ପାଇଲଟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଗେହଲଟ


ସଚିନ ପାଇଲଟ ଓ ତାଙ୍କ ସମର୍ଥକଙ୍କ ବିଦ୍ରୋହକୁ ନେଇ ବୁଧବାର ନିଜର କ୍ରୋଧ ଜାହିର କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ବିଜେପି ବିଧାୟକଙ୍କ ଘୋଡା ବେପାର କରି ସରକାର ଭାଙ୍ଗିବାକୁ ଚେଷ୍ଟା କରିଥିଲା ବୋଲି ସେ କହିଛନ୍ତି। ଆମର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜେ ବିଜେପି ସହ ମିଶି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ଏଥିପାଇଁ ୨୦ କୋଟି ଟଙ୍କାର ଡିଲ୍ ହୋଇଥିଲା। ଏହାର ପ୍ରମାଣ ମୋ ପାଖରେ ଅଛି ବୋଲି ଗେହଲଟ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଗେହଲଟ କହିଛନ୍ତି ତାହା ଷଡଯନ୍ତ୍ରର ଏକ ପାର୍ଟ ଥିଲା ଏବଂ ସଚିନ ପାଇଲଟ ଏହାର ନେତୃତ୍ଵ ନେଇଥିଲେ। ସଚିନ ପାଇଲଟଙ୍କ ଉପରେ ଶାଣିତ ସ୍ଵରରେ ହମଲା କରି ଗେହଲଟ କହିଛନ୍ତି, ପୂର୍ବରୁ ମଧ୍ୟ ଆମକୁ ନିଜର ବିଧାୟକଙ୍କୁ ୧୦ ଦିନ ପର‌୍ୟ୍ୟନ୍ତ ହୋଟେଲ୍‌ରେ ରଖିବାକୁ ପଡିଥିଲା। ଯଦି ସେହି ସମୟରେ ରଖିନଥାନ୍ତୁ ତେବେ ଆଜି ମାନେସରରେ ଯେଉଁ ଖେଳ ହୋଇଛି ତାହା ସେହି ସମୟରେ ହୋଇଥାନ୍ତା।

ଗେହଲଟ ଏହା ମଧ୍ୟ କହିଛନ୍ତି ଆମର ଉପ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ କିଣାବିକା ସଂପର୍କିତ ତଥ୍ୟ ମଗାଗଲା ତ ଏବେ ସେ ସଫେଇ ଦେଉଛନ୍ତି। ଖୋଦ୍ ସଚିନ ଷଡଯନ୍ତ୍ରରେ ସାମିଲ। ଦିଲ୍ଲୀରେ ବସି ଲୋକେ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚିଥିଲେ। ଗଣତନ୍ତ୍ରର ହତ୍ୟା କରିବାକୁ ଉଦ୍ୟମ ଜାରି ରହିଛି। କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରେ ଯେମିତି ସରକାର ଭାଙ୍ଗିଲେ ରାଜସ୍ଥାନରେ ମଧ୍ୟ ସେମିତି ହୀନ ପ୍ରୟାସ ଜାରି ରହିଥିବା ଗେହଲଟ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଆଜି ସିବିଆଇ, ଆୟକର ବିଭାଗ, ଇଡିର ଦୁରୁପଯୋଗ କରାଯାଉଛି। ମୁଁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଲିଣି। ମୋର ୪୦ ବର୍ଷର ରାଜନୀତି ହୋଇ ସାରିଛି। ଆମେ ନୂତନ ପିଢି ପ୍ରସ୍ତୁତ କରୁ। ଆଗାମୀ ସମୟ ଏହି ଯୁବ ପିଢିଙ୍କର।

ସଚିନ ପାଇଲଟଙ୍କ ନାମ ନନେଇ ସେ କହିଛନ୍ତି, ଭଲ ଇଂରାଜୀ କହିବା, ଭଲ ବାଇଟ୍ ଦେବା ଓ ସୁନ୍ଦର ହେବା ସବୁ କିଛି ନୁହେଁ। ଦେଶ ଆପଣଙ୍କର ବିଚାରଧାରା, ନୀତି ଓ ପ୍ରତିବଦ୍ଧତା ପାଇଁ ଆପଣଙ୍କୁ ଚିହ୍ନିଥାନ୍ତି। କଂଗ୍ରେସ ଯୁବ ବର୍ଗଙ୍କୁ ପ୍ରାଧ୍ୟାନ୍ୟ ଦେଇଛି। ଯୁବକଙ୍କୁ ସଂଗଠନ ତଥା ସରକାରରେ ପଦ ଦେଇଛି। ସେମାନଙ୍କର ଭବିଷ୍ୟତ ମଧ୍ୟ କଂଗ୍ରେସରେ ସୁରକ୍ଷିତ ଅଛି।


Share It

Comments are closed.