ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାମାଜିକ ଗଣ ମାଧ୍ୟମରେ ଦେଲେ ସାଧାରଣ ଲୋକଙ୍କ ଉତ୍ତର


ଭୁବନେଶ୍ୱର: ଚଳିତ ଫେବୃୟାରୀ ୧୧ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ “ମୋ ସରକାର”ରେ ଆନୁଷ୍ଠାନିକଭାବେ ଅର୍ନ୍ତଭୁକ୍ତ କରିଥିବାବେଳେ ବିଭାଗୀୟ ମନ୍ତ୍ରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ସିଧାସଳଖ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । ଆଜି ଫେସବୁକ୍ ଏବଂ ଟ୍ୱିଟର ଜରିଆରେ ମନ୍ତ୍ରୀ ଲୋକଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ରଖିଥିଲେ ଏବଂ ସରକାରଙ୍କ ଅନ୍ୟାନ୍ୟ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପୂର୍ବରୁ ଏଥି ନିମନ୍ତେ ଗତ ୧୧ ତାରିଖ ମଧ୍ୟରେ ସାଧାରଣ ଲୋକମାନେ #AskOdishaFoodMinister ହ୍ୟାସଟ୍ୟାଗକୁ ବ୍ୟବହାର କରି ଫେସବୁକ ଏବଂ ଟୁଇଟର ମାଧ୍ୟମରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ଆଜି ମନ୍ତ୍ରୀ ଅପରାହ୍ନ ୪ ରୁ ୫ଟା ମଧ୍ୟରେ ସିଧାସଳଖ ଦେଇଛନ୍ତି । ସୀମିତ ସମୟ ହେତୁ ସମସ୍ତ ପ୍ରଶ୍ନ ଗୁଡିକର ଉତ୍ତର ଦେବା ସମ୍ଭବ ହୋଇନାରିନଥିବାରୁ ବଳକା ରହିଯାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଫେସବୁକ୍ ଏବଂ ଟୁଇଟର ମାଧ୍ୟମରେ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।
ବିଭିନ୍ନ ପ୍ରଶ୍ନ ଗୁଡ଼ିକ ମଧ୍ୟରେ ଚାଷୀ ମାନଙ୍କଠାରୁ ସରକାରଙ୍କର ଧାନ ସଂଗ୍ରହ ମୁଖ୍ୟ ପ୍ରସଙ୍ଗ ରହିଥିବାବେଳେ ଏହାର ଉତରଦେଇ ମାନ୍ୟବର ମନ୍ତ୍ରୀ କହିଛନ୍ତିଯେ ଏଥିରେ ଥିବା ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ । ଏଥି ସହିତ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ଉନ୍ନତିକୁ ମୁଖ୍ୟ ପ୍ରାଥମିକତା ପ୍ରଦାନ କରାଯାଇଥିବାବେଳେ ସୁଲଭ ବଣ୍ଟନ ତଥା ଏହାର ବିକାଶ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଧାନ ସଂଗ୍ରହ କ୍ଷେତ୍ରରେ ପ୍ରକୃତ ଚାଷୀଙ୍କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଟୋକନ୍ ପ୍ରଦାନ କରିଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏତଦ୍ ବ୍ୟତିତ ଏହିପରି କାର୍ଯ୍ୟକ୍ରମକୁ ଓଡ଼ିଶାର ଜନସାଧାରଣ ବିପୁଳ ସମର୍ଥନ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିଯେ, ଭବିଷ୍ୟତରେ ଯଦି ଜନସାଧାରଣ ଚାହିଁବେ ଏହିପରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଭାଗ ପକ୍ଷରୁ ଆୟୋଜନ କରାଯିବା ସହିତ ଦିନକୁ ଦିନ ସରକାର ଜନସାଧାରଣଙ୍କର ଆହୁରି ନିକଟତର ହେବାକୁ ପ୍ରୟାସ ଜାରି ରଖିବେ ।


Share It

Comments are closed.