ସମୁଦ୍ର ବେଳାଭୂମିରେ ମଦ୍ୟଶାଳା ଖୋଲିବା ନିଷ୍ପତିକୁ ମୋନାର ବିରୋଧ


ଭୁବନେଶ୍ୱର : ରାଜ୍ୟରେ ୬ଟି ପ୍ରମୁଖ ବେଳାଭୂମିରେ ମଦ୍ୟଶାଳା ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଏହାକୁ ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ଶ୍ରୀ ପଦ୍ମଚରଣ ନାୟକ ଗତ କାଲି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଥିଲେ । ଏହା ବାଦ ଆଜି ମୋନାର କିଛି କର୍ମକର୍ତ୍ତା ଓଡିଶା ପର୍ଯ୍ୟଟନ ବିଭାଗକୁ ଯାଇ ଏକ ପତ୍ର ପ୍ରଦାନ କରି ବିରୋଧ ପ୍ରଦର୍ଶନ କରିଥିଲେ ।
ତେବେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତିକୁ ମୋନା ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଏହାକୁ ବିରୋଧ କରି ମୋନାର ସଭାପତି ଶ୍ରୀ ପଦ୍ମଚରଣ ନାୟକ କହିଛନ୍ତି ଯେ, “ପୁରୀ ବେଳାଭୂମି ସମେତ ରାଜ୍ୟର ଅନ୍ୟାନ୍ୟ ବେଳା ଭୂମିମାନଙ୍କରେ ମଦ୍ୟଶାଳା ଖୋଲିବା ପାଇଁ ସରକାରଙ୍କ ପକ୍ଷର ଯେଉଁ ନିଷ୍ପତି ନିଆଯାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ । ମଦ ଯୋଗୁଁ ରାଜ୍ୟରେ ହଜାର ହଜାର ଘର, ସଂସାର ଏବଂ ଗାଁ ଗାଁ ଗୁଡିକ ଉଜୁଡି ଯାଉଥିବାବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ଯୁବକମାନଙ୍କ ମଧ୍ୟରେ ସାମାଜିକ ମୂଲ୍ୟ ବୋଧର ଅବନତି ନିଶ୍ଚୟ ଘଟାଇବ । ଏହା ସହ ଉପକୂଳ ବର୍ତ୍ତୀ ଅଞ୍ଚଳମାନଙ୍କରେ ମଦ ଜନିତ ଭୟାଭୟତା ଆହୁରୀ ବିକଟ ହେବ । ”
ସେ ଆହୁରୀ କହିଛନ୍ତି ଯେ, “ ଓଡିଆଙ୍କ ଭାବବେଗ ସହ ଜଡିତ ଥିବା ପୁରୀ ଭଳି ସମ୍ମାନଜନକ ବେଳାଭୂମି ଏବଂ ଅନ୍ୟାନ୍ୟ ବେଳା ଭୂମିମାନଙ୍କର ପବିତ୍ରତା ଯେପରି ନଷ୍ଠ ନହେବ ସେଥିପାଇଁ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହର କରନ୍ତୁ । ଯଦି ରାଜ୍ୟ ସରକାର ଏହି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନରେ ମୋନ ପକ୍ଷରୁ ଦୃଢ ବିରୋଧ କରାଯିବ । ”


Share It

Comments are closed.