ସୁନିଲ ଗାଭାସ୍କରଙ୍କ ସମର୍ଥନରେ ବାହାରିଲେ ଇରଫାନ, କହିଲେ କିଛି ଏପରି


କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହୋଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ପରେ ଭାରତର ପୂର୍ବତନ ଅଧିନାୟକ ତଥା କମେଣ୍ଟେଟର ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଦେଇଥିବା ମନ୍ତବ୍ୟ ପରେ ଅନେକ ଆଲୋଡ଼ନ ସୃଷ୍ଟି କରିଛି । ଗାଭାସ୍କର ଅନ ଏୟାର କହିଥିଲେ ଯେ କୋହଲି ଲକଡାଉନ ସମୟରେ କେବଳ ଅନୁଷ୍କା ଶର୍ମାଙ୍କ ବୋଲିଂକୁ ସାମ୍ନା କରିଛନ୍ତି । ଗାଭାସ୍କରଙ୍କ ଏହି ମନ୍ତବ୍ୟ ପରେ ଅନୁଷ୍କାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା । ମ୍ୟାଚ୍‌ର ଗୋଟିଏ ଦିନ ପରେ ଅନୁଷ୍କା ସୋସିଆଲ ମିଡିଆ ମାଧ୍ୟମରେ ଗାଭାସ୍କରଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ । ପୂର୍ବତନ ଅଧିନାୟକ ଗାଭାସ୍କରଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ସମର୍ଥନ କରିଥିଲେ ।

ଭାରତର ପୂର୍ବତନ ଖେଳାଳି ଇରଫାନ ପଠାନ ମଧ୍ୟ ଗାଭାସ୍କରଙ୍କ ସମର୍ଥନରେ ଆସି ପରୋକ୍ଷରେ ଅନୁଷ୍କା ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି । ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ ଯେ, “ସୁନୀଲ ଗାଭାସ୍କର, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କ ମନ୍ତବ୍ୟ ଅତ୍ୟନ୍ତ ଅପ୍ରୀତିକର । ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ ଯେ ଆପଣ କାହିଁକି ଏପରି ମନ୍ତବ୍ୟ ଦେଉଛନ୍ତି ଏବଂ କ୍ରିକେଟରଙ୍କ ଖେଳ ପାଇଁ ଆପଣ ତାଙ୍କ ପତ୍ନୀଙ୍କୁ କାହିଁକି ଦୋଷ ଦେଉଛନ୍ତି । ମୁଁ ଭଲ ଭାବେ ଜାଣିଛି, ଗତ କିଛି ବର୍ଷରେ ଆପଣ ପ୍ରତ୍ୟେକ କ୍ରିକେଟର୍ସଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିଛନ୍ତି । ତେବେ କଣ ଆପଣ ଭାବୁ ନାହାନ୍ତି ଯେ ମୋ ସହିତ ମଧ୍ୟ ଏହିଭଳି ହେବା ଉଚିତ ।” ଅନୁଷ୍କାଙ୍କ ଏହି ଟ୍ୱିଟ ପରେ ଇରଫାନ ପଠାନ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି । ଇରଫାନ କହିଛନ୍ତି, ‘ମୁଁ ସବୁବେଳେ ଆପଣଙ୍କୁ ସମ୍ମାନ ଦିଏ ସୁନୀଲ ଗାଭାସ୍କର ସାର ।’ ଅନୁଷ୍କା ଗାଭାସ୍କରଙ୍କ ବୟାନକୁ ଅପ୍ରିୟ କହିଥିବା ଟ୍ୱିଟର ଜବାବରେ ଇରଫାନ ଏହିଭଳି ଟ୍ୱିଟ କରିଛନ୍ତି ।


Share It

Comments are closed.