ମଦ ବିରୋଧୀ ଆନ୍ଦୋଳନର ପୁରୋଧା ପଦ୍ମଚରଣ ନାୟକଙ୍କୁ ୯୬ ବର୍ଷ


ଭୁବନେଶ୍ୱର : ଓଡିଶାରେ ମଦ ବିରୋଧୀ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଗାନ୍ଧୀବାଦୀ ନେତା ଓ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ଶ୍ରୀ ପଦ୍ମଚରଣ ନାୟକ ଆଜି ୯୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସରେ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅନେକ ମଦ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କ ସହ ଶ୍ରୀ ନାୟକଙ୍କ ଶୁଭେଚ୍ଛୁ ମାନେ ଯୋଗ ଦେଇଥିଲେ ।
ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମାଜର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ । ଯେଉଁମାନଙ୍କ ମଧ୍ୟରେ ଶ୍ରୀ ଭଗବାନ ପ୍ରକାଶ, ପଦ୍ମଶ୍ରୀ ରାଧା ମୋହନ, ସମାଜସେବୀ ଶ୍ରୀମତୀ ବାଣୀ ଦାସ, କୃଷ୍ଣା ମହାନ୍ତି, ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରିୟମ୍ବଦା ପଟ୍ଟନାୟକ, ପ୍ରଫେସର ଅଦ୍ୱୈତ ପାତ୍ର ଏବଂ ଡଃ ବିଜୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ଏବଂ ପ୍ରାଣନାଥ ପଟ୍ଟନାୟକ ସମ୍ମାନରେ ସମ୍ମାନୀତ ଶ୍ରୀ ଭଗବାନ ପ୍ରକାଶ କହିଛନ୍ତି ଯେ, “ପଦ୍ମ ବାବୁଙ୍କର ଜୀବନ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା । ୯୬ବର୍ଷ ବୟସରେ ମଧ୍ୟ ସମାଜ ପାଇଁ ଚିନ୍ତା କରୁଥିବା ଏବଂ ଅହରହ କାର୍ଯ୍ୟ କରୁଥିବା ସେ ଏକ ଅନନ୍ୟ ବ୍ୟକ୍ତିତ୍ୱ । ଏବେ ମଧ୍ୟ ବିଭିନ୍ନ ଖବର କାଗଜରେ ମଦ ସମେତ ଅନେକ ପ୍ରାସଙ୍ଗିକ ବିଷୟ ଉପରେ ତାଙ୍କର ସ୍ତମ୍ଭ ଗୁଡିକ ଅତି ଉଚ୍ଚ କୋଟିର । ମୁଁ ଭଗବାନଙ୍କ ନୀକଟରେ ତାଙ୍କର ଦୀର୍ଘାୟୁ ଏବଂ ନିରାମୟ ଜୀବନ କାମନା କରୁଛି । ”
ଏହା ବ୍ୟତୀତ ଏହି ଅବସରରେ ପ୍ରଶାସକ ସୁରେଶ ମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ଉତ୍କଳ ସମିଳନୀର ଦିଲ୍ଲୀପ ଦାସଶର୍ମା, ଗାନ୍ଧିବାଦୀ ନେତା ଶ୍ରୀ ପ୍ରହ୍ଲାଦ ସିଂ, ପୂର୍ବତନ ସୂଚନା କମିଶନର ଶ୍ରୀଯୁକ୍ତ ଯଗଦାନନ୍ଦ, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି କୈଳାସ ସାହୁ, ପଦ୍ମଶ୍ରୀ ଦୈତାରୀ ନାୟକ, ପୂର୍ବତନ ବିଧାୟକ ଅଜୟ ଜେନା, ସର୍ବୋଦୟ ନେତା ଆଦିତ୍ୟ ପଟ୍ଟନାୟକ, ବିହନ ନିଗମର ଅଧ୍ୟକ୍ଷ ଗୋଲକ ନାୟକ, ଗୋବିନ୍ଦ ଚନ୍ଦ୍ର ନାଥ, ଯାଜପୁରର ଭୂବନ ମୋହନ ମହାନ୍ତି, ସମାଜସେବୀ ସୁମିତ୍ରା ଜେନା, ଶ୍ରୀ ସହଦେବ ସାହୁ , ଅପର୍ଣ୍ଣା ନାୟକ ପ୍ରମୁଖ ଯୋଗଦେଇଥିଲେ ।


Share It

Comments are closed.