ଓଡିଶା ସରକାରଙ୍କ ସହ ଫ୍ଲିପ୍‌କାର୍ଟର ସହଭାଗିତା


ଭୁବନେଶ୍ୱର: ଭାରତର ଘରୋଇ ଇ-କମର୍ସ ମାର୍କେଟ୍‌ପ୍ଲେସ୍‌, ଫ୍ଲିପ୍‌କାଟ ପକ୍ଷରୁ ଓଡିଶାର କଳା, ହସ୍ତଶିଳ୍ପ ଓ ହସ୍ତତନ୍ତକୁ ଇ-କମର୍ସ କ୍ଷେତ୍ରକୁ ଆଣି ତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ ଷ୍ଟେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଡେଭ୍‌ଲପ୍‌ମେଂଟ୍ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ (ଏସ୍‌ଆଇଡିଏସି) ସହିତ ଏହି ସହଭାଗିତା ଓଡିଶାର ସ୍ଥାନୀୟ କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କୁ ନିଜର ହଲ୍‌ମାର୍କ ଉତ୍ପାଦ ଗୁଡିକୁ ଦେଶର ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପ୍ରଦର୍ଶିତ କରିବା ପାଇଁ ସକ୍ଷମ କରିବ । ଉଭୟ ଏସ୍‌ଆଇଡିଏସି ଓ ଫ୍ଲିପ୍‌କାର୍ଟ ସମାଜର ଅଣସଂରକ୍ଷିତ ବର୍ଗର ଲୋକମାନଙ୍କ ପାଇଁ ବାଣିଜ୍ୟ ସୁଯୋଗ ଓ ବ୍ୟବସାୟ ବୃଦ୍ଧି ପାଇଁ ନୂତନ ମାର୍ଗ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ, ଯାହାଫଳରେ ମେଡ୍ ଇନ୍ ଇଣ୍ଡିଆ ପ୍ରୟାସକୁ ଅଧିକ ଉତ୍ସାହ ଓ ପ୍ରୋତ୍ସାହନ ମିଳିବ ।


