କ୍ୟାଲସିୟମ୍ ଅଭାବ ହେଲେ ହୋଇପାରେ ଏହି ସବୁ ସମସ୍ୟା, ତେବେ କ’ଣ କରିବେ


ସୁସ୍ଥ ଶରୀର ଗଠନରେ କ୍ୟାଲସିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷ କରି ହାଡ଼ ଓ ଦାନ୍ତକୁ ମଜବୁତ ରଖିବା କ୍ଷେତ୍ରରେ ଏହା ସହାୟକ ହୋଇଥାଏ । କିନ୍ତୁ ଏହା ବ୍ୟତୀତ କ୍ୟାଲସିୟମ୍ ମାଂସପେଶୀ ସଞ୍ଚାଳନ, ରକ୍ତ ସଞ୍ଚାଳନ, ଏନଜାଇମ୍, ହରମୋନଜନୀତ କାର୍ଯ୍ୟକଳାପ ସଠିକ୍ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ସହାୟକ ହୋଇଥାଏ । ଶରୀରର ପ୍ରାୟ ୯୯% କ୍ୟାଲସିୟମ୍ ହାଡ଼ ଓ ଦାନ୍ତରୁ ମିଳିଥାଏ ଏବଂ ବଳକା ୧% କ୍ୟାଲସିୟମ୍ ରକ୍ତ, ମାଂସପେଶୀ ଓ ଅନ୍ୟାନ୍ୟ କୋଷରସମାନଙ୍କରେ ଦେଖିବାକୁ ମିଳିଥାଏ । କିନ୍ତୁ ଶରୀରରେ କ୍ୟାଲସିୟମର ଅଭାବ ଯୋଗୁଁ ଆମକୁ ବିଭିନ୍ନ ପ୍ରକାରର ଦୁଃସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଶରୀରରେ କ୍ୟାଲସିୟମର ଅଭାବ ହଠାତ ଜଣାପଡ଼ି ନଥାଏ । ଏହାର କେତୋଟି ଲକ୍ଷଣ ରହିଛି, ଯାହାକୁ ଆପଣ ଜାଣି ଡାକ୍ତରଙ୍କ ପରାମର୍ଶରେ ରହିପାରିବେ ।

ଲକ୍ଷଣ:
• ମାଂସପେଶୀରେ ଯନ୍ତ୍ରଣା ଓ ଏହା କ୍ରମଶଃ କୁଞ୍ôଚତ ହେବା କ୍ୟାଲସିୟମ୍ ଅଭାବର ପ୍ରଥମ ଲକ୍ଷଣ । ଏହା ଦ୍ୱାରା ଜଙ୍ଘ, ବାହୁ ଓ ଗୋଡ଼ ପେଣ୍ଡିରେ ଅବିରତ ଯନ୍ତ୍ରଣା ହୋଇଥାଏ ।
• କୟାଲସିୟମର ଅଭାବ ଚର୍ମ ଓ ନଖରେ ପରିଷ୍କାର ଭାବେ ଦୃଶ୍ୟମାନ ହୋଇଥାଏ । ଏହା ଯୋଗୁଁ ଚର୍ମ ଶୁଖିଯାଏ ଓ ନଖ ଦୁର୍ବଳ ହୋଇଯାଇଥାଏ ଅଥବା ମରିଯାଇଥାଏ ।
• ଶକ୍ତ ଦାନ୍ତ ଓ ହାଡ଼ ଗଠନରେ କ୍ୟାଲସିୟମର ଭୂମିକା ମହତ୍ୱପୂର୍ଣ୍ଣ । ତେଣୁ କ୍ୟାଲସିୟମ୍ ଅଭାବ ହେଲେ ଦାନ୍ତ ପଡ଼ିବା ଆରମ୍ଭ ହୋଇଥାଏ ।
• ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ନଥାଏ ଓ ଭଲ ଭାବରେ ନିଦ ହୁଏ ନାହିଁ ।
• କିଶୋରୀମାନଙ୍କ କ୍ଷେତ୍ରରେ କ୍ୟାଲସିୟମର ଅଭାବ ହେଲେ ସେମାନଙ୍କର ପରିପକ୍ୱତା ଆସିବାରେ ବିଳମ୍ବ ହୋଇଥାଏ ଓ ମହିଳାମାନଙ୍କ ଋତୁସ୍ରାବ କ୍ଷେତ୍ରରେ ମଧ୍ୟ ଅନିୟମିତତା ଦେଖାଯାଇଥାଏ ।

ଚିକିତ୍ସା:
ଶରୀରରେ କ୍ୟାଲସିୟମର ଅଭାବକୁ ରୋକିବା ପାଇଁ ଖାଦ୍ୟରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଖାଦ୍ୟରେ ଆପଣ ଭିଟାମିନ ଡି ଓ ଅଧିକ କ୍ୟାଲସିୟମ ଥିବା ଖାଦ୍ୟ ଦ୍ରବ୍ୟ ଖାଇବା ଉଚିତ । ଏଥିରେ ଆପଣ ପୁଷ୍ଟିଯୁକ୍ତ ଖାଦ୍ୟ, ଯେପରିକି- ଡାଲି, ଛେନା, ସୋୟାବିନ, କାବୁଲି ଚଣା, ମୁଗ, ବାଦାମ, ଆଲମଣ୍ଡ, ରାଜମା, ସବୁଜ ପନିପରିବା, ଫଳ ଆଦି ସାମିଲ କରିପାରିବେ । ଏହାଛଡ଼ା ଡାକ୍ତର ପରାମର୍ଶ କରିଥିବା ଔଷଧ ତଥା କ୍ୟାଲସିୟମ୍ ବଟିକା ଗ୍ରହଣ କରିବା ଉଚିତ । ଏତଦ୍ ବ୍ୟତୀତ ଆପଣ ଶରୀରରେ କ୍ୟାଲସିୟମ୍ ସ୍ତରକୁ ବଜାୟ ରଖିବା ପାଇଁ ନିୟମିତ କ୍ୟାଲସିୟମ୍ ଇଞ୍ଜେକ୍ସନ୍ ମଧ୍ୟ ନେଇପାରିବେ ।


Share It

Comments are closed.