ଆଇପିଏଲର ଆଗାମୀ ସିଜିନ୍‌ରେ ଆସୁଛି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ, ଜାଣନ୍ତୁ ଏହାର ବିଶେଷତ୍ୱ


ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସିଜିନକୁ ନେଇ ପ୍ରସ୍ତୁତି ଜୋରଦାର ଭାବରେ ଚାଲିଛି। ଏହି ଅବସରରେ ଆଇପିଏଲ ୨୦୨୩ ପାଇଁ ‘ଇମ୍ପାକ୍ଟ ପ୍ଲେୟାର’ ନିୟମର ବ୍ୟବହାରକୁ ଅନୁମତି ଦିଆଯାଇଛି। ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ଶୁକ୍ରବାର ଟ୍ବିଟ୍‌ କରି ଏନେଇ ସୂଚନ ଦେଇଛି। ନିକଟରେ ସୟୈଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ବିସିସିଆଇ ପକ୍ଷରୁ ଏହି ନିମୟକୁ ସଫଳତାର ସହିତ ଗ୍ରହଣ କରାଯାଇଥିଲା। ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଅନୁସାରେ, ଆଇପିଏଲ କୌଣସି ମ୍ୟାଚ୍‌ରେ ଭାଗ ନେଉଥିବା ଦୁଇ ଟିମ୍‌କୁ ପ୍ରଥମ ବଲ୍‌ ଫୋପଡା ଯିବା ପୂର୍ବରୁ ପ୍ଲେଇଂ ଇଲେଭେନ୍‌ ବ୍ୟତୀତ ଚାରି-ଚାରୋଟି ସବଷ୍ଟିଚ୍ୟୁଟ୍‌ ପ୍ଲେୟାରଙ୍କ ନାଁ ମଧ୍ୟ ଦେବାକୁ ହେବ। ଦୁଇ ଟିମ୍‌ ପକ୍ଷରୁ ଏହି ୪ ଖେଳାଳିଙ୍କ ଭିତରୁ ଜଣଙ୍କୁ ଇନିଂସର ୧୪ଟି ଓଭରର ଶେଷ ପୂର୍ବରୁ ଇମ୍ପାକ୍ଟ ପ୍ଲେୟାର ରୂପରେ ଅଣା ଯାଇପାରେ।

ଇମ୍ପାକ୍ଟ ପ୍ଲେୟାର(ସବଷ୍ଟିଚ୍ୟୁଟ୍‌ ପ୍ଲେୟାର) କୌଣସି ମଧ୍ୟ ଅନ୍ୟ କ୍ରିକେଟରଙ୍କ ଭଳି ବ୍ୟାଟିଂ ଓ ବୋଲିଂ କରିପାରିବେ। ଅର୍ଥାତ ସେ ବୋଲିଂରେ ୪ ଓଭର ପକାଇପାରିବେ। ଇମ୍ପାକ୍ଟ ପ୍ଲେୟାର ଖେଳରେ ଆସିବା ପରେ ଯେଉଁ ଖେଳାଳି ବାହାର ହେବେ ତାଙ୍କୁ ଉପଯୋଗ ପୁରା ମ୍ୟାଚ୍‌ରେ କରାଯିବନି। ଓଭର ଶେଷ ହେବା, ଓ୍ବିକେଟ୍‌ ଯିବା କିମ୍ବା ଖେଳାଳି ଆହତ ହେବା ଭଳି ଘଟଣା ବେଳେ ଇମ୍ପାକ୍ଟ ପ୍ଲେୟାରଙ୍କୁ ପଡିଆକୁ ଆଣିହେବ।

