କିପରି ଥିଲା ଜେଫ ବେଜୋସଙ୍କ ମହାକାଶ ଯାତ୍ରା, ଜାଣନ୍ତୁ


ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଆଜି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ନିଜ କମ୍ପାନି ବ୍ଲୁ ଅରିଜିନ୍‌ ଦ୍ୱାରା ପ୍ରସ୍ତୁତ ରକେଟ୍‌ ଜରିଆରେ ସେ ମହାକାଶ ଯାତ୍ରା କରିଛନ୍ତି । ପ୍ରାୟ ୧୧ ମିନିଟ୍‌ର ଏହି ଯାତ୍ରା ପରେ ସେ ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି। ଏହାଦ୍ୱାରା ମହାକାଶକୁ ଦୌଡ଼ ପ୍ରତିଯୋଗିତା ପ୍ରଶସ୍ତ ହୋଇଛି । ବିଶ୍ୱରେ ସ୍ପେସ୍‌ ଟୁରିଜମ୍‌ ପାଇଁ ନୂଆ ଦ୍ୱାରା ଖୋଲିଛି । ଗତ ସପ୍ତାହରେ ଭର୍ଜିନ୍‌ ଗାଲାକ୍ଟିକ୍‌ ସହାୟତାରେ ଅରବପତି ରିଚାର୍ଡ ବ୍ରାନ୍‌ସନ୍‌ ମହାକାଶ ଯାତ୍ରା କରିଥିଲେ। କିନ୍ତୁ ଅନେକ ଦୃଷ୍ଟିରୁ ବ୍ରାନ୍‌ସନ୍‌ଙ୍କ ଠାରୁ ବେଜୋସ୍‌ଙ୍କ ଯାତ୍ରା ଅଧିକ ମହତ୍ତ୍ୱ ରଖୁଛି ।

ବେଜୋସ୍‌ଙ୍କ ସହିତ ଆଉ ୩ ଜଣ ମହାକାଶ ଯାତ୍ରା କରିଥିଲେ । ସେମାନଙ୍କ ମଧ୍ୟରେ ବେଜୋସ୍‌ଙ୍କ ଭାଇ ମାର୍କ, ୮୨ ବର୍ଷୀୟ ୱାଲି ଫଙ୍କ୍‌ ଓ ୧୮ ବର୍ଷୀୟ ଅଲିଭର୍‌ ଡେମେନ୍‌ ସାମିଲ ଥିଲେ । ଆଜିର ଯାତ୍ରା ଆଧାରରେ ୱାଲି ବିଶ୍ୱର ସବୁଠୁ ବୟସ୍କ ମହାକାଶ ଯାତ୍ରୀ ଏବଂ ଅଲିଭର ସର୍ବକନିଷ୍ଠ ଯାତ୍ରୀ ବିବେଚିତ ହୋଇଛନ୍ତି । ଏହି ଟ୍ରିପ୍‌ ପାଇଁ ଜଣେ ଅଜଣା ବ୍ୟକ୍ତି ୨.୮ କୋଟି ଡଲାରର ଅଫର ଦେଇଥିଲେ । କିନ୍ତୁ କୌଣସି କାରଣରୁ ସେ ଯାତ୍ରାରେ ସାମିଲ ହୋଇପାରି ନ ଥିଲେ । ତାଙ୍କ ସ୍ଥାନରେ ଅଲିଭରଙ୍କୁ ସୁଯୋଗ ମିଳିଥିଲା ।

