ବଟଲରଙ୍କ ଅନୁପସ୍ଥିତି ରାଜସ୍ଥାନ ପାଇଁ ଚିନ୍ତାର କାରଣ ହୋଇପାରେ


ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ସୀମିତ ଓଭର ସିରିଜ୍‍ ପରେ ଉଭୟ ଦଳର ମୋଟ ୨୧ ଜଣ ଖେଳାଳି ଆଇପିଏଲ୍‍ ଖେଳିବା ପାଇଁ ଲଣ୍ଡନ୍‍ରୁ ୟୁଏଇରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତଙ୍କୁ ଖେଳିବାର ସୁଯୋଗ ମିଳିଥିବା ବେଳେ କେବଳ ଜୋସ୍‍ ବଟ୍‍ଲର ତାଙ୍କ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍‍ସ ପାଇଁ ପ୍ରଥମ ମ୍ୟାଚ୍‍ ଖେଳିବେନାହିଁ ବୋଲି ଜାଣିବାକୁ ମିଳିଛି। ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍‍ସ ବିପକ୍ଷରେ ରାଜସ୍ଥାନ ରୟାଲ୍‍ସ ପ୍ରଥମ ମ୍ୟାଚ୍‍ ଖେଳିବ। ଏହି ମ୍ୟାଚ୍‍ରେ ବଟ୍‍ଲର ଖେଳିବେ ନାହିଁ। କାରଣ ବଟ୍‍ଲର ଏବେ ୬ ଦିନିଆ ସଂଗରୋଧରେ ରହିଛନ୍ତି। ଏହାର କାରଣ ହେଲା ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ୟୁଏଇ ଆସିଛନ୍ତି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଖେଳାଳି ସୀମିତ ଓଭର ସିରିଜ୍‍ ଖେଳିିବା ବେଳେ ଜୈବ ନିରାପତ୍ତା ବଳୟ ମଧ୍ୟରେ ରହୁଥିଲେ। ସେମାନେ ଏକ ଜୈବ ନିରାପତ୍ତା ବଳୟରୁ ଆଉ ଏକ ଜୈବ ନିରାପତ୍ତା ବଳୟକୁ ଆସିଥିବାରୁ ବିସିସିଆଇ ଅନୁରୋଧରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଖେଳାଳିଙ୍କୁ ମାତ୍ର ୩୬ ଘଣ୍ଟା ସଂଗରୋଧରେ ରହିବାକୁ ପଡ଼ିଲା। ତେବେ ଇଂଲଣ୍ଡରେ ବଟ୍‍ଲରଙ୍କ ପରିବାର ଜୈବ ନିରାପତ୍ତା ବଳୟରେ ନଥିବାରୁ ଏବଂ ସେମାନଙ୍କୁ ସାଙ୍ଗରେ ନେଇ ବଟ୍‍ଲର ୟୁଏଇ ଆସିବାରୁ ଏହିଦେଶର ନିୟମ ଅନୁସାରେ ତାଙ୍କୁ ୬ ଦିନ ସଂଗରୋଧରେ ରହିବାକୁ ପଡ଼ିଛି। ଇନଷ୍ଟାଗ୍ରାମରେ ଏକ ଭିଡିଓ ଦେଇ ବଟ୍‍ଲର ଏହା ଜଣାଇଛନ୍ତି। ଏହାସହ ସାଙ୍ଗରେ ପରିବାର ସଦସ୍ୟଙ୍କୁ ଆଣିବାର ଅନୁମତି ଦେଇଥିବାରୁ ରାଜସ୍ଥାନ ରୟାଲ୍‍ସକୁ ବଟ୍‍ଲର ଧନ୍ୟବାଦ ଜଣାଇଛନ୍ତି। ବଟ୍‍ଲର ରାଜସ୍ଥାନ ରୟାଲ୍‍ସର ଜଣେ ପ୍ରମୁଖ ଖେଳାଳି। ୨୦୧୮ରେ ସେ ୫୪୮ ରନ୍‍ କରିଥିବା ବେଳେ ଗତବର୍ଷ ସେ ମାତ୍ର ୮ଟି ମ୍ୟାଚ୍‍ରୁ ୩୧୧ ରନ୍‍ କରିଥିଲେ। ରାଜସ୍ଥାନ ରୟାଲ୍‍ସର ଅନ୍ୟ ପ୍ରମୁଖ ଖେଳାଳି ଇଂଲଣ୍ଡର ଅଲ୍‍ରାଉଣ୍ଡର ବେନ୍‍ ଷ୍ଟୋକ୍‍ସ ମଧ୍ୟ ଦଳ ସହ ଯୋଗ ଦେଇନାହାନ୍ତି। ଅସୁସ୍ଥ ଥିବା ତାଙ୍କ ପିତାଙ୍କ ସହ ସମୟ କାଟିବା ପାଇଁ ଷ୍ଟୋକ୍‍ସ ନ୍ୟୁଜିଲାଣ୍ଡ ଚାଲି ଯାଇଛନ୍ତି। ତେବେ ଷ୍ଟୋକ୍‍ସ ଆଇପିଏଲ୍‍ ମଝିରେ ଆସି ରାଜସ୍ଥାନ ରୟାଲ୍‍ସରେ ଯୋଗ ଦେଇପାରନ୍ତି ବୋଲି ବଟ୍‍ଲର ଆଶା ରଖିଛନ୍ତି। ଚେନ୍ନାଇ ଦଳ ନିଜ ପ୍ରଥମ ମ୍ୟାଚ୍‌ରେ ମୁମ୍ବଇକୁ ପରାସ୍ତ କରିଛି। ଦଳ ତରଫରୁ ଫାଫ୍ ଡୁପ୍ଲେସି ଓ ଅମ୍ବତି ରାୟୁଡୁ ବେଶ୍ ଭଲ ଫର୍ମରେ ଅଛନ୍ତି। ତେଣୁ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଏମାନେ ପୁନର୍ବାର ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ଅଲରାଉଣ୍ଡର ସାମ୍ କରନ୍ ପ୍ରଥମ ମ୍ୟାଚ୍‌ରେ ଦ୍ରୁତଗତିରେ ରନ୍ ସଂଗ୍ରହ କରିଥିଲେ। ତେବେ ରବୀନ୍ଦ୍ର ଜାଡେଜା ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ମ୍ୟାଚ୍‌ରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।


Share It

Comments are closed.