ଆଇଏଚ୍‌ସିଏଲ୍ ଦକ୍ଷତା ତାଲିମ୍ କେନ୍ଦ୍ର ସ୍ଥାପନ କରିବ


ଭୁବନେଶ୍ୱର : ଭାରତର ସର୍ବବୃହତ୍ ହସ୍ପିଟାଲିଟି କମ୍ପାନୀ ଇଣ୍ଡିଆନ୍ ହୋଟେଲ୍ସ କମ୍ପାନୀ ଲିମିଟେଡ (ଆଇଏଚ୍‌ସିଏଲ୍‌) ଉତର ପୂର୍ବାଂଚଳରେ ଏକ ଆତିଥ୍ୟ-କୈନ୍ଦ୍ରିକ ଦକ୍ଷତା ତାଲିମ୍ କେନ୍ଦ୍ର ସ୍ଥାପନ କରିବା ପାଇଁ ଆସାମ ସରକାରଙ୍କ ସହ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛି । ଏହି ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ରେସିଡେନ୍ସିଆଲ ସେଂଟର୍ ଅଫ୍ ଏକ୍ସିଲେନ୍ସକୁ ଆସାମ ଟୁରିଜିମ୍ ଡେଭ୍‌ଲପ୍‌ମେଂଟ୍ କର୍ପୋରେଶନ ଲିଃ (ଏଟିଡିସିଏଲ୍‌), ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ୍ (ଟିସିଆଇଟି)ର ଟାଟା ଷ୍ଟ୍ରାଇଭ୍ ସ୍କିଲ୍ ଡେଭ୍‌ଲପ୍‌ମେଂଟ୍ ଇନିସିଏଟିଭ୍ ଏବଂ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ) ସହ ସହଭାଗିତାରେ ବିକଶିତ କରାଯିବ । ଏହି ସେଂଟର୍ ଆର୍ଥିକ ଦୁର୍ବଳ ବର୍ଗ ଏବଂ ସାମାଜିକ ସୁବିଧାରୁ ବଂଚିତ ସ୍ଥାନୀୟ ସମୁଦାୟଗୁଡିକରୁ ପ୍ରତିଭାମାନଙ୍କୁ ବିକଶିତ କରିବାକୁ ଲକ୍ଷ୍ୟ ରଖିଛି । ଆଇଏଚ୍‌ସିଏଲ୍‌, ଟାଟା ଷ୍ଟ୍ରାଇଭ୍‌କୁ ସହଯୋଗ କରିବା ପାଇଁ ମୌଳିକ ବିଷୟବସ୍ତୁ ଓ ସବ୍‌ଜେକ୍ଟ ମ୍ୟାଟର୍ ଏକ୍ସପର୍ଟାଇଜ୍ (ଏସ୍‌ଏମ୍‌ଇ) ଦେବା ବ୍ୟତୀତ ଟାଟା ଷ୍ଟ୍ରାଇଭ୍ ସହ ମିଶି ଟ୍ରେନିଙ୍ଗ୍ ଲ୍ୟାବ୍‌ଗୁଡିକ ପାଇଁ ଉପକରଣ ପ୍ରଦାନ କରିବ । ଏମ୍‌ଏସ୍‌ଡିଇ ଓ ଏଟିଡିସିଏଲ୍ ୧୦ ବର୍ଷ ପାଇଁ ଏହି ସେଂଟର୍ ଅଫ୍ ଏକ୍ସିଲେନ୍ସକୁ ଆର୍ଥିକ ଓ ଭିତିଭୂମି ସହଯୋଗ ପ୍ରଦାନ କରିବେ ।
ଏସମ୍ପର୍କରେ ଆଇଏଚ୍‌ସିଏଲ୍‌ର ମାନବ ସମ୍ବଳ ବିଭାଗର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଗୌରବ ପୋଖରିୟାଲ କହିଛନ୍ତି,’ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟତା ଓ ସମୃଦ୍ଧ ଇତିହାସ ପାଇଁ ପରିଚିତ ଆସାମରେ ଅନେକ ସ୍ଥାନୀୟ ପ୍ରତିଭା ମଧ୍ୟ ରହିଛନ୍ତି । ଏହି ଅଂଚଳର ପ୍ରତିଭାମାନଙ୍କ କ୍ଷମତାକୁ ବ୍ୟବହାର କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି । ତେଣୁ ଏକ ଆତିଥ୍ୟ-କୈନ୍ଦ୍ରିକ ଦକ୍ଷତା କେନ୍ଦ୍ର ସ୍ଥାପନ କରିବା ପାଇଁ ଆମେ ଆସାମ ସରକାର ଓ ଆମର ସହଯୋଗୀମାନଙ୍କ ସହ ସହଭାଗିତା କରି ଗର୍ବ ଅନୁଭବ କରୁଛୁ । ଏହି ଦକ୍ଷତା କେନ୍ଦ୍ରରେ ତାଲିମ୍ ଆଗାମୀ ବର୍ଷଗୁଡିକରେ ନିଯୁକ୍ତି କ୍ଷେତ୍ରରେ ରହିଥିବା ଅନ୍ତରକୁ ଦୂର କରିବାରେ ସାହାଯ୍ୟ କରିବ ।’ ଗୌହାଟୀ ନିକଟରେ ଓମିଓ କୁମାର ଦାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ଚେଞ୍ଜ୍ ଆଣ୍ଡ୍ ଡେଭ୍‌ଲପ୍‌ମେଂଟ୍ (ଓକେଡି ଇନ୍‌ଷ୍ଟିଚ୍ୟୁଟ୍‌)ରେ ଅବସ୍ଥିତ ଏହି ଆବାସିକ ଦକ୍ଷତା କେନ୍ଦ୍ର ଉତର ପୂର୍ବାଂଚଳର ଯୁବପିଢିଙ୍କୁ ବିଭିନ୍ନ ହସ୍ପିଟାଲିଟି ସେଗ୍‌ମେଂଟ୍‌ରେ ଦକ୍ଷତା ତାଲିମ୍ ପ୍ରଦାନ କରିବ । ସେହିପରି ସ୍ୱଳ୍ପ ଓ ଦୀର୍ଘାବଧି ପାଠ୍ୟକ୍ରମଗୁଡିକ ଶିଳ୍ପ ସମ୍ପର୍କିତ ଜ୍ଞାନ ପ୍ରଦାନ କରିବ ଯାହା ନିଯୁକ୍ତି ଓ ଉଦ୍ୟୋଗ ପାଇଁ ଆବଶ୍ୟକ । ପ୍ରଶିକ୍ଷଣ ସଫଳତାର ସହ ଶେଷ ହେବା ପରେ ଯୁବିପିଢିଙ୍କ ନିକଟରେ ନିର୍ଦ୍ଧିଷ୍ଟ ଆଇଏଚ୍‌ସିଏଲ୍ ହୋଟେଲ୍‌ଗୁଡିକରେ ଇଂଟର୍ଣ୍ଣସିପ୍ ପାଇଁ ସୁଯୋଗ ରହିବ ।


Share It

Comments are closed.