ଏମିତି ଥିଲା ଯାତ୍ରା:
ବେଜୋସ୍‌ଙ୍କ ବ୍ଲୁ ଅରିଜିନ୍‌ କମ୍ପାନିର ‘ନ୍ୟୁ ସେପର୍ଡ ରକେଟ୍‌’ ୱେଷ୍ଟ ଟେକ୍ସାସ୍‌ର ମରୁଭୂମିରୁ ଭାରତୀୟ ସମୟ ସନ୍ଧ୍ୟା ୬ଟା ୪୨ରେ ଉଡ଼ାଣ ଭରିଥିଲା । ଏଥିପାଇଁ ସମସ୍ତ ଯାତ୍ରୀ ପ୍ରକ୍ଷେପଣର ୪୫ ମିନିଟ୍‌ ପୂର୍ବରୁ ଅନ୍‌ବୋର୍ଡ (କ୍ୟାପ୍‌ସୁଲ୍‌ରେ ପ୍ରବେଶ କରିଥିଲେ) ହୋଇଥିଲେ । କ୍ରୁ ମିଶନ ପାଇଁ ୪୮ ଘଣ୍ଟାର ତାଲିମ ଦିଆଯାଇଥିଲା । ପାଖାପାଖି ୩ ମିନିଟ୍‌ ଉଡ଼ାଣ ପରେ ବ୍ଲୁ ଅରିଜିନ୍‌ର ନ୍ୟୁ ସେପର୍ଡ ରକେଟ୍‌ରୁ ବେଜୋସ୍‌ଙ୍କ କ୍ୟାପ୍‌ସୁଲ୍‌ ପୃଥକ୍‌ ହୋଇ ମହାକାଶରେ ଆଗକୁ ବଢ଼ିଥିଲା । ୪ ମିନିଟ୍‌ ଉଡ଼ାଣ ପରେ ସେମାନେ ୧୦୦ କିଲୋମିଟର ଉପରେ ଅର୍ଥାତ୍‌ କାର୍‌ମନ୍‌ ଲାଇନ୍‌କୁ ପାର୍‌ କରିଥିଲେ । ଏହି ସମୟରେ ଯାତ୍ରୀମାନେ ନିଜକୁ ଓଜନବିହୀନ ଅନୁଭବ କରିଥିଲେ । ଏହାପରେ କ୍ୟାପ୍‌ସୁଲ୍‌ ପୁଣି ପୃଥିବୀ ଅଭିମୁଖେ ଫେରିବା ଆରମ୍ଭ କରିଥିଲା । ୧୧ ମିନିଟ୍‌ର ଉଡ଼ାଣ ପରେ କ୍ୟାପ୍‌ସୁଲ୍‌ ପାରାସୁଟ୍‌ ସହାୟତାରେ ମରୁଭୂମିରେ ଉହ୍ଲାଇଥିଲା । ଏହି ସମୟରେ ରକେଟ୍‌ ମଧ୍ୟ ପୃଥିବୀକୁ ଫେରିଆସିଥିଲା ।

୫୨ ବର୍ଷ ପୂର୍ବେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଚନ୍ଦ୍ରରେ ପହଞ୍ଚିଥିଲେ:

ଆଜକୁ ୫୨ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୬୯ ଜୁଲାଇରେ ଆପୋଲୋ ୧୧ ମହାକାଶ ଯାନ ଦ୍ୱାରା ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଓ ବଜ୍‌ ଏଲ୍‌ଡ୍ରିନ୍‌ ଆଜିର ଦିନରେ ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲେ । ତେଣୁ ନିଜର ମହତ୍ତ୍ୱପୂର୍ଣ୍ଣ ମହାକାଶ ଯାତ୍ରା ପାଇଁ ବେଜୋସ୍‌ ଏହି ତାରିଖକୁ ହିଁ ବାଛିଥିଲେ । ବେଜୋସ୍‌ ଏବଂ ତାଙ୍କର ଟିମ୍‌ ଯେଉଁ ରକେଟ୍‌ ସିପ୍‌ରେ ଉଡ଼ାଣ ଭରିଥିଲେ, ତାହା ସ୍ୱୟଂଚାଳିତ । ସେଥିପାଇଁ କୌଣସି ପାଇଲଟ୍‌ଙ୍କର ଆବଶ୍ୟକତା ନାହିଁ । ଏହାର କ୍ୟାପ୍‌ସୁଲ୍‌ରେ ୬ଟି ସିଟ୍‌ ରହିଛି । କିନ୍ତୁ ଏଥିରେ ୪ ଜଣ ଯାଇଥିଲେ । ନ୍ୟୁ ସେପର୍ଡ ନାମକ ଏହି ରକେଟ୍‌ର ଏ ପର୍ଯ୍ୟନ୍ତ ୧୫ ଉଡ଼ାଣ ସଫଳ ହୋଇସାରିଲାଣି । କିନ୍ତୁ ପୂର୍ବରୁ କୌଣସି ଯାତ୍ରୀ ଯାଇ ନ ଥିଲେ । ନିଜ କମ୍ପାନି ବ୍ଲୁ ଅରିଜିନ୍‌ର ପ୍ରଥମ ମ୍ୟାନ୍‌ଡ ମିଶନରେ ବେଜୋସ୍‌ ସାମିଲ ହୋଇ ଇତିହାସ ରଚିଛନ୍ତି ।


Share It

Comments are closed.