କରୋନା କଟକଣା ମଧ୍ୟରେ ମଣ୍ଡପରେ ପୂଜା ପାଇବେ ମା’


ମହାମାରୀ କରୋନା ଯୋଗୁଁ ଏଥର ଦୁର୍ଗାପୂଜାରେ ଅନେକ କଟକଣା କରିଛି କମିଶନରେଟ୍ ପୁଲିସ୍ । ଚଳିତ ବର୍ଷ ଭୁବନେଶ୍ୱରରେ ହେବ ନିରାଡମ୍ୱର ପୂର୍ଣ୍ଣ ଦୁର୍ଗାପୂଜା । ପ୍ରଥମ ଥର ବିନା ଭକ୍ତରେ ମା’ ପୂଜା ପାଇବେ । ବିନା ତୋରଣ ଓ ବିନା ସାଜସଜ୍ଜାରେ କେବଳ ମଣ୍ଡପରେ ମା’ ଦର୍ଶନ ଦେବେ । ମଣ୍ଡପରେ ୧୦ରୁ ଅଧିକ ପୂଜା କମିଟି ସଦସ୍ୟ ରହି ପାରିବେ ନାହିଁ । ପୂଜା କମିଟି ସଦସ୍ୟଙ୍କ ବୈଠକ ପରେ ଏମିତି ନିଷ୍ପତ୍ତି ନେଇଛି କମିଶନରେଟ୍ ପୁଲିସ୍ । ନିୟମ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜଧାନୀର ସାର୍ବଜନୀନ ଦୁର୍ଗା ପୂଜା ଦୀର୍ଘଦିନର ଇତିହାସରେ ପ୍ରଥମ କରି ଏଭଳି ଘଟିବାକୁ ଯାଉଛି ।

ସୋମବାର କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ପୂଜା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ନିଷ୍ପତ୍ତି ହୋଇଛି ଏଥର ୫ ଫୁଟରୁ ଅଧିକ ଉଚ୍ଚାର ମୃଣ୍ମୟ ମୂର୍ତ୍ତି ହେବ ନାହିଁ । ବାଜିବନି ବାଜା, ଭଳିକିଭଳି ଆଲୋକରେ ଝଲସିବନି ମଣ୍ଡପ । ଉଚ୍ଚା ହେବନି ତୋରଣ । ଚାନ୍ଦା ମାଗିବାକୁ ଘର ଘର ବୁଲିବେ ନାହିଁ ପୂଜା କମିଟିର ସଦସ୍ୟମାନେ । ଯିଏ ଜବରଦସ୍ତ ପୂଜା ଚାନ୍ଦା ମାଗିବ, ସେ କମିଟି ସଦସ୍ୟଙ୍କୁ ଗିରଫ କରାଯିବ । ମୁଖ୍ୟ କଥା ହେଲା ଭକ୍ତ ଯେଭଳି ପୂଜା ମଣ୍ଡପରେ ପହଞ୍ଚିବେ ନାହିଁ ସେଥିପାଇଁ ସବୁ କମିଟି ନଜର ରଖିବେ । ବିସର୍ଜନ ପାଇଁ କୌଣସି ବଡ଼ ଗାଡ଼ି କି ଡିଜେ ବ୍ୟବହାର ହେବ ନାହିଁ । ଟ୍ରଲି ରିକ୍ସା କିମ୍ୱା ଡାଲା ଅଟୋରେ ବିସର୍ଜନ ପାଇଁ ମୂର୍ତ୍ତି ଯିବ ।

ଚଳିତ ଥର ରାବଣ ପୋଡ଼ି ମଧ୍ୟ ହେବ ନାହିଁ । ମେଲୋଡି, ଭଜନ ସନ୍ଧ୍ୟା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । କଡ଼ା କଟକଣା ମଧ୍ୟରେ ଚଳିବ ବର୍ଷ ପୂଜା କରିବା ପାଇଁ କମିଟି ମାନଙ୍କୁ କମିଶନରେଟ୍ ପୁଲିସ ସ୍ୱୀକୃତି ଦେବ । ସ୍ୱୀକୃତି ନେବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଗୋଟିଏ ଜାଗାରେ ନ ଦେଇ ଥାନାସ୍ତରରେ କିମ୍ୱା ଅନ୍‌ଲାଇନ୍ ବ୍ୟବସ୍ତା ପାଇଁ କମିଶନରେଟ୍ ପୁଲିସ ଯୋଜନା କରୁଛି । ଏ ସମସ୍ତ କାର୍ଯ୍ୟରେ ସାମାଜିକ ଦୂରତ୍ୱ ଓ ସମସ୍ତ କୋଭିଡ ନିୟମ ପାଳନକୁ ବାଧ୍ୟତାମୂଳକ କରାଯାଇଛି  । ତେବେ ଏନେଇ ପୁଲିସ୍ କମିଶନର ଶ୍ରୀ ଷଡଙ୍ଗୀ କହିଛନ୍ତି, କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ । ଏ ସବୁ ବିଷୟରେ କେବଳ ଆଲୋଚନା ହୋଇଛି । ପୂଜା କେମିତି ହେବ ? କ’ଣ କରାଯିବ ସେ ବିଷୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।


Share It

Comments are closed.