ହିନ୍ଦି ମେଗା ସିରିଏଲରେ ନଜରରେ ଆସିବେ ଏହି ଓଡିଆ ଝିଅ


ଆଣ୍ଡ ଟିଭିର ଏକ ନୂତନ ସିରିଏଲ ବିଟ୍ଟି ବିଜନେସ ବାଲିରେ ଲିଡ ରୋଲରେ ନଜରରେ ଆସିବେ ଓଡିଆ ଝିଅ ପ୍ରକୃତି ମିଶ୍ର । ଏହି ସିରିଏଲଟି ରାକେଶ ପୱନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ ଏହା ମେ ୧୬ ଠାରୁ ପ୍ରତିଦିନ ସନ୍ଧ୍ୟା ୭.୩୦ରେ ପ୍ରସାରଣ ହେବ । ଏଥିରେ ପ୍ରକୃତିଙ୍କ ବିପକ୍ଷରେ ଲିଡ ରୋଲରେ ନଜରରେ ଆସିବେ ଅଭିଷେକ ବଜାଜ । ସିରିଏଲଟି ନାରୀମାନଙ୍କ ଆର୍ଥିକ ସ୍ୱାଧିନତା ଏବଂ ସେମାନଙ୍କ ଆତ୍ମ-ସମ୍ମାନ ସମ୍ପର୍କରେ ରହିଛି । ଏହାର ପ୍ରୋମୋ ଉଭୟ ଟିଭି ଏବଂ ୟୁଟ୍ୱୁବରେ ଆସିବା ପରେ ଦର୍ଶକଙ୍କ ଦ୍ୱାରା ଖୁବ ପ୍ରଶଂସିତ ହୋଇଛି ।
ପ୍ରକୃତି କିଛି ଦିନ ପୂର୍ବେ ଓଡିଆ ଫିଲ୍ମ ହାଲୋ ଆର୍ସି ପାଇଁ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିଲେ । ସେ ଓଡିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କର ଝିଅ । ଓଲିଉଡ ଜଗତରେ ସେ ଶିଶୁ କଳାକାର ଭାବେ ମାତ୍ର ୫ବର୍ଷରେ ପଦାର୍ପଣ କରିଥିଲେ । ପରେ ସେ ଥୁକୁଲ, ଏସିପି ସାଗରିକା, କାଉଁରି କନ୍ୟା, ବିନ୍ଦାସ ରୋମିଓ ଏବଂ ଓମ୍ ପରି ବହୁ ଲୋକପ୍ରିୟ ଚଳଚ୍ଚିତ୍ରରେ ଏବଂ ସିରିଏଲରେ ନିଜର ଅଭିନୟର ଯାଦୁ ଦେଖାଇସାରିଛନ୍ତି । ପ୍ରକୃତି ଲିଡ ରୋଲରେ ଏହି ହିନ୍ଦି ମେଗା ସିରିଏଲରେ ପ୍ରଥମ ଥର କାମ କରିବାକୁ ଯାଉଛନ୍ତି । ପୂର୍ବରୁ ସେ ଷ୍ଟାର ଭାରତର ଜୟ କହ୍ନୈୟା ଲାଲ, ସବ ଟିଭିର ତ୍ରିଦେବୀୟାନ ପରି ସିରିଏଲରେ କାମ କରିସାରିଛନ୍ତି ଏବଂ ସେ ଜି ଟିଭିର ୨୦୧୬ ସିନେ ଷ୍ଟାର କି ଖୋଜରେ ମଧ୍ୟ ନଜରରେ ଆସିଥିଲେ ।
ଏହି ସିରିଏଲ ସମ୍ପର୍କରେ ପ୍ରକୃତି କୁହନ୍ତି ଯେ, “ମହିଳା ଶଶକ୍ତିକରଣ ଏବଂ ଆର୍ଥିକ ସ୍ୱାଧିନତା ସମ୍ପର୍କରେ ଏହି ସିରିଏଲଟି ଭାରତୀୟଙ୍କ ଚିନ୍ତାଧାରା ପରିବର୍ତ୍ତନ କରିପାରିବ । ଏହିପରି ଏକ ଟିମ ସହିତ କାମ କରୁଥିବାରୁ ମୁଁ ଖୁବ ଉତ୍ସାହିତ ଏବଂ ଏହି ସୋର ବିଷୟବସ୍ତୁକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ପାଇଁ ମୁଁ ଆପେକ୍ଷାରତ ।”


Share It

Comments are closed.