କାଲିଫର୍ନିଆରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା, ଭାରତର କଡା ନିନ୍ଦା


ସାରା ଦେଶ ଆଜି ପାଳନ କରୁଛି ଜାତୀୟ ପିତା ମହାତ୍ମ ଗାନ୍ଧୀଙ୍କର ପୁଣ୍ୟତିଥି। ୩୦ ଜାନୁଆରୀ ୧୯୪୮ରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ନାଥୁରାମ ଗଡସେ୍। ଆଜି ଗାନ୍ଧୀଜୀଙ୍କ ତିରୋଧାନ ଦିବସରେ କାଲିଫର୍ନିଆର ଡେଭିସ୍ ସହରରେ ଘଟିଛି ଅଘଟଣ। ସେଠାର ସେଣ୍ଟ୍ରାଲ ପାର୍କରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କିଛି ଅଜଣା ବ୍ୟକ୍ତି ଭାଙ୍ଗି ନେଇଛନ୍ତି। ଏହି ଘଟଣା ୨୮ ଜାନୁଆରୀରେ ଘଟିଥିଲା। ଏହି ପ୍ରତିମୂର୍ତ୍ତି ୨୦୧୬ରେ ଭାରତ ସରକାର ଡେଭିସ୍ ସହରକୁ ଉପହାରରେ ଦେଇଥିଲେ। ଭାରତ ସରକାର ସହରରେ ଘଟିଥିବା ଏହି ଘଟଣାକୁ ନିନ୍ଦା କରିଛନ୍ତି। ଓ୍ବାଶିଂଟନ୍ ଡିସିରେ ଭାରତର ଦୂତାବାସ ଏହି ମାମଲାକୁ ନେଇ ତଦନ୍ତ କରିବାକୁ ଦାବି କରିଛି।

ଏଭଳି ଏକ ଘୃଣିତ କାର୍ଯ୍ୟ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ସାନ୍ ଫ୍ରାନସିସ୍କୋରେ ମଧ୍ୟ ଭାରତର ମହାବାଣିଜ୍ୟ ଦୂତାବାସ ଅଲଗା ଭାବରେ ଡେଭିସ୍ ସହର ଓ ସ୍ଥାନୀୟ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ନିକଟରେ ଏହି ମାମଲା ଉଠାଇଛନ୍ତି, ଯାହା ଉପରେ ତଦନ୍ତ ଆରମ୍ଭ କରିଦିଆଯାଇଛି।ଅନ୍ୟପକ୍ଷେ ଡେଭିସର ମେୟର ଏହି ଘଟଣା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ କହିଛନ୍ତି ମାମଲାର ତଦନ୍ତ ଆରମ୍ଭ କରାଯାଇଛି। ସେ କହିଛନ୍ତି, ଏଭଳି ଘୃଣିତ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଛଡାଯିବ ନାହିଁ।


Share It

Comments are closed.