ଅର୍ନ୍ତଜାତୀୟ ଚଳଚିତ୍ର ମହୋତ୍ସବରେ ଓଡ଼ିଆ ପୁଅ ହିତେଶଙ୍କ କମାଲ


୩୦ ଅଗଷ୍ଟରେ ନବାଦା, ବିହାରରେ ଅନୁଷ୍ଠିତ ନବାଦା ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାର ଯାଜପୁର ରୋଡର ହିତେଶ କୁମାରଙ୍କୁ ତିନୋଟି ବିଭାଗରେ ତିନୋଟି ଶ୍ରେଷ୍ଠ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ବ୍ୟାସନଗର ସହରର ହିତେଶ କୁମାରଙ୍କ ଫିଲ୍ମ “ଜୟତୁ ଜୟତୁ ଭାରତମ୍‌” କୁ ବେଷ୍ଟ ମ୍ୟୁଜିକାଲ ଡକ୍ୟୁମେଣ୍ଟାରି ଫିଲ୍ମ, ବେଷ୍ଟ ଏଡିଟର, ବେଷ୍ଟ ସିନେମାଟୋଗ୍ରାଫର ଭାବେ ପ୍ରଥମ ସ୍ଥାନ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଛି ।
ନବାଦା ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲର ଡାଇରକ୍ଟେର ପ୍ରସିଦ୍ଧ ଫିଲ୍ମ ଅଭିନେତା ଓ ନିର୍ଦ୍ଦେଶକ ରାହୁଲ ବର୍ମା ଯିଏ କି ବଲିଉଡରେ ଅନେକ ସିନେ ତାରକାଙ୍କ ସହ ଫିଲ୍ମରେ ଅଭିନୟ କରିବା ସହ ବିହାରରେ ନିର୍ଦ୍ଦେଶନା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ପ୍ରୟାସରେ ଦୀର୍ଘ ୯୦ ଦିନ ଧରି ଜୁନ୍ ୧ ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଏହି ଚଳଚିତ୍ର ମହୋତ୍ସବରେ ୧୫ଟି ଦେଶରୁ ୯୫୦ଟି ଚଳଚିତ୍ର ଆସିଥିବା ବେଳେ ତନ୍ମଧ୍ୟରୁ ୭୦ଟି ଫିଲ୍ମକୁ ୨୧ଟି କାଟାଗୋରିରେ ପୁରସ୍କାର ମିଳିଥିବା ବେଳେ ସେଥିରୁ ହିତେଶଙ୍କ ଚଳଚିତ୍ର ୩ଟି ପୁରସ୍କାର ଜିତିବା ସହ କେବଳ ରାଜ୍ୟ ନୁହେଁ ଆମ ଦେଶ ପାଇଁ ଅର୍ନ୍ତଜାତୀୟ ସ୍ତରରେ ସାଉଁଟିଛନ୍ତି ଗର୍ବ ଓ ଗୌରବ ।
ଏହି ଚଳଚିତ୍ର ମହୋତ୍ସବରେ ବଲିଉଡ ତାରକା ଅଖିଳେନ୍ଦ୍ର ମିଶ୍ର, ମୁସ୍ତାକ ଖାଁ, ଏହସାନ କୁରେସି (ପ୍ରଖ୍ୟାତ ହାସ୍ୟ ତାରକା), ରାକେଶ ଶ୍ରୀବାସ୍ତବ (ସିରିଏଲ ଆକ୍ଟର), ଅନିଲ ଦୁବେ (ଫିଲ୍ମ ନିର୍ଦ୍ଦେଶକ), ଅକ୍ସରା ସିଂ (ଭୋଜପୁରୀ ନାୟିକା) ମାନେ ଅନଲାଇନରେ ଉପସ୍ଥିତ ରହି ବିଜେତା ମାନଙ୍କୁ ପୁରସ୍କୃତ କରିବା ସହିତ ବିଚାରକ ଭାବେ ପ୍ରସିଦ୍ଧ ବଲିଉଡ ନାୟିକା ଆଶା କାଲେ ଓ ଦିଶାନୀ ଦତ୍ତ ସବୁ ଫିଲ୍ମକୁ ବିଚାର କରିଥିଲେ ।
