ରାହୁଲଙ୍କ ମାଡରେ ଆଣ୍ଠେଇଲା ଆରସିବି


ଗୁରୁବାର ଆଇପିଏଲ-୨୦୨୦ର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ବିରାଟ କୋହଲିଙ୍କ ବାଙ୍ଗାଲୋରକୁ ପଞ୍ଜାବ ପରାସ୍ତ କରିଛି । ମ୍ୟାଚର୍ ହିରୋ ଥିଲେ କେଏଲ ରାହୁଲ । ବିସ୍ଫୋରକ ଶତକୀୟ ଇନିଂସ ଖେଳିବା ସହ ପଡିଆର ସବୁ ଦିଗକୁ ସଟ୍ ମାରିଥିଲେ । ଲାଗୁଥିଲା ଯେପରି କେଏଲ ରାହୁଲଙ୍କ ବ୍ୟାଟ୍‌ରେ ଯାଦୁ ଅଛି । କେଏଲ ରାହୁଲଙ୍କ ବ୍ୟାଟିଂ ଆଗରେ କୋହଲିଙ୍କ ସମେତ ବାଙ୍ଗାଲୋର ଖେଳାଳି ନିରୁପାୟ ହୋଇଯାଇଥିଲେ । ଶେଷ ୯ ବଲରେ ରାହୁଲ ୪୨ ରନ୍ କରିଥିଲେ । ଏପରି ଖେଳି ସେ ବିରାଟଙ୍କ ମନୋବଳକୁ ଦୁର୍ବଳ କରିଦେଇଥିଲେ ।

ରାହୁଲଙ୍କ ଶତକ ପଛରେ କେହିକେହି ବାଙ୍ଗାଲୋରର ଖରାପ ଫିଲ୍ଡିଂକୁ ଦାୟୀ କରୁଛନ୍ତି । ଅଧିନାୟକ ବିରାଟ ନିଜେ ଦୁଇଟି କ୍ୟାଚ୍ ଛାଡିଥିଲେ । ରାହୁଲ ୮୩ ରନ୍ କରିଥିବା ବେଳେ ବିରାଟ ତାଙ୍କର ପ୍ରଥମ କ୍ୟାଚ୍ ଛାଡିଥିଲେ । ୮୯ ରନରେ ରାହୁଲଙ୍କୁ ଦ୍ୱିତୀୟ ଥର ଜୀବନଦାନ ମିଳିଥିଲା । ଏହାପରେ ପଡିଆରେ ଛକା ଓ ଚଉକା ବର୍ଷା ହୋଇଥିଲା । ସର୍ବଦା ଜୋସରେ ଦେଖାଯାଉଥିବା ବିରାଟ ନିରାଶ ଲାଗୁଥିଲେ । ଏପରିକି ନର୍ଭସ୍ ମଧ୍ୟ ହୋଇଯାଇଥିଲେ । ଶେଷ ୯ ବଲରେ ରାହୁଲ ୪୨ ରନ୍ କରିଥିଲେ । କେବଳ ୧୯ତମ ଓଭରରେ ରାହୁଲ ୨୬ ରନ କରିଥିଲେ । ଡେଲ୍ ଷ୍ଟେନଙ୍କ ଏହି ଓଭରରେ ରାହୁଲ ୩ ଛକା ଓ ୨ ଚଉକା ଲଗାଇଥିଲେ । ୨୦ତମ ଓଭରରେ ରାହୁଲଙ୍କୁ ଶେଷ ୩ଟି ବଲ୍ ଖେଳିବାକୁ ସୁଯୋଗ ମିଳିଥିଲା । ଏହି ୩ ବଲରୁ ୨ଟି ଛକା ଓ ଗୋଟିଏ ଚୌକା ସଂଗ୍ରହ କରିଥିଲେ ରାହୁଲ । ସେ ନିଜ ଅପରାଜିତ ୧୩୨ ରନରେ ୧୪ ଚୌକା ଓ ୭ ଛକା ଲଗାଇଥିଲେ । ଫଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୦୬ ରନର ବିଶାଳ ସ୍କୋର କରିଥିଲା ।

ଏହାର ଜବାବରେ ବିରାଟଙ୍କ ଆରସିବି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳର କୌଣସି ଖେଳାଳି ବଡ ସ୍କୋର କରିପାରିନଥିଲେ । ଦଳ ମାତ୍ର ୧୦୯ ରନରେ ଅଟକି ଯାଇଥିଲା ।


Share It

Comments are closed.