ବିଶାଳ ସମାରୋହ ସହ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଉଦ୍‌ଯାପିତ


ଭୁବନେଶ୍ୱର: ଆଜି ଏକ ସରଳ କିନ୍ତୁ ଚିତାକର୍ଷକ ଉଦ୍‌ଯାପନୀ ସମାରୋହ ସହ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା (କେଆୟୁଜି) ୨୦୨୦ ଶେଷ ହୋଇଛି । ଆଜି ଶେଷ ଦିନରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିକୁ ଶେଷ ମୁହୂର୍ତରେ ପଛରେ ପକାଇ ପଞ୍ଜାବ ୟୁନିଭର୍ସିଟି ଏହି ପ୍ରାରମ୍ଭିକ ସଂସ୍କରଣର ବିଜେତା ଘୋଷିତ ହୋଇଛି । ଶେଷ ଦିନରେ ମାତ୍ର ଗୋଟିଏ ସ୍ୱର୍ଣ୍ଣ ପଦକ ପଛରେ ଥିବା ପଞ୍ଜାବ ୟୁନିଭର୍ସିଟି ବକ୍ସିଙ୍ଗ୍‌ରେ ଶେଷ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ପୁନେ ୟୁନିଭର୍ସିଟିକୁ ଟପି ପଦକ ତାଲିକାରେ ଶୀର୍ଷରେ ପହଂଚିଥିଲା । ଏହି ଦୁଇ ପ୍ରମୁଖ ବିଶ୍ୱବିଦ୍ୟାଳୟ ୧୭ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କିନ୍ତୁ ପୁନେ ୟୁନିଭର୍ସିଟିର ମୋଟ ୩୭ଟି ପଦକ (୧୧ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ) ତୁଳନାରେ ପଞ୍ଜାବ ୟୁନିଭର୍ସିଟି ମୋଟ ୪୬ଟି ପଦକ (୧୯ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ) ଜିତି ଟ୍ରଫି ହାସଲ କରିଥିଲା । ୨ୟ ରନର୍‌ଅପ୍ ଟ୍ରଫି ପଟିଆଲା ପଞ୍ଜାବି ୟୁନିଭର୍ସିଟିକୁ ମିଳିଥିଲା, ଯାହା କେଆଇୟୁଜିରେ ମୋଟ ୩୩ଟି ପଦକ (୧୩ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୧୪ଟି ବ୍ରୋଞ୍ଜ) ଜିତିଥିଲା ।
ଉଦ୍‌ଯାପନୀ ସମାରୋହରେ ଓଡିଶା ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ, କିରେନ୍ ରିଜିଜୁ, ଆଇଓଏ ଅଧ୍ୟକ୍ଷ ଡଃ ନରିନ୍ଦର ଧ୍ରୁବ୍ ବାତ୍ରା, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଏଆଇୟୁ ସାଧାରଣ ସଚିବ ଡଃ ପଙ୍କଜ ମିତଲ ପ୍ରମୁଖ ଯୋଗ ଦେବା ସହ ଖେଳାଳି ଓ ବିଶ୍ୱବିଦ୍ୟାଳୟଗୁଡିକର ବିଜୟକୁ ପାଳନ କରିଥିଲେ । ଏହି ଅବସରରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ୍ ରିଜିକୁ କହିଥିଲେ, କେଆଇୟୁଜିର ପ୍ରଥମ ସଂସ୍କରଣ ବାସ୍ତବରେ ସଫଳ ହୋଇଛି । ସମସ୍ତ ପ୍ରତିଯୋଗୀ ନିଜର ସର୍ବୋତମ ଯୋଗଦାନ ଦେଇଥିଲେ ଓ ସେମାନଙ୍କ ମଧ୍ୟରୁ ଅନେକ ନିଜ ମହାନ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଏବେ ଆମର ଲକ୍ଷ୍ୟ ରହିଛି ୟୁଥ୍ ଗେମ୍ସ ସହ ଦୈନିକ ଭାବେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆୟୋଜନ କରିବା; ଯାହାଫଳରେ ଭବିଷ୍ୟତର ଅଲିମ୍ପିକ୍ ମେଡାଲିଷ୍ଟଙ୍କ ପାଇଁ ମାର୍ଗ ପ୍ରଶସ୍ତ ହୋଇପାରିବ । ୨୦୨୮ ଅଲିମ୍ପିକ୍ସ ପରେ ପଦକ ତାଲିକାରେ ଶୀର୍ଷ ୧୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରହିବା ପାଇଁ ଆମର ଲକ୍ଷ୍ୟ ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡିଶା ଯେଉଁଭଳି ଏହି ଟୁର୍ଣ୍ଣାମେଂଟ୍‌ର ଆୟୋଜନ କରିଛି ତାହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଥିଲେ, କେଆଇୟୁଜି୨୦୨୦ ବିନା ବାଧାବିଘ୍ନରେ ଆୟୋଜିତ ହୋଇଥିବାରୁ ମୁଖ୍ୟ ଖୁବ୍ ଖୁସି । ମୁଁ ନିଶ୍ଚିତ ଯେ, ଏହା ଯୁବ ଖେଳାଳିଙ୍କୁ ଦେଶ ପାଇଁ ଅଧିକ ସଫଳତା ହାସଲ କରିବାରେ ସହଯୋଗ କରିବ । ଆୟୋଜକ କିଟ୍ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ଶ୍ରୀ ଅଚ୍ୟୁତ ସାମନ୍ତ ଏହି ଟୁର୍ଣ୍ଣାମେଂଟ୍‌କୁ ସଫଳ କରିଥିବାରୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହାପୂର୍ବରୁ ଆଜି ଖେଳ ଆରମ୍ଭରେ ଷ୍ଟିପଲ୍‌ଚେଜର୍ କୋମଲ ଜଗ୍‌ଦଲେ ସାବିତ୍ରୀ ବାଇ ଫୁଲେ ପୁନେ ୟୁନିଭର୍ସିଟିକୁ ଦୁଇଟି ସ୍ୱର୍ଣ୍ଣ ପଦରେ ଅଗ୍ରଣୀ କରି ୧୦:୨୬.୬୩ ଟାଇମିଙ୍ଗ୍ ସହ ନୂଆ ଅଲ୍ ଇଣ୍ଡିଆ ୟୁନିଭର୍ସିଟି ରେକର୍ଡ ସୃଷ୍ଟି କରିଥିଲେ । ଅନ୍ୟ ଆକର୍ଷଣୀୟ ଇଭେଂଟ୍‌ରେ କିଟ୍ ବିଶ୍ୱବିଦ୍ୟାଳୟର ଦୂତୀ ଚାନ୍ଦ ସ୍ପ୍ରିଂଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ଗୁରୁନାନକ ଦେବ୍ ୟୁନିଭର୍ସିଟି ମେନ୍‌ସ କବାଡି ଫାଇନାଲରେ କିରୁକ୍ଷେତ୍ର ୟୁନିଭର୍ସିଟିକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି । ହେପ୍ଟାଥଲନରେ ଲଭ୍‌ଲି ପ୍ରଫେସ୍‌ନାଲ ୟୁନିଭର୍ସିଟିର ସୋନୁ କୁମାରୀ ସ୍ୱର୍ଣ୍ଣ ଜିତିଥିବା ବେଳେ ୟୁନିଭର୍ସିଟି ଅଫ୍ କାଲ୍‌କାଟାର ସର୍ମିଷ୍ଠା ହଲ୍‌ଦର ରୌପ୍ୟ ଓ କର୍ଣ୍ଣାଟକା ଲ’ ୟୁୁନିଭର୍ସିଟିର ଅକ୍ଷତା ବ୍ରୋଞ୍ଜ ପଦକ ଜିତିଥିଲେ । ମେଡିସିନ୍ ଛାତ୍ରୀ ଦାମିନୀ ଗୌଡ ସ୍ୱିମିଙ୍ଗ୍‌ରେ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସର୍ବାଧିକ ୬୪ଟି ବିଶ୍ୱବିଦ୍ୟାଳୟ ସର୍ବନିମ୍ନ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୧୧୩ଟି ଶିକ୍ଷାନୁଷ୍ଠାନ ସର୍ବନିମ୍ନ ଗୋଟିଏ ଲେଖାଏଁ ପଦକ ହାସଲ କରିଛନ୍ତି । ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ସ୍ୱିମର୍ ସାଧ୍ୱୀ ଧୁରି ଓ ପଞ୍ଜାବ ୟୁନିଭର୍ସିଟିର ସିଦ୍ଧାନ୍ତ ସେଜ୍‌ୱାଲ ୫ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତି କେଆଇୟୁଜିରେ ସବୁଠାରୁ ସଫଳ ଖେଳାଳି ହୋଇଛନ୍ତି ।


Share It

Comments are closed.