୧୨ ଘଣ୍ଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ, ୩୨ କି.ମି ବେଗରେ ମାଡ଼ି ଆସୁଛି ‘ଜୱାଦ’


ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ। ଏହା ଅଧିକ ଘନୀଭୂତ ହୋଇ ୧୨ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଶନିବାର ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିବ ବାତ୍ୟା। ଏହା ବର୍ତ୍ତମାନ ଗୋପାଳପୁର ଠାରୁ ୬୭୦ କି.ମି ଦୂରରେ ଥିବା ବେଳେ ପାରାଦୀପ ଠାରୁ ୭୬୦ କି.ମି ଦୂରରେ ରହିଛି। ଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୩୨ କି.ମି ବେଗରେ ମାଡ଼ି ଆସୁଛି ବାତ୍ୟା ଜୱାଦ। ପବନର ବେଗ ୮୦ରୁ ୯୦ ରହିବା ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଇଏମଡିର ଆକଳନ ଅନୁଯାୟୀ, ଶୁକ୍ରବାରଠାରୁ କ୍ରମଶଃ ପାଗ ବଦଳିବ । ଦକ୍ଷିଣ ଓଡ଼ିଶା ଉପକୂଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ ଗୋଟିଏ ଦୁଇଟି ସ୍ଥାନରେ । ସର୍ବାଧିକ ପ୍ରଭାବ ପଡ଼ିବ ଶନିବାର । ସାରା ଉପକୂଳରେ ବର୍ଷା ହେବ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏମିତିକି ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ଅଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ରବିବାର (୫ ତାରିଖ) ଉତ୍ତର ଉପକୂଳରେ ଅଧିକ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସୋମବାର (୬ ତାରିଖ) ଉତ୍ତର ଉପକୂଳରେ କେତେକ ଜାଗାରେ ବର୍ଷା ହେବ । କିଛି ଜିଲ୍ଲାରେ ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ମଧ୍ୟରାତ୍ରିରୁ ସମୁଦ୍ର ଅଧିକ ଅଶାନ୍ତ ହୋଇ ଉଠିବ । ତେଣୁ ୫ ତାରିଖ ଯାଏଁ ସମୁଦ୍ର ଓ ଚିଲିକାରେ ମାଛ ଧରିବା ବାରଣ କରାଯାଇଛି ।


Share It

Comments are closed.