ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ମେ ୩କୁ ଲକଡାଉନ ଅବଧି ବୃଦ୍ଧି


କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ବଢ଼ାଇଲେ ଲକଡାଉନ୍ ଅବଧି। ମେ ୩ ଯାଏଁ ସମଗ୍ର ଦେଶରେ ଲକଡାଉନ୍ ବଳବତ୍ତର ରହିବ ବୋଲି ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ଓ ନାଗରିକମାନଙ୍କର ପରାମର୍ଶ କ୍ରମେ ଏ ଭଳି ନିଷ୍ପତ୍ତି ନିଆଯାଇଛି। ୨୧ ଦିନିଆ ଲକ୍‌ଡାଉନ୍ ପରି ଆମକୁ ଏହି ସମୟରେ ମଧ୍ୟ ଶୃଙ୍ଖଳିତ ହୋଇ ଚଳିବାକୁ ପଡ଼ିବ ବୋଲି ସେ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି। ଆସନ୍ତାକାଲି ଲକଡାଉନ୍ ନେଇ କେନ୍ଦ୍ର ସରକାର ଏକ ଗାଇଡଲାଇନ୍ ଜାରି କରିବେ। ଏହି ନୂତନ ଗାଇଡଲାଇନ୍ ଅନୁସାରେ ଲକଡାଉନକୁ କାର‌୍ୟ୍ୟକାରୀ କରାଯିବ। ପୂରା ନିଷ୍ଠାର ସହ ଲକଡାଉନ୍ ନିୟମ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଆପଣମାନେ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ। ସାମାଜିକ ଦୂରତ୍ବ ଓ ଲକଡାଉନର ଯେଉଁ ସୁଫଳ ମିଳିଛି ତାହା ଅତୁଳନୀୟ।

ସେ ସତର୍କ କରାଇ ଦେଇ ପୁଣି କହିଛନ୍ତି ଯେ ଏହି ବର୍ଦ୍ଧିତ ଲକ୍‌ଡାଉନର ପରବର୍ତ୍ତୀ ସପ୍ତାହକୁ ଅଧିକ କଠୋର କରାଯିବ। କରେରାନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ହଟ୍‌ସ୍ପଟ୍‌ଗୁଡ଼ିକୁ ପୃଥକ୍ ରଖାଯିବ। ଉଦ୍‌ବୋଧନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ କି, ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗ ଯୋଗୁଁ ଭାରତ କରୋନାଭାଇରସ୍‌ଜନିତ ବିପୁଳ କ୍ଷତିରୁ ରକ୍ଷା ପାଇଛି। କଷ୍ଟ ସହି ଦେଶବାସୀ ଭାରତବର୍ଷକୁ ରକ୍ଷା କରିଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

‘ବହୁକଷ୍ଟ ସହି ଭାରତବାସୀ ଦେଶକୁ କରୋନା କବଳରୁ ବଞ୍ଚାଇଛନ୍ତି। ଅନୁଶାସିତ ସୀପାହି ଭଳି ଦେଶକୁ ରକ୍ଷା କରିଛନ୍ତି। ତେଣୁ ଆପଣମାନଙ୍କୁ ମୁଁ ପ୍ରଣାମ ଜଣାଉଛି।ବିଶ୍ୱ ମହାମାରୀକୁ ବିରୋଧରେ ଭାରତର ଲଢ଼େଇରେ ଆପଣମାନେ ସହଭାଗୀ ଓ ସାକ୍ଷୀ ମଧ୍ୟ। ଭାରତ ସମସ୍ୟାକୁ ବଢ଼ିବାକୁ ନ ଦେଇ ସମସ୍ୟାକୁ ଦେଖି ହିଁ ତାହାକୁ ରୋକିବାକୁ ପଦକ୍ଷେପ ନେଇଥିଲା ବିଶ୍ୱର ବଡ଼ ବଡ଼ ଦେଶମାନଙ୍କ ତୁଳନାରେ ଭାରତ ଢ଼େର ଭଲ ମୁକାବିଲା କରିଛି ଇଣ୍ଟିଗ୍ରେଟେଡ୍ ଆପ୍ରୋଚ୍ ଏବଂ ସମୟାନୁସାରୀ ପଦକ୍ଷେପ ନ ନେଇଥିଲେ ପରିସ୍ଥିତି କ’ଣ ହୋଇଥାଆନ୍ତା ତାହା କଳ୍ପନା କରାଯାଇପାରେନା .ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।


Share It

Comments are closed.