ଖୁବ ଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହୋଇପାରେ ବଡ ପରିବର୍ତ୍ତନ


ବଦଳିବ ନବୀନଙ୍କ ମନ୍ତ୍ରିମଣ୍ଡଳ । ନିଜ ମନ୍ତ୍ରିମଣ୍ଡଳରେ ଅଦବଦଳ କରି ଆଗକୁ ନବୀନ ଯେ ନୂଆ ଟିମ୍‌ ଗଢ଼ିବାକୁ ମନସ୍ଥ କରିଛନ୍ତି ତାହା ଦଳର ସୂତ୍ରରୁ ସୂଚନା ମିଳିଛି । ନବୀନଙ୍କ ୨୧ ଜଣିଆ ଟିମ୍‌ରୁ କିଏ ବଳି ପଡ଼ିବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ମନ୍ତ୍ରୀଙ୍କ ବାର୍ଷିକ ରିପୋର୍ଟ କାର୍ଡକୁ ତର୍ଜମା କରି ମୁଖ୍ୟମନ୍ତ୍ରୀ ନୂଆ ସହଯୋଗୀ ବାଛିବା ପ୍ରକ୍ରିୟା ଆରମ୍ଭ କରିଥିବା ପାୱାର କରିଡରରେ ଚର୍ଚ୍ଚା ଚାଲିଛି ।

ବିଜେଡିର ସାଂଗଠନିକ ପଦବିରେ କିଛିଟା ପରିବର୍ତ୍ତନା କରାଯାଇଛି । ଦଳର ନୂଆ ବରିଷ୍ଠ ଉପସଭାପତି ଓ ଉପସଭାପତି ପଦରେ ୧୭ ଜଣଙ୍କୁ ନିଯୁକ୍ତି ମିଳିଛି। ଦଳର ଅଭିଜ୍ଞ ଓ ହେଭିୱେଟ୍‌ମାନଙ୍କୁ ନବୀନ ଭରସା କରିଛନ୍ତି । ଦୀର୍ଘମିଆଦି ଭିତ୍ତିରେ ଭୋଟ୍‌ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ବିଜେଡି ସୁପ୍ରିମୋ ୯ ଉପସଭାପତିଙ୍କୁ ବିଭିନ୍ନ କ୍ଷେତ୍ରରେ କାମ କରିବାକୁ ଦାୟିତ୍ୱ ଆବଣ୍ଟନ କରିଛନ୍ତି । ଦଳ ଓ ସରକାରକୁ ଲୋକଙ୍କ ସହ ଯୋଡ଼ିବା ଓ ସମତୁଲ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଛନ୍ତି ନୂଆ ବ୍ଲୁପ୍ରିଣ୍ଟ। ଇତିମଧ୍ୟରେ ବିଜେଡି ସରକାରର ୫ମ ପାଳିକୁ ବର୍ଷେ ପୂରିଛି । ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀମାନଙ୍କୁ ନବୀନ ନିର୍ଦ୍ଦେଶ ଦେଇଥିଲା ବେଳେ କିଛି ମନ୍ତ୍ରୀଙ୍କ ରିପୋର୍ଟକାର୍ଡକୁ ନେଇ ନବୀନ ବେଶ ଖପ୍ପା । ତେଣୁ ସେମାନଙ୍କ ପଦବିରେ କଇଁଚି ଲାଗିବା ନିଶ୍ଚିତ । ଏହାକୁ ମଉକା ଭାବେ ନେଇ ମନ୍ତ୍ରୀ ଆଶାୟୀମାନେ ଲବି ରାଜନୀତିକୁ ତେଜିଛନ୍ତି ।

କରୋନା ସଂକଟକୁ ମୁକାବିଲା କରିବାକୁ ପୂରା ସରକାରୀ କଳ ଲାଗିଥିଲା ବେଳେ ବହୁ ମନ୍ତ୍ରୀଙ୍କ ଭୂମିକା ଓ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ସରକାରଙ୍କ ନିକଟରେ ବିକାଶମୂଳକ କାମର ଲମ୍ବା ତାଲିକା ଥିଲାବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ନବୀନ ନିଜ କ୍ୟାବିନେଟ୍‌ରେ ଏପାଖ ସେପାଖ କରିବା ନିଶ୍ଚିତ ବୋଲି ଦଳର ଭିତିରି ମହଲ ଯୁକ୍ତି କରୁଛି । ବିଜେଡିରେ ଆଗରୁ ଜିଲ୍ଲା ସଭାପତି ନିଯୁକ୍ତି ସରିଥିଲା । ୩୩ ସାଂଗଠନିକ ଜିଲ୍ଲାରୁ ଜିଲ୍ଲା ସଭାପତି ଭାବେ ୧୪ ପୁରୁଣା ଓ ୧୯ ନୂଆମୁହଁ ସ୍ଥାନ ପାଇଥିଲେ । ଦଳ ପକ୍ଷରୁ ଆଜି କେବଳ ବରିଷ୍ଠ ଉପସଭାପତି, ଉପସଭାପତି ଓ ସାଧାରଣ ସଂପାଦକ (ମୁଖ୍ୟାଳୟ)ଙ୍କ ନାମ ଜାରି କରାଯାଇଛି । ଖୁବ୍‌ଶୀଘ୍ର ଦଳର ସାଧାରଣ ସଂପାଦକ, ସଂପାଦକ, କୋଷାଧ୍ୟକ୍ଷ ଓ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି ।


Share It

Comments are closed.