ଆଜି ‘ଜନତା କର୍ଫ୍ୟୁ’, କାହାରିକୁ ଘରୁ ନ ବାହାରିବାକୁ ପରାମର୍ଶ


 ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିଚାଲିଛି। ସରକାରଙ୍କ ତଥ୍ୟ ଅନୁଯାୟୀ ଦେଶରେ ୨୯୪ଟି କରୋନା ସଂକ୍ରମଣ ମାମଲା ସ୍ପଷ୍ଟ ହୋଇଥିବା ବେଳେ ଏହି ସଂଖ୍ୟା ରାତି ୧୦ଟା ସୁଦ୍ଧା ୩୨୪ରେ ପହଞ୍ଚିଛି। ଦେଶବାସୀ ଡାକ୍ତର ଏବଂ କର୍ତ୍ତୃପକ୍ଷଙ୍କ ପରାମର୍ଶ ମାନି ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରିଛନ୍ତି। ଆସନ୍ତାକାଲି ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିବାରୁ ଏଥିପାଇଁ ମଧ୍ୟ ଜନସାଧାରଣ ପ୍ରସ୍ତୁତ ଅଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନା ବାହାରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ଜନତା କର୍ଫ୍ୟୁର ପୁନରାବୃତ୍ତି ହେବ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ଲୋକମାନେ ଅତ୍ୟନ୍ତ ଜରୁରି ନଥିଲେ ଘରୁ ନବାହାରିବା ଲାଗି କୁହାଯାଇଛି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆଜି ୨୦ଟି ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି। କରୋନା ଟେଷ୍ଟିଂ ପାଇଁ ଦେଶରେ ଏ ପର୍ଯ୍ୟନ୍ତ ୧୧୧ଟି ଲ୍ୟାବ୍‌ ପ୍ରତିଷ୍ଠା କରାଯାଇଛି ଏବଂ ଆଗକୁ ଅଧିକ ଲ୍ୟାବ ସ୍ଥାପନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ଆଜି କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ଫାର୍ମାସ୍ୟୁଟିକାଲ ସଂଘର ସଦସ୍ୟମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଦ୍ବାରା ଆଲୋଚନା କରିଛନ୍ତି। ମାସ୍କ ଏବଂ ସାନିଟାଇଜରର ମୂଲ୍ୟକୁ ନେଇ ଜାରି ହୋଇଥିବା ବିଜ୍ଞପ୍ତି ୩୦ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଭାରତରେ ଗତ ୩ ଦିନ ମଧ୍ୟରେ ୧୫୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିବାରୁ ଆଗକୁ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ କହିଛନ୍ତି ରାଜ୍ୟରେ ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ତେବେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଏବେ ମହାରାଷ୍ଟ୍ରରେ ଅଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି । ଏଠାରେ ୩ ଜଣ ବିଦେଶୀ ନାଗରିକ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ଆଜି ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାମିଲନାଡ଼ୁରେ ଆଜି ୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ପୁଡ଼ୁଚେରୀରେ ଆଜିଠାରୁ କଟକଣା ଅଧିକ କଡ଼ାକଡ଼ି ହୋଇଛି ଏବଂ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାରା ୧୪୪ ଜାରି ହୋଇଛି। ବିହାରରେ ଲକ୍‌ଡାଉନ୍‌ ପ୍ରକ୍ରିୟା ଆରମ୍ଭ ପାଇଁ ସରକାର ଚିନ୍ତା କରୁଛନ୍ତି ଏବଂ ଆଜିଠାରୁ ବସ୍‌ ଚଳାଚଳ ବନ୍ଦ ହୋଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରେଷ୍ଟୁରାଷ୍ଟ୍‌ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚି ଥିବାରୁ ସରକାର କଟକଣା କଡ଼ାକଡ଼ି କରିଛନ୍ତି ଏବଂ ଆବଶ୍ୟକସ୍ଥଳେ ଲକ୍‌ଡାଉନ୍‌ ଘୋଷଣା ପାଇଁ ପ୍ରସ୍ତୁତି ଚାଲିଛି। ଦିଲ୍ଲୀରେ ସଂସଦ ଭବନ ପରିସରରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦିଲ୍ଲୀ ସରକାର ସମସ୍ତ ରାତ୍ରୀ ଆଶ୍ରୟସ୍ଥଳରେ ଲୋକଙ୍କୁ ମାଗଣା ଭୋଜନ ବ୍ୟବସ୍ଥା କରିଛନ୍ତି। ପଶ୍ଚିମବଂଗ ସରକାର ସମସ୍ତ ରେଷ୍ଟୁରାଣ୍ଟ, ବାର୍‌, ପବ୍‌ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ପଂଜାବରେ ୭ଟି ନୂଆ ମାମଲା ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି ଏବଂ ରାଜ୍ୟର ୯ଟି ସହରରେ କଟକଣା ଅଧିକ କଡ଼ାକଡ଼ି କରାଯାଇଛି।


Share It

Comments are closed.