ଗୋଟିଏ ଦିନ ପରେ ବାରବାଟୀ ଲଢେଇ ଏବଂ କ’ଣ ରହିଛି ଷ୍ଟାଡିୟମର ଇତିହାସ, ଜାଣନ୍ତୁ


ଆଉ ଗୋଟିଏ ଦିନ ପରେ ବାରବାଟୀରେ ଖେଳାଯିବ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟ ହାଇଭୋଲଟେଜ ମ୍ୟାଚ । ଏଥିପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଯାଇଥିବାବେଳେ ଅନ୍ୟପଟେ ଏହା ଭାରତ ପାଇଁ ଲକି ଷ୍ଟାଡିୟମ ବୋଲି ସମସ୍ତଙ୍କୁ ଜଣା । ଏଠାରେ ଭାରତ ୧୮ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଛି । ସେଥିମଧ୍ୟରୁ ୧୨ଟିରେ ଦଳ ବିଜୟ ହାସଲ କରିଥିବାବେଳେ ବାକି ୬ଟି ମଧ୍ୟରୁ ୪ଟିରେ ପରାଜୟ ଏବଂ ୨ଟି ବର୍ଷା ଯୋଗୁଁ ବାତିଲ କରାଇ ଦିଆଯାଇଥିଲା ।
ସେହିପରି ଦୁଇଟି ଟେଷ୍ଟ ମଧ୍ୟରୁ ଗୋଟିଏରେ ବିଜୟ ହାସଲ କରିଥିବାବେଳେ ଅନ୍ୟଟି ଡ୍ର ରହିଥିଲା । ଏହା ସହ ଏଠାରେ ଭାରତ ଦୁଇଟି ଟି-୨୦ ମ୍ୟାଚ ମଧ୍ୟ ଖେଳିଛି । ସେଥିମଧ୍ୟରୁ ଗୋଟିଏରେ ବିଜୟ ହାସଲ କରିଥିବାବେଳେ ଅନ୍ୟଟିରେ ପରାଜୟ । ଏହି ଷ୍ଟାଡିୟମରେ ସର୍ବାଧିକ ମ୍ୟାଚ ଖେଳିଥିବାରେ ବିଦେଶୀ ଦଳ ଭାବେ ଇଂଲଣ୍ଡ ବହୁ ଆଗରେ ରହିଥିବାବେଳେ ସେ ୬ଟି ମ୍ୟାଚ ମଧ୍ୟରୁ ୩ଟିରେ ବିଜୟ ହାସଲ କରିଥିବାବେଳେ ବାକି ୩ରେ ପରାସ୍ତ ହୋଇଥିଲା ।
ବାରବାଟୀରେ ସର୍ବପ୍ରଥମେ ୧୯୮୨ ଜାନୁଆରୀ ୨୭ରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ଖେଳାଯାଇଥିବାବେଳେ ବର୍ତ୍ତମାନ ସମସ୍ତ ଫର୍ମାଟକୁ ମିଶାଇ ଏଠାରେ ୨୪ଟି ଆନ୍ତର୍ଜାତିକ ମ୍ୟାଚ ଖେଳାଯାଇ ସାରିଛି । ଏହି ଷ୍ଟାଡିୟମରେ ଦୁଇଟି ବିଶ୍ୱକପ ମ୍ୟାଚ ଖେଳାଯାଇଛି । ୧୯୮୭ରେ ଏଠାରେ ପ୍ରଥମ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା ଏଠାରେ ଅଷ୍ଟ୍ରେଲିଆ ଜିମ୍ବାୱେକୁ ୭୦ ରନରେ ପରାସ୍ତ କରିଥିଲା । ସେହି ୧୯୯୬ ବିଶ୍ୱକପ ମ୍ୟାଚରେ ଭାରତ ଏହି ଷ୍ଟାଡିୟମରେ କେନିଆକୁ ୬ଟି ୱିକେଟରେ ମାତ ଦେଇଥିଲା ।
ସେହିଭଳି ୧୯୮୭ରେ ଭାରତ ଓ ଶ୍ରୀଲଙ୍କା ଏବଂ ୧୯୯୫ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚଟି ଡ୍ର ରହିଥିଲା ।
ପ୍ରଥମଥର ପାଇଁ ବାରବାଟୀରେ ୨୦୧୫ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯାଇଥିଲା । ଏହି ଷ୍ଟାଡିୟମରେ ଭାରତ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଥିଲା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୬ଟି ୱିକେଟରେ ପରାସ୍ତ କରିଥିଲା । ତେବେ ଏହା ପରେ ୨୦୧୭ ଡିସେମ୍ବର ୨୦ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚରୁ ଦଳ ୯୩ରେ ବୃହତ୍ତ ବିଜୟ ହାସଲ କରିଥିଲା ।
ବାରବାଟୀରେ ଯଦି ବ୍ୟାଟିଙ୍ଗ ରେକର୍ଡ ଉପରେ ନଜର ପକାଇବା ତେବେ ଏଥିରେ ସବୁଠାରୁ ଆଗରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ ଏହି ଷ୍ଟାଡିୟମରେ ସର୍ବାଧିକ ୧୦ ମ୍ୟାଚ ଖେଳି ୪୬୯ ରନ ହାସଲ କରିଛନ୍ତି ।


Share It

Comments are closed.