ହକି ବିଶ୍ୱକପ୍‌ ପାଇଁ ୫ରୁ ଦେଶ ଭ୍ରମଣ କରିବ ବିଶ୍ୱକପ୍‌ ଟ୍ରଫି


ଜାନୁଆରୀ ମାସ ୧୩ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌ । ଏହାର ମାସକ ପୂର୍ବରୁ ବିଶ୍ୱକପ୍‌ ଟ୍ରଫି ସାରା ଦେଶ ଭ୍ରମଣ କରିବ । ଆସନ୍ତା ୫ ତାରିଖରେ ଭୁବନେଶ୍ୱରରୁ ଏହି ଭ୍ରମଣ ଯାତ୍ରା ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ଆସନ୍ତା ୬ ତାରିଖରେ କୋଲକାତା, ୭ରେ ଇମ୍ଫାଲ, ୮ରେ ଗୌହାଟୀ, ୧୦ରେ ଜାମସେଦପୁର, ୧୧ରେ ରାଞ୍ଚି, ୧୨ରେ ଲକ୍ଷ୍ନୌ ୧୩ରେ ପଞ୍ଜାବ/ୟୁପି, ୧୪ରେ ଅମ୍ରିତସର, ୧୫ରେ ସୋନିପତ, ୧୬ ଓ ୧୭ ଦିଲ୍ଲୀ, ୧୮ରେ ଭୋପାଳ, ୨୦ରେ ମୁମ୍ବାଇ, ୨୧ରେ ଚେନ୍ନାଇ, ୨୨ରେ ଥିରୁଭନନ୍ତପୁରମ ଏବଂ ୨୪ରେ ବେଙ୍ଗାଲୁରୁ ଭ୍ରମଣ ପରେ ପୁଣି ଟ୍ରଫି ୨୫ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବ । ଏହାପରେ ଟ୍ରଫିକୁ ସାରା ଓଡ଼ିଶାରେ ଭ୍ରମଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

୨୦୧୮ ବିଶ୍ୱକପ୍‌ ଆୟୋଜନ ସଫଳ ହେବା ପରେ ପୁଣି କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ବିଶ୍ୱକପ୍‌ ଆୟୋଜନ କରୁଛି । ୨୦୨୩ ସଂସ୍କରଣକୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ କରାଯାଉଛି । ଏଥିପାଇଁ ରାଉରକେଲାରେ ନିର୍ମାଣ କରାଯାଇଛି ବିଶ୍ୱର ବୃହତ୍‌ ହକି ଷ୍ଟାଡିୟମ (ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ) । ଯାହାର ଦର୍ଶକ ଧାରଣ କ୍ଷମତା ରହିଛି ୨୦ ହଜାର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୧୬ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖି ପାରିବାର ବ୍ୟବସ୍ଥା ହୋଇଛି ।

ରାଉରକେଲାରେ ଭାରତ ମ୍ୟାଚ୍‌ର ଟିକେଟ୍‌ ଶେଷ ଅନ୍‌ଲାଇନରେ ଦର୍ଶକଙ୍କ ପାଇଁ କେତେ ଟିକେଟ୍‌ ବିକ୍ରି ହେଉଛି ସେ ବିଷୟରେ ଆୟୋଜକ କିମ୍ବା ହକି ଇଣ୍ଡିଆ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ‘ପେଟିଏମ୍‌ ଇନସାଇଡର’ରେ ବିଶ୍ୱକପ୍‌ ଟିକେଟ୍‌ ବିକ୍ରି ହେଉଛି । ଏହି ୱେବସାଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ, ଘରୋଇ ଭାରତୀୟ ଦଳ ରାଉରକେଲାରେ ଜାନୁଆରୀ ୧୩ ଓ ୧୫ ତାରିଖରେ ଦୁଇଟି ପୁଲ ମ୍ୟାଚ୍‌ ଖେଳିବ । ଏହି ଦୁଇଟି ମ୍ୟାଚ୍‌ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମର ସମସ୍ତ ଟିକେଟ୍‌ ବିକ୍ରି ହୋଇ ସାରିଛି । ସେମିତି ୧୪ ଓ ୨୦ ତାରିଖ ମ୍ୟାଚ୍‌ ପାଇଁ ଅର୍ଦ୍ଧାଧିକ ଟିକେଟ୍‌ ଶେଷ ହୋଇଛି ।

ଭୁବନେଶ୍ୱରରେ ଭାରତୀୟ ଦଳ ଜାନୁଆରୀ ୧୯ ତାରିଖରେ ଶେଷ ପୁଲ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ପାଇଁ ଅଳ୍ପ କିଛି ୨୦୦ ଟଙ୍କିଆ ଟିକେଟ୍‌ ବିକ୍ରି ହେବାକୁ ବାକି ରହିଛି । ସେହିପରି ୨୯ ତାରିଖରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ ପାଇଁ ଅଧାରୁ ଊଦ୍ଧ୍ୱର୍ ଟିକେଟ୍‌ ବିକ୍ରି ଶେଷ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଅବଶିଷ୍ଟ ଦିନର ମ୍ୟାଚ୍‌ ପାଇଁ ସେଭଳି ବିଶେଷ ଉତ୍ସାହ ଦେଖିବାକୁ ମିଳି ନାହିଁ ।


Share It

Comments are closed.