ଏବେ ଗର୍ଭଧାରଣକୁ ରୋକିବା ପାଇଁ ଗର୍ଭନିରୋଧକ ଆଣ୍ଟିବଡିର ବିକଶିତ କଲେ ବିଶେଷଜ୍ଞ


ଆମେରିକୀୟ ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ପ୍ରକାର ଗର୍ଭନିରୋଧକ ଆଣ୍ଟିବଡି ବିକଶିତ କରିଛନ୍ତି । ଏହା ଶୂକ୍ରାଣୁକୁ ଦୁର୍ବଳ କରିବ, ଯାହା ଦ୍ୱାରା ଜନ୍ମ ହାର ନିୟନ୍ତ୍ରଣ କରାଯାଇପାରିବ । ବୋଷ୍ଟନ୍‌ ବିଶ୍ୱବିଦ୍ୟାଳୟ ଓ ସାନ୍‌ଡିଗୋର କମ୍ପାନି ଜାବ୍‌ବାୟୋ ମିଳିତ ଭାବେ ଏହା ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକମାନେ ଏହାର ନାଁ ଦେଇଛନ୍ତି ହ୍ୟୁମାନ୍‌ କଣ୍ଟ୍ରାସେପ୍ସନ୍‌ ଆଣ୍ଟିବଡି । ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ଗୁଣସମ୍ପନ୍ନ ଶୂକ୍ରାଣୁ ଉପରେ ଏହି ଆଣ୍ଟିବଡିର ପରୀକ୍ଷଣ କରାଯାଇଛି ।

ପରୀକ୍ଷଣରୁ ଜଣାପଡ଼ିଲା, ଏହା ୧୫ ସେକେଣ୍ଡରେ ଶୂକ୍ରାଣୁକୁ ଦୁର୍ବଳ କରି ନିଷ୍କ୍ରିୟ କରିଦିଏ । ବୋଷ୍ଟନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବୋରାହ ଆଣ୍ଡରସନ କହିଛନ୍ତି, ଏହି ଗର୍ଭନିରୋଧକ ଆଣ୍ଟିବଡିକୁ ମହିଳାଙ୍କ ଅନୁମତି କ୍ରମେ ସେମାନଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରାଯାଇପାରେ । ଏହା କୌଣସି ପ୍ରକାର ଯନ୍ତ୍ରଣା ସୃଷ୍ଟି କରେ ନାହିଁ । ଏବେ ଏହାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି । ଯେଉଁ ମହିଳା ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଗର୍ଭନିରୋଧକ ବିକଳ୍ପ ଆପଣେଇ ନାହାନ୍ତି, ସେମାନେ ଏହାକୁ ବ୍ୟବହାର କରିପାରିବେ ।

ଗବେଷକଙ୍କ ସୂଚନା ଅନୁସାରେ, ଏଭଳି ଅନେକ ରୋଗ ଅଛି ଯାହା ଶାରୀରିକ ସମ୍ପର୍କ ମାଧ୍ୟମରେ ଜଣେ ସୁସ୍ଥ ବ୍ୟକ୍ତିକୁ ଆକ୍ରାନ୍ତ କରିପାରେ । ଏହି ସ୍ଥିତିରେ ଗର୍ଭନିରୋଧକ ଆଣ୍ଟିବଡିକୁ ଅନ୍ୟ ଆଣ୍ଟିବଡି ସହ ମିଶାଇ ପ୍ରୟୋଗ କରାଯାଇପାରେ । ଏହା ଦ୍ୱାରା ଶାରୀରିକ ସମ୍ପର୍କ ମାଧ୍ୟମରେ ହେଉଥିବା ରୋଗରୁ ରକ୍ଷା ମିଳିବ।


Share It

Comments are closed.