କରୋନା ବିରୋଧୀ ଲଢେଇରେ ଭାରତ ସମେତ ଅନ୍ୟମାନଙ୍କୁ ପଛରେ ପକାଇଲା ନ୍ୟୁଜିଲାଣ୍ଡ


ନୂଆଦିଲ୍ଲୀ,୧୦ ଏପ୍ରିଲ ୨୦୨୦: ବିଶ୍ୱବ୍ୟାପୀ କରୋନା ଭାଇରସ୍ ମହାମାରୀର ହାହାକାର ମଧ୍ୟରେ ଭାରତରେ କରୋନା ସଂକ୍ରମଣରେ ଲଗାତର ବୃଦ୍ଧି ଘଟୁଛି । ଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଏବେ ୨୧ ଦିନର ଲକ୍‌ଡାଉନ୍ ପରେ ସରକାର ଏହି ଅବଧିକୁ ଆଗକୁ ବଢାଇବାକୁ ବିଚାର କରୁଛନ୍ତି । ଅନ୍ୟପକ୍ଷରେ ଭାରତ ସହ ଏକାସଙ୍ଗେ ଲକ୍‌ଡାଉନ୍ ଘୋଷଣା କରିଥିବା ନ୍ୟୁଜିଲାଣ୍ଡରେ କିନ୍ତୁ ସ୍ଥିତି ଓଲଟା । ଏଠାରେ ଭାରତ ତୁଳନାରେ ସ୍ଥିତି ଖୁବ୍ ଉନ୍ନତ ରହିଛି ।
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଏକା ଦିନରେ କରୋନା ଭାଇରସ୍ ବିରୋଧରେ ଲଢିବା ପାଇଁ ଲକ୍‌ଡାଉନ୍ ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡରେ ଗୋଟିଏ ପଟେ କରୋନା ଭାଇରସ୍ ଉପରେ ନିୟନ୍ତ୍ରଣ ହାସଲ କରିଥିବା ବେଳେ ଏଠାରେ କରୋନା ସଂକ୍ରମଣ ମାମଲାରେ ଲଗାତର ହ୍ରାସ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାତର ବୃଦ୍ଧି ଘଟୁଛି । ଗତ ଏକ ସପ୍ତାହ ହେବ ପ୍ରତ୍ୟେକ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ୫୦୦ରୁ ଅଧିକର ବୃଦ୍ଧି ହେଉଛି । କିନ୍ତୁ ନ୍ୟୁଜିଲାଣ୍ଡରେ ଲଗାତର ୪ର୍ଥ ଦିନରେ ମାମଲାରେ ହ୍ରାସ ଦେଖିବାକୁ ମିଳିଛି । ଗତକାଲି ନ୍ୟୁଜିଲାଣ୍ଡରେ ମାତ୍ର ୨୯ଟି ନୂଆ ମାମଲା ସାମ୍‌ନାକୁ ଆସିଥିବା ବେଳେ ଭାରତରେ ଏହି ସଂଖ୍ୟା ୫୯୦ ପାଖାପାଖି ଥିଲା । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ଣ୍ଣ ୪ ସପ୍ତାହର ଲକ୍‌ଡାଉନ୍ ଘୋଷଣା କରିଥିଲେ । ସେହିପରି ଭାରତ ସରକାର ମାର୍ଚ୍ଚ ୨୪ରୁ ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରିଥିଲେ । ଉଭୟ ଦେଶ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରୁଛନ୍ତି ।

କିନ୍ତୁ ଏହାସତ୍ୱେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୬୪୦୦ରୁ ଅଧିକ ଥିବା ବେଳେ ନ୍ୟୁଜିଲାଣ୍ଡରେ ପ୍ରାୟ ୧୨୦୦ ରହିଛି । ଭାରତରେ ଏହି ମହାମାରୀରେ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ନ୍ୟୁଜିଲ୍ୟାଣ୍ଡରେ ମାତ୍ର ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ନ୍ୟୁଜିଲାଣ୍ଡ ଏତେ କମ୍ ସମୟ ମଧ୍ୟରେ କରୋନା ଉପରେ ନିୟନ୍ତ୍ରଣ କରିପାରିବା ପଛର କାରଣ ହେଉଛି ଏହାର ଜନସଂଖ୍ୟା । ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟା ମାତ୍ର ୫୦ ଲକ୍ଷ, ଯାହାକି ଦିଲ୍ଲୀର ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ । ନ୍ୟୁଜିଲାଣ୍ଡରେ ଗତ ମାର୍ଚ୍ଚ ୧୯ ତାରିଖରୁ ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ନ୍ୟୁଜିଲ୍ୟାଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ ଥିବା ବେଳେ ଏଠାରେ ଲକ୍‌ଡାଉନ୍ ନିୟମ କଡାକଡି କରାଯାଇଥିଲା । କିନ୍ତୁ ଭାରତରେ ଲକ୍‌ଡାଉନ୍ ନିୟମ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ ଟପିବା ପରେ ଲାଗୁ ହୋଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡର ଲୋକମାନେ ଯେଉଁଭଳି ଭାବେ ଲକ୍‌ଡାଉନ୍‌କୁ ଗମ୍ଭୀରତାର ସହ ପାଳନ କରିଥିଲେ ଓ ସେଲ୍ ଆଇସୋଲେଶନ ଥିଓରିକୁ ବୁଝିଥିଲେ, ତାହା ଭାରତରେ ଦେଖିବାକୁ ମିଳିନଥିଲା । ଆଜି ମଧ୍ୟ ଦେଶର ଅନେକ ସ୍ଥାନରେ ଲୋକେ ଲକ୍‌ଡାଉନ୍‌କୁ ଗୁରୁତ୍ୱ ଦେଉନାହାନ୍ତି । ଯେଉଁ କାରଣରୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ତବ୍‌ଲିଘି ଜମାତ ଘଟଣା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ, ଦେଶରେ ମୋଟ କରୋନା ମାମଲାରେ ତବ୍‌ଲିଘି ଜମାତର ପ୍ରାୟ ୩୦ରୁ ୩୫% ଯୋଗଦାନ ରହିଛି ।


Share It

Comments are closed.