କେବଳ ଏତିକି ନୁହେଁ, ହିତେଶଙ୍କ ଏହି ଫିଲ୍ମ “ଜୟତୁ ଜୟତୁ ଭାରତମ୍‌” ପ୍ରଥମେ ଓରିଫାର୍ମିଂ ପକ୍ଷରୁ ଶ୍ରେଷ୍ଠ କୋଭିଡ ୧୯ ମ୍ୟୁଜିକାଲ ପ୍ରାମାଣିକ ଚଳଚିତ୍ର ରୂପେ ପ୍ରଥମ ଅର୍ନ୍ତଜାତୀୟ ପୁରସ୍କାର ପାଇବା ପରେ ଗୁଜୁରାଟ ଠାରେ ଆୟୋଜିତ ନିୟୁ ନର୍ମାଲ ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ କୋଭିଡ ୧୯ ଆୱେରନେସ୍ ପୁରସ୍କାର ପାଇବା ସହ, କୋଲକାତା ଅନଲାଇନ ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ, ଇଣ୍ଡିଆନ ଗ୍ଲୋବାଲ ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ, ବଙ୍ଗାଲ ଲକ୍ ଡାଉନ ଅନଲାଇନ ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏପର୍ଯ୍ୟନ୍ତ ୯ଟି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।
ଫିଲ୍ମଟିକୁ ନିର୍ମାଣ କରିବାରେ ହିତେଶ ଓ ତାଙ୍କ ଟିମ ସରୋଜ କୁମାର, ଅଶୋକ କୁମାର ଓ ସୁନିଲ କୁମାର ଦୀର୍ଘ ପଚିସି ଦିନ ଧରି ଲକ୍ ଡାଉନ ସମୟରେ ସୁଟିଂ ଓ ଏଡିଟିଙ୍ଗ କରିଥିଲେ । ସମ୍ପୂର୍ଣ୍ଣ ଫିଲ୍ମଟି ଯାଜପୁରରେ ସୁଟ ହୋଇଥିବା ବେଳେ ଏଥିରେ ୨୫ଟି ଜରୁରୀ କାଳୀନ ଓ ଅତ୍ୟାବଶକ ବିଭାଗରେ ମାନବ ସେବାରେ ବ୍ରତୀ ଥିବା କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା ସହ ଦେଶ ପ୍ରେମର ଝଲକ ହିତେଶ ଏହି ଫିଲ୍ମରେ ଦେଖାଇଥିଲେ । ଯାହା ଫଳରେ ଏହା ବିଶ୍ୱ ଦରବାରରେ ଭାରତର ନାଁ କୁ ସୁଉଚ୍ଚରେ ସ୍ଥାପିତ କରିଛି ବୋଲି ଦର୍ଶକଙ୍କ ମତ ।
ଏଭଳି କୋଭିଡ ପରି ଅଭାବନୀୟ ପରିସ୍ଥିତିରେ ଯାଜପୁରର ଯୁବ ପ୍ରତିଭା ଫିଲ୍ମ ନିର୍ମାଣ କରି ଅନେକ ଅର୍ନ୍ତଜାତୀୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ରାଜ୍ୟ ଓ ଦେଶ ପାଇଁ ସାଉଁଟି ଥିବା ଗୌରବର ପ୍ରତି ବଦଳରେ ରାଜ୍ୟ ସରକାର ତାଙ୍କୁ ଉତ୍ସାହିତ କରିବା ସହ ସମ୍ମାନୀତ କଲେ, ଏପରି ଅନେକ ଲୁକ୍କାୟିତ ଯୁବ ପ୍ରତିଭା ପ୍ରସ୍ଫୁଟିତ ହେବା ସହ ରାଜ୍ୟ ତଥା ଦେଶ ପାଇଁ ଗର୍ବ ପାଲଟିବେ ଏହା ନିଃସନ୍ଦେହ ।
ଫିଲ୍ମ – ଜୟତୁ ଜୟତୁ ଭାରତମ୍‌
ନିର୍ଦ୍ଦେଶକ- ହିତେଶ କୁମାର
ପୁରସ୍କୃତ – ନବାଦା ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ
ପ୍ରଥମ ସ୍ଥାନ – ବେଷ୍ଟ ମ୍ୟୁଜିକାଲ ଡକ୍ୟୁମେଣ୍ଟାରି ଫିଲ୍ମ
ପ୍ରଥମ ସ୍ଥାନ – ବେଷ୍ଟ ଏଡିଟର
ପ୍ରଥମ ସ୍ଥାନ – ବେଷ୍ଟ ସିନେମାଟୋଗ୍ରାଫର


Share It

Comments are closed.