ଭାରତର ଏଭଳି ଏକ ଗାଁ ଯେଉଁଠାରେ ଏବେ ଯାଏଁ ବି ପହଞ୍ଚି ପାରିନାହିଁ କରୋନା


ଭାରତରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠି ଏଯାଏଁ ପହଞ୍ଚିପାରିନି କରୋନା। ଏଭଳି ଏକ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଛିନ୍ଦୱାରାରେ। ଏହି ସ୍ଥାନର ନାମ ପାତାଳକୋଟ। ଏହାକୁ ପାତାଳଲୋକ ମଧ୍ୟ କୁହାଯାଏ। ଏହି ସ୍ଥାନ ବିଭିନ୍ନ ଔଷଧିରେ ପରିପୂର୍ଣ୍ଣ। ଏଠାରେ ଭୂରିଆ ଜନଜାତିର ଲୋକମାନେ ବସବାସ କରନ୍ତି। ସେମାନେ ମୁଖ୍ୟତଃ ଛୋଟ ଛୋଟ କୁଡିଆ ଘର କରି ରୁହନ୍ତି। ଏଠାରେ ୧୨ଟି ଗ୍ରାମ ଭୂମି ଠାରୁ ପ୍ରାୟ ୩୦୦୦ ମିଟର ତଳେ ଅବସ୍ଥିତ। ଏପରିକି ଏହି ସ୍ଥାନରେ ସୂର୍ଯ୍ୟାଲୋକ ମଧ୍ୟ ପଡେ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ମହାମାରୀ କରୋନା ଭୂତାଣୁ ସାରା ବିଶ୍ଵକୁ ନୟାନ୍ତ କରିଥିବା ବେଳେ ପାତାଳକୋଟକୁ ଏଯାଏଁ ଛୁଇଁ ପାରିନି।

ପାତାଳକୋଟରେ ରହୁଥିବା ଜନଜାତିର ଲୋକମାନେ ବାହାର ଦୁନିଆ ସହ ସମ୍ପର୍କ ରଖନ୍ତି ନାହିଁ। ସେମାନେ ଆତ୍ମନିର୍ଭର ହୋଇ ବସବାସ କରନ୍ତି। ଏହି ଜନଜାତିର ଲୋକମାନେ ନିଜ ଖାଦ୍ୟ ନିଜେ ଉତ୍ପାଦନ କରିଥାନ୍ତି ଏବଂ କେବଳ ଲୁଣ କିଣିବା ପାଇଁ ଗାଁ ବାହାରକୁ ଆସନ୍ତି। ତେବେ କିଛି ବର୍ଷ ହେବ ଏହି ଜନଜାତିର କିଛି ଲୋକ ଏବେ ଏହି ଗଭୀର ଉପତ୍ୟକାରୁ ବାହାରକୁ ଆସି ପାହାଡର ଉପରି ଭାଗରେ ବସବାସ କଲେଣି।

ଏହି ସ୍ଥାନରେ ବହୁ ଔଷଧୀୟ ଉଦ୍ଭିଦ ରହିଛି। ଏଠାରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଏବଂ ପକ୍ଷୀମାନେ ମଧ୍ୟ ବସବାସ କରୁଛନ୍ତି। ଦୁଧୀ ନଦୀ ଏଠାକାର ବାସିନ୍ଦାଙ୍କ ପାଇଁ ଜଳର ଏକମାତ୍ର ଉତ୍ସ ଭାବରେ କାର୍ଯ୍ୟ କରିଥାଏ। କୌତୁହଳର ବିଷୟ ହେଉଛି ଯେ, ଏଠାରେ ମଧ୍ୟାହ୍ନ ପରେ ସମଗ୍ର ଅଞ୍ଚଳ ଅନ୍ଧାର ହୋଇଯାଏ। କାରଣ ସୂର୍ଯ୍ୟକିରଣ ଏହି ଉପତ୍ୟକାର ଗଭୀରତାରେ ପହଞ୍ଚିପାରେ ନାହିଁ। ରେକର୍ଡ ଅନୁଯାୟୀ, ଏହି ଉପତ୍ୟକାର ଉପରିଭାଗ ୧୨୦୦ ରୁ ୧୫୦୦ ଫୁଟ ଉଚ୍ଚ ଅଟେ।

ପାତାଳକୋଟକୁ ନେଇ ବହୁ ପୌରାଣିକ କଥା ପ୍ରଚଳିତ ହେଉଛି। ପୌରାଣିକ କଥା ଅନୁଯାୟୀ, ଏହି ସ୍ଥାନରେ ମାତା ସୀତା ମା ବସୁଧାଙ୍କ କୋଳରେ ସମାହିତ ହୋଇଥିଲେ। ସେହିପରି ଆଉ କେହି ମଧ୍ୟ କୁହନ୍ତି ଯେ, ଅହିରାବଣ କବଳରୁ ପ୍ରଭୁ ରାମ ଓ ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ଏହି ସ୍ଥାନରେ ବୀର ହନୁମାନ ପାତାଳକୁ ପ୍ରବେଶ କରିଥିଲେ।


Share It

Comments are closed.