ଭଲ ଖବର : ରାଜ୍ୟରେ ୧୦ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା


ରାଜ୍ୟରେ ଲଗାମହୀନ ହୋଇ ପଡିଛି କରୋନା ସଂକ୍ରମଣ। ବିନା ବ୍ରେକରେ ହୁ ହୁ ହୋଇ ମାଡି ଚାଲିଛି ମାରାତ୍ମକ ମହାମାରୀ କୋଭିଡ-୧୯। ଜୁନ ମାସରେ ସଂକ୍ରମଣ ବଢିଥିବା ବେଳେ ଏବେ ପ୍ରତିଦିନ କରୋନା ମୁଣ୍ଡ ନେଉଛି। ସଂପ୍ରତି ଦିନକୁ ୫ ଶହରୁ ଉର୍ଦ୍ଧ୍ଵ ନୂତନ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଏହି ସଂକ୍ରମଣ ମଧ୍ୟରେ ଆସିଛି ବଡ ଆଶ୍ଵସ୍ତିକର ଖବର। ରାଜ୍ୟରେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ସଂଖ୍ୟା ୧୦ ହଜାର ଟପିଛି। ଆଜି ରେକର୍ଡ ସଂଖ୍ୟକ ୬୧୨ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ଅଦ୍ୟାବଧି ମୋଟ୍ କରୋନାରୁ ଆରୋଗ୍ୟଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୧୦,୪୭୬ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ଏହାର ସୂଚନା ଦିଆଯାଇଛି। ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ଗଞ୍ଜାମରୁ ସର୍ବାଧିକ ୨୭୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହି ପରି ସୁନ୍ଦରଗଡରୁ ୮୪, କେନ୍ଦୁଝରରୁ ୪୮, ଗଜପତିରୁ ୩୫, ବାଲେଶ୍ଵରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡରୁ ୨୫, ଯାଜପୁରରୁ ୨୦, ମୟୂରଭଞ୍ଜରୁ ୧୫ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ସେହିଭଳି କଟକରୁ ୧୦, କୋରାପୁଟରୁ ୧୦, ଜଗତସିଂହପୁରରୁ ୧୦, ବରଗଡରୁ ୬, ପୁରୀରୁ ୬, ବଲାଙ୍ଗିରରୁ ୫, କେନ୍ଦ୍ରାପଡାରୁ ୩, କଳାହାଣ୍ଡି ଓ କନ୍ଧମାଳରୁ ୨ଟି ଲେଖାଏଁ ଏବଂ ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୪୮୯୮ରେ ପହଞ୍ଚିଛି। ଆଜିର ୬୧୨ ଜଣଙ୍କୁ ମିଶାଇ ଅଦ୍ୟାବଧି ୧୦୪୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଆଜି ଏହି ମହାମାରୀରେ ଆଉ ୩ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ଏ ପର‌୍ୟ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ଘଟିଛି।


Share It

Comments are closed.