ଲକଡାଉନ ପାଇଁ ଭିଡିଓ କଲରେ ବିବାହ ହେଲା ସମ୍ପନ୍ନ

କରୋନା ଭାଇରସର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଏହାକୁ କଡ଼ାକଡ଼ି ଭାବେ ସବୁ ରାଜ୍ୟରେ ପାଳନ କରାଯାଉଛି। ଏହି ସମୟରେ କୌଣସି ସ୍ଥାନରେ ଭିଡ଼ ସୃଷ୍ଟି ନ କରିବାକୁ ଚେତାବନୀ ଦିଆଯାଇଛି। ଫଳରେ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବ ଆୟୋଜନ ହୋଇପାରୁ ନାହିଁ। ତେବେ ମହାରାଷ୍ଟ୍ରରେ ଲକଡାଉନ ସତ୍ବେ ଏକ ବିବାହ ସମ୍ପନ୍ନ ହୋଇଛି। ଏଥିରେ କୌଣସି ଭିଡ଼ ବି ସୃଷ୍ଟି କରାଯାଇ ନାହିଁ। ମୁସଲମାନ ପରମ୍ପରା ଅନୁସାରେ ବର ଏବଂ କନ୍ୟାର ନିକାହ(ବିବାହ) କରାଯାଇଛି। ତେବେ କୌତୁହଳର କଥା ହେଉଛି ଭିଡିଓ କଲ୍‌ ଜରିଆରେ ଏହି ବିବାହ ସମ୍ପନ୍ନ ହୋଇଛି। ମହାରାଷ୍ଟ୍ରର ଔରଙ୍ଗାବାଦ ଅଞ୍ଚଳରେ ଏହି ଘଟଣା ଘଟିଛି।

ଔରଙ୍ଗାବାଦର ମହମ୍ମଦ ମିହ୍ନାଜୁଦ ବୀଡ୍‌ ଅଞ୍ଚଳରେ ରହୁଥିବା କନ୍ୟାକୁ ବିବାହ କରିଥିଲେ। ବରର ବାପା ମହମ୍ମଦ ଗୟାଜ କହିଛନ୍ତି, ଉଭୟଙ୍କ ବିବାହ ୬ମାସ ତଳୁ ସ୍ଥିର ହୋଇଥିଲା। ସେତେବେଳେ କରୋନା ଭୂତାଣୁ ନ ଥିଲା। ଏବେ ଲକଡାଉନ ଯୋଗୁ ବିବାହ ମଣ୍ଡପ ବନ୍ଦ ଥିବାରୁ ଏବଂ ଭିଡ଼ ସୃଷ୍ଟି ଉପରେ କଟକଣା ରହିଥିବାରୁ ଭିଡିଓ କଲ୍‌ ଜରିଆରେ ଏହି ବିବାହ କରାଗଲା। କାଜୀ ମୁଫ୍‌ତୀ ଅନୀସ ଉର ରହମନ ଏହି ବିବାହ କରାଇଥିଲେ। ଏହି ବିବାହରେ ଦୁଇ ପରିବାର ବହୁତ ଖୁସି ଅଛନ୍ତି। ଅତି କମ୍‌ ଖର୍ଚ୍ଚରେ ସାଧାରଣ ଆୟୋଜନରେ ବିବାହ ସମ୍ପନ୍ନ ହୋଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବର୍ତ୍ତମାନ କରୋନା ଭୂତାଣୁ ଯୋଗୁ ୪୯୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ସହିତ ୨୬ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.