ଖରାପ ପାଣିପାଗ କିମ୍ବା ଅନ୍ୟ ପରିସ୍ଥିତି କାରଣରୁ ମ୍ୟାଚ୍‌ ଛୋଟ ହେବା କାରଣରୁ ଏହି ନିୟମ ଅଳ୍ପ ଜଟିଳ ହୋଇଯାଇଥାଏ। ଯଦି ମ୍ୟାଚ୍‌କୁ ୧୦-୧୦ ଓଭର କରିଦିଆଯାଇଛି, ତେବେ ଇମ୍ପାକ୍ଟ ପ୍ଲେୟାର ମ୍ୟାଚ୍‌ର ନିୟମ ଅନୁସାରେ ଆସିବ। ଯଦି ମ୍ୟାଚ୍ ୧୦ ଓଭରରୁ ଅଧିକ ହେବ, ତେବେ ଇମ୍ପାକ୍ଟ ପ୍ଲେୟାର ମ୍ୟାଚ୍‌ ନିୟମ ଅନୁସାରେ ଆସିବ। ଉଦାହରଣ ଅନୁଯାୟୀ, ୧୮-୧୮ ଓଭର ଅନୁସାରେ, ୧୩ ଓଭର ଶେଷ ପୂର୍ବ ପର୍ଯ୍ୟନ୍ତ ଇମ୍ପାକ୍ଟ ପ୍ଲେୟାରଙ୍କୁ ବ୍ୟବହାର କରିବାର ଅନୁମତି ହେବ। ଯଦି ମୁକାବିଲାରେ ଇମ୍ପାକ୍ଟ ପ୍ଲେୟାର ବ୍ୟବହାର କରିବା ପରେ ଓଭର ହ୍ରାସ କରାଯାଏ, ତେବେ ଅନ୍ୟ ଟିମ୍‌କୁ ଏହାର ଉପଯୋଗ କରିବାର ଅନୁମତି ଦିଆଯିବ, ଖେଳ ଯେତିକି ଓଭର କମ୍ ହୋଇଥାଉ।

ଅନ୍ୟପକ୍ଷେ ଆଇପିଏଲ ୨୦୨୩ରେ ମିନି ଅକ୍ସନକୁ ନେଇ ଚର୍ଚ୍ଚା ବଢିଯାଇଛି। ୨୩ ଡିସେମ୍ବରରରେ କୋଚିରେ ହେବାକୁ ଥିବା ଆଇପିଏଲ ମିନି ଅକ୍ସନ ପାଇଁ ୯୯୧ ଖେଳାଳିଙ୍କ ରେଜିଷ୍ଟେ୍ରସନ୍ କରାଯାଇଛି, ଯେଉଁଥିରେ ୭୧୪ ଭାରତୀୟ ଖେଳାଳି ରହିଛନ୍ତି। ବିସିସିଆଇ ସଚିବ ଜୟ ଶାହ ଏନେଇ ସୂଚନା ଦେଇଛନ୍ତି। ଏହି ମିନି ଅକ୍ସନ ପାଇଁ ମୋଟ ୧୪ ଦେଶର ଖେଳାଳିମାନେ ରେଜିଷ୍ଟେ୍ରସନ୍ କରିଛନ୍ତି।ଖେଳାଳିଙ୍କ ସୁଚୀରେ ୧୮୫ କ୍ୟାପଡ୍‌, ୭୮୬ ଅନକ୍ୟାପଡ୍‌ ଓ ୨୦ ଆସୋସିଏଟ୍ ଖେଳାଳି ରହିଛନ୍ତି। ୨୭୭ ବିଦେଶୀ ଖେଳାଳିଙ୍କ ଲିଷ୍ଟରେ ଅଷ୍ଟେ୍ରଲିଆର ସବୁଠାରୁ ଅଧିକ ୫୭ କ୍ରିକେଟର ଅଛନ୍ତି। ଏହାପରେ ସାଉଥ୍ ଆଫ୍ରିକାର ୫୨ ଖେଳାଳି ରହିବେ। ତେବେ ଫାଇନାଲ ଅକ୍ସନରେ ୮୭ ଖେଳାଳିଙ୍କ ନିଲାମୀ କରାଯାଇପାରେ, ଯାହାଫଳରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ୩୦ ରହିବ।


Share It

Comments are closed.