ୟୁଏନ୍‌ର ଚେତାବନୀ, କରୋନାର ଫାଇଦା ଉଠାଇ ଜୈବିକ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ


ନ୍ୟୁୟର୍କ,୧୦ ଏପ୍ରିଲ ୨୦୨୦: ମିଳିତ ଜାତିସଂଘ (ୟୁଏନ୍‌) ମହାସଚିବ ଆଂଟୋନିଓ ଗୁତେରେସ ଚେତାବନୀ ଦେଇ କହିଛନ୍ତି ଯେ, କରୋନା ଭାଇରସ୍ ମହାମାରୀର ଫାଇଦା ଉଠାଇ ଆତଙ୍କବାଦୀମାନେ ଜୈବିକ ଆକ୍ରମଣ କରିପାରନ୍ତି । ଗତକାଲି ଭିଡିଓ କନ୍‌ଫରେନ୍ସିଙ୍ଗ୍ ଜରିଆରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ବୈଠକକୁ ସମ୍ବୋଧିତ କରି ଗୁତେରେସ୍ କହିଥିଲେ, କରୋନା ଭାଇରସ୍ ମହାମାରୀ ସହ ଲଢିବାରେ ଅକ୍ଷମତା ଓ ପୂର୍ବ ପ୍ରସ୍ତୁତି ନଥିବା କାରଣରୁ ଏକେ ଆତଙ୍କବାଦୀମାନଙ୍କୁ ଏକ ସୁଯୋଗ ମିଳିଯାଇଛି ଏବଂ ବିଶ୍ୱ ଉପରେ ଜୈବିକ ଆକ୍ରମଣର ବିପଦ ବଢିଯାଇଛି । ଆତଙ୍କବାଦୀ ସଂଗଠନଗୁଡିକ ଏହି ସୁଯୋଗର ଫାଇଦା ଉଠାଇପାରନ୍ତି କାରଣ ବର୍ତମାନ ବିଶ୍ୱର ସମସ୍ତ ଦେଶର ଧ୍ୟାନ ଏହି ମହାମାରୀ ସହ ଲଢିବା ଉପରେ ରହିଛି । ଗୁତେରେସ୍‌ଙ୍କ ମତରେ, ଜୈବିକ ଆକ୍ରମଣ ଯୋଗୁଁ ହିଂସା ବଢିପାରେ ଓ ଏହି ମହାମାରୀ ବିରୋଧରେ ଜାରି ଲଢେଇରେ ଆମର ପ୍ରୟାସ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ଏହି ମହାମାରୀ ସହ ଲଢେଇ ସମୟରେ ଆମେ ସ୍ୱାସ୍ଥ୍ୟ ସୁବିଧାର ପହଂଚକୁ ନେଇ ଭେଦଭାବ, ମିଡିଆ ଉପରେ ପ୍ରତିବନ୍ଧକ, ଅଭିବ୍ୟକ୍ତିର ସ୍ୱାଧୀନତାକୁ ନେି ଅଧିନାୟକବାଦ ଆଦି ଘଟଣାମାନ ଦେଖିବାକୁ ପାଉଛୁ । ସେହିପରି କରୋନା ମାହାମାରୀ କାରଣରୁ ଶରଣାର୍ଥୀ ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ସମ୍ମୁଖରେ ମାନବାଧିକାରର ସଙ୍କଟ ମଧ୍ୟ ସୃଷ୍ଟି ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।


Share It

Comments are closed.