଙ୍କର ପ୍ରତିନିଧ୍‌ô ଏବଂ କାର୍ଯ୍ୟରତ ଶ୍ରମିକମାନେ କଡାକଡି ଭାବରେ ଅନୁପାଳନା କରିବେ ।
ସୂଚନାଯୋଗ୍ୟ ଯେ ମେ ମାସ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ । ଏଥି ନିମନ୍ତେ ଆଜି ସୁଦ୍ଧା ୨ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ ପ୍ୟାକସ / ଲ୍ୟାମ୍ପସ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି । ୧୭ଟି ଜିଲ୍ଲାରେ ୮୧୨ଟି ଧାନ ସଂଗ୍ରହ କେନ୍ଦ୍ରରେ ରବିଧାନ ସଂଗ୍ରହ କରାଯିବ ।


Share It

Comments are closed.