ଏହି ଚୁକ୍ତିନାମାର ଏକ ଅଂଶ ଭାବେ ଫ୍ଲିପ୍‌କାର୍ଟ ପ୍ରତିଷ୍ଠିତ ସ୍ଥାନୀୟ ଓଡିଆ ବ୍ରାଣ୍ଡ ଯେପରିକି ବୟନିକା, ଉତ୍କଳିକା ଓ ସମ୍ବଲପୁରୀ ବସ୍ତ୍ରାଳୟ ଆଦି ଉଦ୍ୟୋଗଗୁଡିକ ସହ କାର୍ଯ୍ୟ କରିବ, ଯେଉଁମାନେ କି ରାଜ୍ୟ ସରକାରଙ୍କ ସହ ଜଡିତ ବ୍ୟକ୍ତିଗତ ମାଷ୍ଟର କାରିଗର ଓ ବୁଣାକାରଙ୍କ ବ୍ୟତୀତ ଓଡିଶାର ସର୍ବୋତମ ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ସ୍ଥାନୀୟ କାରିଗର ଓ ବୁଣାକାରମାନଙ୍କ ସହ କାମ କରୁଛନ୍ତି ।
ଏହି ଚୁକ୍ତିନାମା ସମ୍ପର୍କରେ ମତରଖି ଓଡିଶା ସରକାରଙ୍କ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ, ଶ୍ରୀ କୈଳାଶ ଚନ୍ଦ୍ର ସାହୁ କହିଛନ୍ତିଯେ, “ଫ୍ଲିପକାର୍ଟ ସହିତ ସହବନ୍ଧିତା ଦ୍ୱାରା ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇପାରିବ, ଯାହାକି ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ ହେବ । ଫ୍ଲିପକାର୍ଟ ସହାୟତାରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ କାରିଗର ଯେଉଁମାନେକି ଓଡ଼ିଶାର ଅପହଂଚ ଅଂଚଳରେ ବସବାସ କରୁଛନ୍ତି, ସେମାନେ ବର୍ତମାନ ସମଗ୍ର ଭାରତରେ ସେମାନଙ୍କ ଉତ୍ପାଦ ବିକ୍ରୟ ପାଇଁ ଏକ ଉକ୍ତୃଷ୍ଟ ବଜାର ସୂଯୋଗ ପାଇପାରିବେ । ଏହି ସହଭାଗିତା ଆହୁରୀ ମଧ୍ୟ କାରିଗର ମାନଙ୍କୁ ସେମାନଙ୍କ ଆଂଚଳିକ ସଂସ୍କୃତି ଏବଂ ହଲମାର୍କ ଉତ୍ପାଦକୁ ପ୍ରଦର୍ଶନ କରିବା ସମୟରେ ବ୍ରାଣ୍ଡିଂ, ଡ଼ିଜିଟାଲ ମାର୍କେଟିଂ ଏବଂ ଆର୍ôଥକ ପରିଚାଳନା ବିଷୟରେ ଜ୍ଞାନ ପ୍ରଦାନ କରିବ ।”
ସେହିପରି ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଚିଫ୍ କର୍ପୋରେଟ୍ ଆଫାୟାର୍ସ ଅଫିସର, ରଜନିସ କୁମାର କହିଛନ୍ତିଯେ, “ଆମେ ରାଜ୍ୟର ଐତିହ୍ୟକୁ ଆମ ପ୍ଲାଟ୍‌ଫର୍ମକୁ ଆଣିବା ସହିତ ରାଜ୍ୟର କାରିଗର ଓ ବୁଣାକାରମାନଙ୍କୁ ନିଜ ସ୍ୱପ୍ନକୁ ପୂରା କରିବା ଓ ସର୍ବଭାରତୀୟ ସ୍ତରରେ ନିଜ ବ୍ୟବସାୟର ବିସ୍ତାର କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବା ଲାଗି ଓଡିଶା ସରକାରଙ୍କ ସହିତ ହାତ ମିଳାଇ ଖୁବ୍ ଆନନ୍ଦିତ ଅଛୁ । ବର୍ତମାନର ସମୟ ଖୁବ୍ ଆହ୍ୱାନପୂର୍ଣ୍ଣ ଏବଂ ଏକ ଘରୋଇ ପ୍ଲାଟ୍‌ଫର୍ମ ଭାବେ ଆମେ ବିଶ୍ୱାସ କରୁ ଯେ, ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଓ ସେଗୁଡିକୁ ଇକୋସିଷ୍ଟମ ସହଭାଗିତା ମାଧ୍ୟମରେ ପରିବର୍ତନ କରିବା ଆମର ଦାୟିତ୍ୱ ଅଟେ । ଏହି ଚୁକ୍ତି ରାଜ୍ୟରେ ହଜାର ହଜାର ହସ୍ତତନ୍ତ କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କ ପାଇଁ ଫ୍ଲିପ୍‌କାର୍ଟ ସମର୍ଥର ଲାଭ ଆଣିଦେବ ।”
ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହାର ଶୁଭାରମ୍ଭ ପରଠାରୁ ଫ୍ଲିପ୍‌କାର୍ଟ ସମର୍ଥ ଦେଶର ଗ୍ରାମାଂଚଳ ଓ ଅଣସଂଗଠିତ ସମାଜ ମଧ୍ୟରେ କ୍ଷମତା ନିର୍ମାଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଆଜି ଏହା ଦେଶବ୍ୟାପୀ ୫ ଲକ୍ଷରୁ ଅଧିକ କାରିଗର, ବୁଣାକାର ଓ କ୍ଷୁଦ୍ର ଶିଳ୍ପଗୁଡିକର ଜୀବିକାକୁ ସପୋର୍ଟ କରୁଛି । ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟ ପୁଞ୍ଜିର ଅଭାବ, ଦୁର୍ବଳ ଭିତିଭୂମି ଓ ଅପର୍ଯ୍ୟାପ୍ତ ତାଲିମ ଆଦି ବାଧାବିଘ୍ନର ସମ୍ମୁଖୀନ ହେଉଥିବା ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ ଉଦ୍ୟୋଗୀ, କାରିଗର, ଓ ବୁଣାକାର ଆଦିଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ସହିତ ବହୁସଂଖ୍ୟକ ଗ୍ରାମୀଣ ଉଦ୍ୟୋଗୀମାନଙ୍କ ନିକଟରେ ପହଂଚିବା ପାଇଁ ଦେଶର ପ୍ରତିଷ୍ଠିତ ଏନ୍‌ଜିଓ, ସରକାରୀ ସଂସ୍ଥା ଓ ଜୀବିକା ମିଶନଗୁଡିକ ସହ ମିଶି କାର୍ଯ୍ୟ କରୁଛି । ଫ୍ଲିପ୍‌କାର୍ଟ ଏହି ଗୋଷ୍ଠୀଗୁଡିକର ସମସ୍ୟାର କାରଣ ଓ ଆକାଂକ୍ଷାଗୁଡିକୁ ଆକଳନ କରିପାରିଛି ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଏବଂ ସେମାନଙ୍କ ପାଇଁ ନିଜ ସାମଗ୍ରୀକୁ ତାଲିକାଭୁକ୍ତ କରିବା ଓ ଅନ୍‌ଲାଇନ୍ ବିକ୍ରି କରିବା ସହଜ କରିବା ଲାଗି ଫ୍ଲିପ୍‌କାର୍ଟ ସମର୍ଥର ଡିଜାଇନ୍ କରିଛି ।


Share It

Comments are closed.