କ’ଣ ପ୍ଲେ-ଅଫ ଦୈଡରେ ରହି ପାରିବ କୋଲକତା, ଆଜିର ମ୍ୟାଚ ପାଇଁ କ’ଣ ରହିଛି ଦଳର ରଣନୀତି ଜାଣନ୍ତୁ


ଆଜି ଚଳିତ ଆଇପିଏଲ୍‌ର ଏକ ଲିଗ୍‌ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଥିଲେ । ତେଣୁ ଆଜିର ମ୍ୟାଚ୍‌ ଜରିଆରେ ବିଜୟଧାରାକୁ ଫେରିବା ଉଭୟ ଦଳର ଲକ୍ଷ୍ୟ ହେବ । କିନ୍ତୁ କୋଲକାତା ପାଇଁ ଏହି ମ୍ୟାଚ୍‌ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ମ୍ୟାଚ୍‌ ଅପରାହ୍ଣ ୩.୩୦ରୁ ଆରମ୍ଭ ହେବ ।

ପ୍ଲେ-ଅଫ୍‌ ଯୋଗ୍ୟତା ଦୌଡ଼ରେ ଆଗୁଆ ଥିବା କ୍ୟାପିଟାଲ୍ସ ପ୍ରଥମ ପର୍ଯ୍ୟାୟରେ ନାଇଟ୍‌ ରାଇଡର୍ସକୁ ୧୮ରନ୍‌ରେ ହରାଇଥିଲା । ତେଣୁ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ନାଇଟ୍‌ ରାଇଡର୍ସ ପାଇଁ ଆଜିର ମ୍ୟାଚ୍‌ ଜିତିବା ଜରୁରୀ । ଦଳ ୧୦ଟି ମ୍ୟାଚ୍‌ରୁ ୫ ବିଜୟ ସହ ମୋଟ ୧୦ ପଏଣ୍ଟ ପାଇଛି । ପ୍ଲେ-ଅଫ୍‌ ପ୍ରବେଶ ପାଇଁ ଦଳକୁ ଶେଷ ୪ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ।

ଶ୍ରେୟାସ ଆୟରଙ୍କ କ୍ୟାପିଟାଲ୍ସ ଦଳ ପୂର୍ବ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ (୫ ୱିକେଟ୍‌) ନିକଟରୁ ପରାଜିତ ହୋଇଥିଲା । ଓପନର ଶିଖର ଧାୱନଙ୍କ କ୍ରମାଗତ ଦ୍ୱିତୀୟ ଶତକ ସତ୍ତେ୍ୱ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା। ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିଥିବା ରିଶବ ପନ୍ତଙ୍କ ସମେତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‌ ବିଫଳ ହୋଇଥିଲେ। ତେଣୁ ବ୍ୟାଟ୍ସମ୍ୟାନ୍‌ମାନେ ତ୍ରୁଟି ସୁଧାରି ଭଲ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବେ। ଧାୱନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ନାଇଟ୍‌ ରାଇଡର୍ସ ତୁଳନାରେ କ୍ୟାପିଟାଲ୍ସ ବୋଲିଂ ବିଭାଗ ଦୃଢ଼ ରହିଛି । ପେସ୍‌ ବୋଲର କାସିସୋ ରାବାଡ଼ା ଓ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

ନାଇଟ୍‌ ରାଇଡର୍ସ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ନିକଟରୁ ୮ ୱିକେଟ୍‌ରେ ହାରିଯାଇଥିଲା । ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା । ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସାମ୍ନାରେ ଦଳ ୮/୮୪ରନ୍‌ କରିଥିଲା। ଏହା ଅଧିନାୟକ ଇୟନ ମୋର୍ଗାନଙ୍କ ଚିନ୍ତା ବଢ଼ାଇ ଦେଇଛି। ରୟାଲ୍‌ ଚ୍ୟାଲେଞ୍ଜର୍ସ ଅପେକ୍ଷା କ୍ୟାପିଟାଲ୍ସ ସବୁ ବିଭାଗରେ ଶକ୍ତିଶାଳୀ । ତେଣୁ ବିଜୟଧାରାକୁ ଫେରିବାକୁ ହେଲେ ନାଇଟ୍‌ ରାଇଡର୍ସକୁ ସବୁ ବିଭାଗରେ ସଫଳ ପ୍ରଦର୍ଶନ ଦେବାକୁ ପଡ଼ିବ। ଲୋକି ଫର୍ଗୁସନଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ସୁଦୃଢ଼ କରିଛି । କିନ୍ତୁ ବ୍ୟାଟ୍ସମ୍ୟାନ୍‌ଙ୍କ ଫର୍ମ ମୁଖ୍ୟ ସମସ୍ୟା ରହିଛି। ଦୁର୍ଦ୍ଦର୍ଷ ଆନ୍ଦ୍ରେ ରସେଲ ଆହତ ସମସ୍ୟା ପାଇଁ ପୂର୍ବ ମ୍ୟାଚ୍‌ ଖେଳିନଥିଲେ । ତେଣୁ ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି।


Share It

Comments are closed.