ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି ମୋଦି – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ଜୁଲାଇ – କରୋନା ମହାମାରୀ ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ପାଞ୍ଚ ମାସ ପର‌୍ୟ୍ୟନ୍ତ ବୃଦ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍ତର-ଭୁବନେଶ୍ୱର ମଣ୍ଡଳି ପାଇଁ ଅନୁଷ୍ଠିତ ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲିରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର‌୍ୟ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ବୃଦ୍ଧି ହେବା ଦ୍ୱାରା ଓଡ଼ିଶା ସମେତ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଲାଭବାନ ହେବେ। ଏହାର ମୂଲ୍ୟ ୯୦ ହଜାର କୋଟିରୁ ଅଧିକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଉଭୟ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ଦେଶରେ ଗୋଟିଏ ନୂଆ ବେଞ୍ଚମାର୍କ ତିଆରି କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବିଶ୍ୱ ଏକ କଠିନ ସମୟ ଦେଇ ଗତି କରୁଛି । ଏଭଳି ଏକ ଆହ୍ୱାନମୂଳକ ସମୟରେ ଆମକୁ ନିଜର ସୁରକ୍ଷାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ମୁହଁରେ ମାସ୍କ ପିନ୍ଧିବା ସହ ଦୁଇ ମିଟର ସାମାଜିକ ଦୂରତା ରକ୍ଷା କରିବା ପାଇଁ ପଡ଼ିବ । ସାଂପ୍ରତିକ ସମୟରେ ସତର୍କ ଓ ସାବଧାନ ରହିବା ଏବଂ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବା ହିଁ ଆମର ଦାୟିତ୍ୱ ।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ଗୁରୁତ୍ୱ ଦେଉଛନ୍ତି । ଏହି କାରଣରୁ ତାଙ୍କ ପ୍ରତି ଦେଶ ଓ ରାଜ୍ୟବାସୀଙ୍କ ଭରସା ବୃଦ୍ଧି ପାଉଛି । ରାଜ୍ୟରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ କାର‌୍ୟ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିବା ସହ ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ଆହ୍ୱାନ କଲି ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ପାଞ୍ଚ ମାସ ପର‌୍ୟ୍ୟନ୍ତ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ ଗରିବ ଘରୁ ଆସିଥିବା ପ୍ରଧାନମନ୍ତ୍ରୀ ସର୍ବଦା ଗରିବଙ୍କୁ ପ୍ରାଥମିକତା ଦେଇଛନ୍ତି । ଗରିବଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।
ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ଆଗାମୀ ଦିନରେ କିପରି ଭୁବନେଶ୍ୱରର ବିକାଶ କରାଯାଇପାରିବା ସେ ଦିଗରେ ଋଣନୀତି ପ୍ରସ୍ତୁତ କରିବା ପାଇଁ କହିଥିଲେ ।
ଏହି ଭର୍ଚୁଆଲ କାର‌୍ୟ୍ୟକ୍ରମ ଜିଲ୍ଲା ସଭାପତି ବାବୁ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର‌୍ୟ୍ୟ ପ୍ରମୁଖ ଅଶଂଗ୍ରହଣ କରିଥିଲେ ।


Share It

Comments are closed.