ସ୍ଥାନୀୟ ସଂସ୍ଥାଙ୍କ ସହ ସହଯୋଗିତା ଲାଗି ଦେଶବିଦେଶର ଟୁର୍ ଅପରେଟର ଆଗ୍ରହୀ


ଭୁବନେଶ୍ୱର: ପଯ୍ୟଟନ, ଟ୍ରାଭେଲ ଓ ଆତିଥେୟତା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବା ଲାଗି ଦେଶବିଦେଶର ଟୁର ଅପରେଟରମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ର ତୃତୀୟ ଦିନରେ ରେକର୍ଡ ୩,୩୭୭ ସଂଖ୍ୟକ କ୍ରେତା-ବିକ୍ରେତା ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଟୁର ଅପରେଟରମାନେ ଅଂଶଗ୍ରହଣ କରି ସେମାନଙ୍କ ସମ୍ଭାବ୍ୟ ବୁଝାମଣା ସମ୍ପର୍କରେ ଆଲୋଚନା କରିଥିଲେ । ଦିନ ତମାମ ଚାଲିଥିବା ଏହି ବୈଠକଗୁଡ଼ିକରେ କିଛି ଟୁର୍ ଅପରେଟର ସହଯୋଗିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଓଡ଼ିଶାରେ ଥିବା ସୁଯୋଗକୁ ନେଇ ବହୁ ବିକ୍ରେତା ବେଶ ଆଶାବାଦୀ ଓ ଉତ୍ସାହିତ ଥିଲେ ।

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଶିଳ୍ପ ସଂଘ ଫିକି ପକ୍ଷରୁ ଆୟୋଜନ କରାଯାଇଥିବା ଚତୁର୍ଥ ଓଡ଼ିଶା ଟ୍ରାଭେଲ ବଜାର ଆଜି ଉଦ୍‌ଯାପିତ ହୋଇଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମର ଅଂଶ ଭାବେ ଟୁର ଅପରେଟରମାନେ ଭୁବନେଶ୍ୱର, ପୁରୀ, ଚିଲିକା, ଧଉଳି, ଭିତରକନିକା ଓ ଲଳିତଗିରି ଭଳି ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଛନ୍ତି । ନିବେଶକ ଓ ଏୟାରଲାଇନ୍ସଗୁଡ଼ିକ ସହ ବି୨ଜି ବୈଠକ ମଧ୍ୟ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ସ୍ଥାପନ କରାଯାଇଥିବା ଏକ ପ୍ରଦର୍ଶନୀରେ ବିକ୍ରେତାମାନେ ସେମାନଙ୍କ ଉତ୍ପାଦକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପର୍ଯ୍ୟଟନର ବିକାଶ ଲାଗି ପ୍ରସ୍ତୁତ କରାଯାଇଥିବା ମାଷ୍ଟର ପ୍ଲାନ ନିମନ୍ତେ ୧୭ଟି ସ୍ଥାନକୁ ଚିହ୍ନଟ କରାଯାଇଛି ବୋଲି ସେ କହିଥିଲେ । ସେଥିରେ ସାମିଲ ରହିଛି ବେଳାଭୂମି, ଜୈବ-ବିବିଧତା ଅଂଚଳ, ଐତିହାସିକ ସ୍ଥାପତ୍ୟ, ଧାର୍ମିକ ଓ ସାସ୍କୃତିକ ଗୁରୁତ୍ୱ ବହନ କରୁଥିବା ସ୍ଥାନ ଯାହା ସ୍ୱତନ୍ତ୍ର ପର୍ଯ୍ୟଟନ ଅନୁଭୂତି ପ୍ରଦାନ କରିବ । ପର୍ଯ୍ୟଟନ ଅନୁଭବକୁ ଆହୁରି ସମୃଦ୍ଧ କରିବା ଲାଗି ବୋଟ ପର୍ଯ୍ୟଟନ, କ୍ୟାମ୍ପିଂ, ଐତିହାସିକ ରାଜପ୍ରାସାଦରେ ରହଣୀ, ଜଳ ଭିତିକ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶ କରାଯାଉଛି ଏବଂ ତାହାକୁ ସଂସ୍ଥାର ରୂପ ପ୍ରଦାନ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ ।

ଚତୁର୍ଥ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ରେ ବାଲାଂଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ୍ ଓ ଭିତଏନାମ ଭଳି ଦେଶରୁ ୨୨ଟି ବିଦେଶୀ ଟୁର ଅପରେଟର ଏବଂ ଭାରତର ବିଭିନ୍ନ ସ୍ଥାନ ଯଥା ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ, ଗୁଆହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳଗିରି, ମୁମ୍ବାଇ, ନାଗପୁର, ନାସିକ, ନୂଆଦିଲ୍ଲୀ ଓ ଏନସିଆର, ପଂଜିମ୍‌, ପୁନେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ରନଗର, ତ୍ରିଭେନ୍ଦ୍ରମ, ବାରାଣାସୀ ଓ ବିଶାଖାପାଟଣା ଆଦିରୁ ୮୩ ଟୁର ଅପରେଟର ଅଂଶଗ୍ରହଣ କରିଛନ୍ତି ।

ଓଡ଼ିଶା ଟ୍ରାଭେଲ ବଜାର ପରିସରରେ ଦ୍ୱିତୀୟ ଦିନରେ ଅଗ୍ରଣୀ ଜାତୀୟ ତଥା ଆନ୍ତର୍ଜାତୀୟ ହସ୍ପିଟାଲିଟି ଏବଂ ୱେଲନେସ ଗ୍ରୁପଗୁଡ଼ିକ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସହିତ ଓଡ଼ିଶାରେ ନିବେଶର ସମ୍ଭାବ୍ୟ ସୁଯୋଗ ଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ପାତ୍ର, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ଫିକିର ଟ୍ରାଭେଲ୍‌, ପର୍ଯ୍ୟଟନ ଓ ଆତିଥେୟତା କମିଟିର ସହ-ଅଧ୍ୟକ୍ଷ ଏବଂ ସ୍ୱସ୍ତି ହୋଟେଲ୍‌ସର ସିଏମ୍‌ଡି ଶ୍ରୀଯୁକ୍ତ ଜେ କେ ମହାନ୍ତି ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଓଏସ୍‌ଡି ଶ୍ରୀଯୁକ୍ତ ଅଂଶୁମାନ ରଥ ଉପସ୍ଥିତ ଥିଲେ ।


Share It

Comments are closed.