ସଡକ ଦୁର୍ଘଟଣାରେ ଶିକାର ଯୁବକଙ୍କ ଅଙ୍ଗଦାନ ୬ ଜଣଙ୍କୁ ଦେଇଛି ନୂଆ ଜୀବନ


ଭୁବନେଶ୍ୱର: ସହରର ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରଦାତାଙ୍କ ମଧ୍ୟରେ ଅନ୍ୟତମ ବିଆର୍ ଲାଇଫ୍ ଏସଏସଏନଏମସି ହସ୍ପିଟାଲରେ ମାନବିକତାର ଏକ ମହତ ନିଦର୍ଶନ ଦେଖିବାକୁ ମିଳିଛି, ଯେଉଁଠାରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ୩୫ ବର୍ଷୀୟ ଯୁବକ ହେମନ୍ତ କୁମାରଙ୍କ ପରିବାର ଲୋକେ ତତ୍କାଳ ପ୍ରତିରୋପଣର ଆବଶ୍ୟକ କରୁଥିବା ରୋଗୀଙ୍କୁ ତାଙ୍କର ଅଙ୍ଗଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି । ଲୋକମାନଙ୍କୁ ଅଙ୍ଗଦାନ ପାଇଁ ଆଗେଇ ଆସିବାକୁ ପ୍ରୋତ୍ସାହିତ କରିବା ଲାଗି ଗତ ବର୍ଷ ‘ଆଇ ଲିଭ୍ ଅନ୍‌’ ଅଭିଯାନ ଆରମ୍ଭ କରିଥିବା ଏହି ହସ୍ପିଟାଲ ହେମନ୍ତ କୁମାର ଓ ତାଙ୍କ ପରିବାର ସଦସ୍ୟଙ୍କ ମାଧ୍ୟମରେ ଏକ ସଫଳ କାହାଣୀ ଦେଖିବାକୁ ପାଇଛି । ବିଆର୍ ଲାଇଫ୍ ଏସଏସଏନଏମସି ହସ୍ପିଟାଲ ଦ୍ୱାରା ଆରମ୍ଭ କରାଯାଇଥିବା ଅଙ୍ଗଦାନ ସଙ୍କଳ୍ପ ପାଇଁ ‘ଆଇ ଲିଭ୍ ଅନ୍‌’ ହେଉଛି ଏକ ଅନଲାଇନ୍ ମଂଚ ।
କୁନିଗାଲ ନିବାସୀ ହେମନ୍ତ ସୁଙ୍କଡକଟ୍ଟେଠାରେ ନିଜ ବାଇକ୍‌ରୁ ପଡିଯିବା ପରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଓ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତତ୍କାଳ ଚିକିତ୍ସା ପାଇଁ ବିଆର୍ ଲାଇଫ୍ ଏସଏସଏନଏମସି ହସ୍ପିଟାଲକୁ ଅଣାଯାଇଥିଲା । ତେବେ ସମସ୍ତ ପ୍ରକାରର ପ୍ର୍ରୟାସ ସତ୍ୱେ ହେମନ୍ତଙ୍କୁ ବଂଚାଇବା ସମ୍ଭବ ହୋଇନଥିଲା ଓ ଡାକ୍ତରୀ ଦଳ ତାଙ୍କର ବ୍ରେନ୍ ଡେଡ୍ ହୋଇଥିବା ଘୋଷଣା କରିଥିଲେ । ଏହାପରେ ହେମନ୍ତଙ୍କ ପରିବାର ଲୋକେ ହସ୍ପିଟାଲର ମେଡିକାଲ ଟିମ୍ ସହ ଯୋଗାଯୋଗ କରିଥିଲେ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକ କରୁଥିବା ରୋଗୀଙ୍କୁ ହେମନ୍ତଙ୍କ ଅଙ୍ଗଦାନ କରିବା ସମ୍ପର୍କରେ ନିଜର ଇଚ୍ଛାବ୍ୟକ୍ତ କରିଥିଲେ । ହେମନ୍ତ ଓ ତାଙ୍କ ପରିବାର ସବୁବେଳେ ଅଙ୍ଗଦାନ କରିବା ଭଳି ମହତ୍ କାର୍ଯ୍ୟରେ ବିଶ୍ୱାସ ରଖିଆସିଥିଲେ । ହସ୍ପିଟାଲର ବରିଷ୍ଠ କନ୍‌ସଲ୍‌ଟାଂଟ୍ ଏଚ୍‌ପିବି/ଟ୍ରାନ୍ସପ୍ଲାଂଟ୍ ସର୍ଜନ ଡଃ ରେହାନ ସୈଫ୍‌, କନ୍‌ସଲ୍‌ଟାଂଟ ଏଚ୍‌ପିବି/ଟ୍ରାନ୍ସପ୍ଲାଂଟ୍ ସର୍ଜନ ଡଃ ରୋମେଲ ଏସ୍ ଓ କନ୍‌ସଲ୍‌ଟାଂଟ୍ ୟୁରୋଲୋଜିଷ୍ଟ ଡଃ ଗିରିଧର ଭେଙ୍କଟେସଙ୍କ ନେତୃତ୍ୱାଧୀନ ସର୍ଜିକାଲ ଟିମ୍ ଦ୍ୱାରା ହେମନ୍ତଙ୍କ ଶରୀରରୁ ଅଙ୍ଗ ସଂଗ୍ରହ କରାଯାଇଥିଲା । ତାଙ୍କର ଲିଭର ଓ କିଡନିକୁ ବିଆର୍ ଲାଇଫ୍ ଏସଏସଏନଏମସି ହସ୍ପିଟାଲରେ ଅନ୍ୟ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା । ସେହିପରି ତାଙ୍କର ଫୁସ୍‌ଫୁସ୍‌, ଅନ୍ୟ ଏକ କିଡ୍‌ନି, ହାର୍ଟ ଭାଲ୍‌ଭ ଓ କର୍ଣ୍ଣିଆକୁ ଅନ୍ୟ ହସ୍ପିଟାଲଗୁଡିକୁ ସ୍ଥାନାନ୍ତର କରାଯାଇଥିଲା ।
ବିଆର୍ ଲାଇଫ୍ ଏସଏସଏନଏମ୍‌ସି ହସ୍ପିଟାଲରେ ହେପାଟୋ-ପ୍ୟାନକ୍ରିଆଟୋ-ବିଲିଆରି ବିଭାଗର ବରିଷ୍ଠ କନ୍‌ସଲ୍‌ଟାଂଟ୍ ଓ ଟ୍ରାନ୍ସପ୍ଲାଂଟ୍ ସର୍ଜନ ଡଃ ରେହାନ ସୈଫ୍‌, ହେପାଟୋ-ପ୍ୟାନକ୍ରିଆଟୋ-ବିଲିଆରି କନସଲଟାଂଟ୍ ଓ ଟ୍ରାନ୍ସପ୍ଲାଂଟ୍ ସର୍ଜନ ଡଃ ରୋମେଲ ଏସ୍‌, ହେପାଟୋଲୋଜିଷ୍ଟ ବିଭାଗର ବରିଷ୍ଠ କନସଲଟାଂଟ୍ ଡଃ ନବୀନ ଗାଞ୍ଜୁ ଏହି ଲିଭର ପ୍ରତିରୋପଣ ସର୍ଜରୀ କରିଥିଲେ । ସେହିପରି କିଡ୍‌ନି ପ୍ରତିରୋପଣ ସର୍ଜରୀର ୟୁରୋଲୋଜିଷ୍ଟ କନସଲଟାଂଟ୍ ଡଃ ଗିରିଧର ଭେଙ୍କଟେଶ ଓ ନେଫ୍ରୋଲୋଜିଷ୍ଟ କନ୍‌ସଲ୍‌ଟାଂଟ୍ ଡଃ ମଞ୍ଜୁନାଥଙ୍କ ଦ୍ୱାରା କରାଯାଇଥିଲା ।
ଏସମ୍ପର୍କରେ ହେପାଟୋ-ପ୍ୟାନକ୍ରିଆଟୋ-ବିଲିଆରି ବିଭାଗର ବରିଷ୍ଠ କନସଲଟାଂଟ୍ ଓ ଟ୍ରାନ୍ସପ୍ଲାଂଟ୍ ସର୍ଜନ ଡଃ ରେହାନ ସୈଫ୍ କହିଛନ୍ତି ଯେ, “ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିବା ନିଷ୍ପତି ନେବା ଏକ ଉପହାର ସଦୃଶ । ହେମନ୍ତଙ୍କ ପରିବାରକୁ ତାଙ୍କର ଏହି ନିସ୍ୱାର୍ଥପର କାର୍ଯ୍ୟ ପାଇଁ ପ୍ରଶଂସା କରାଯିବା ଉଚିତ, ଯେଉଁ କାରଣରୁ ଏକାଧିକ ରୋଗୀଙ୍କୁ ବଂଚିବାର ଦ୍ୱିତୀୟ ସୁଯୋଗ ମିଳିପାରିଛି ।” ହେମନ୍ତଙ୍କ ପରିବାରର ଏହି ମହତ୍ କାର୍ଯ୍ୟକୁ ବିଆର୍ ଲାଇଫ୍‌ର ଗ୍ରୁପ୍ ସିଇଓ ସିଓଏଲ୍ ହେମରାଜ ପାରମର ମଧ୍ୟ ପ୍ରଶଂସା କରିଛନ୍ତି ।


Share It

Comments are closed.